ବାଲେଶ୍ୱରରେ ଜିଲାସ୍ତରୀୟ ଗାନ୍ଧୀ ଜୟନ୍ତୀ ସମାରୋହ

ବାଲେଶ୍ୱର, (ସରୋଜ ପଣ୍ଡା) : ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ୧୫୨ତମ ଜିଲ୍ଲାସ୍ତରୀୟ ଗାନ୍ଧୀ ଜୟନ୍ତୀ ସମାରୋହ ଶନିବାର ପାଳିତ ହୋଇଯାଇଛି । ସକାଳେ ସହରର ସିନେମାଛକ ସହିଦ ପାର୍କରେ ଥିବା ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ପ୍ରତିମର୍ତ୍ତିରେ ସାମୂହିକ ମାଲ୍ୟାର୍ପଣ ପରେ ସ୍ଥାନୀୟ ସୂଚନା ଭବନରେ ଏକ ସର୍ବଧର୍ମ ସମନ୍ୱୟ ସଭା ଆୟୋଜିତ ହୋଇଥିଲା । ବାଲେଶ୍ୱର ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ସଦର ବିଧାୟକ ସ୍ୱରୂପ କୁମାର ଦାସ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ସଦର ବ୍ଲକ ଅଧ୍ୟକ୍ଷ ନାରାୟଣ ପ୍ରଧାନ, ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର, ଅତିରିକ୍ତ ଜିଲାପାଳ ଭବେଶ କୁମାର ନାୟକ, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ରବୀନ୍ଦ୍ର କୁମାର ସାହୁ, ବାଲେଶ୍ୱର ଉପ-ଜିଲାପାଳ ଆଶିଷ ଈଶ୍ୱର ପାଟିଲ, ଆଇଏଏସ ପ୍ରୋବେସନର କୁନାଲ ଚୌହାନ, ସଦର ବିଡିଓ ନରେନ୍ଦ୍ର ଖମାରୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ଗାନ୍ଧିଜୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଫଟୋ ଚିତ୍ରରେ ପୁଷ୍ପ ଅର୍ପଣ ସହ ମହାନ ବ୍ୟକ୍ତିତ୍ୱଙ୍କ ସମ୍ପର୍କରେ କଥା ରଖିଥିଲେ । ବିଶେଷ କରି ଗାନ୍ଧୀଜୀଙ୍କ ଜୀବନ ଦର୍ଶନ ଏବଂ ଭାରତ ସମେତ ସମଗ୍ର ବିଶ୍ୱକୁ ତାଙ୍କର ଅବଦାନ ସମ୍ପର୍କରେ ଅତିଥିମାନେ ଆଲୋକପାତ କରିଥିଲେ । ସେହିପରି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଶାସ୍ତ୍ରିଜୀ ଶ୍ରେଷ୍ଠ ନୀତି ଓ ଆଦର୍ଶ ପାଇଁ ଶାନ୍ତିର ଦୂତ ଭାବେ ପରିଚିତ ହୋଇପାରିଛନ୍ତି ବୋଲି ସେମାନେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ କବି ପ୍ରଶାନ୍ତ ଦାସ, ଲକ୍ଷ୍ମୀଧର ବେହେରା, ଶରତ ଚନ୍ଦ୍ର ଦାଶ, ଶ୍ରଦ୍ଧାଞ୍ଜଳି ରାୟ, ଜନ୍ନତ ହୁସେନ ପ୍ରମୁଖ ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ସମ୍ପର୍କରେ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ଚାରି ଗାଁ ରାମେଶ୍ୱର ସଂସ୍କୃତି ବିଦ୍ୟାଳୟର ଶିକ୍ଷକ ମନ୍ମଥ କୁମାର ମିଶ୍ର ଗୀତା, ଆର.କେ.ହିନ୍ଦୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆରତ ମନ୍ତ୍ରୀ ବାଇବେଲ ଓ ବାରବାଟି ବାଳିକା ହାଇସ୍କୁଲର ଶିକ୍ଷୟିତ୍ରୀ ଜରୀନା ବେଗମ ଏବଂ ଜିଲା ସ୍କୁଲର ଶିକ୍ଷକ ମସ୍କୁର ଅଲୀ ଖାନ କୋରାନ ପାଠ କରିଥିଲେ । ନୃତ୍ୟସଙ୍ଗୀତ କଳାମନ୍ଦିରର କଳାକାର ବେଲା ସେନ, ନନ୍ଦକିଶୋର ଦାସ ଓ ସାଗରିକା ଦାସ ଗାନ୍ଧୀଜୀଙ୍କ ପ୍ରିୟ ଭଜନ ପରିବେଷଣ କରିଥିଲେ । ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଦୀପକ ସାହୁ ସ୍ୱାଗତ ଅଭିଭାଷଣ ପ୍ରଦାନ ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଭୋର ସମୟରେ ଜିଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସହରରେ ରାମଧୂନ ପରିବେଷଣ କରାଯାଇଥିଲା । ପ୍ରାତଃକାଳରେ ପ୍ରଶାସନ ଓ ସଂସ୍କୃତି ବିଭାଗ ସହଯୋଗରେ ଆୟୋଜିତ ରାମଧୂନ ଶୋଭାଯାତ୍ରାରେ ଲୋକକଳା କଳାକାରମାନେ ଯୋଗ ଦେଇ ଜିଲାପାଳଙ୍କ କାର୍ଯ୍ୟାଳୟରୁ ସହିଦ ପାର୍କ ଯାଏଁ ଯାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ