ଗୋଷାଣୀ ଛକର ପୁରାତନ କଲଭର୍ଟ ଧସିଲା ନୂତନ କଲଭର୍ଟ ନିର୍ମାଣ ପାଇଁ ଦାବି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଗୋଷାଣୀ ଛକ ଠାରେ କଲଭର୍ଟ ଧସି ଯାଇଅଛି । ଏହି କଲଭର୍ଟ ଅତି ପୁରୁଣା । ନୁତନ କଲଭର୍ଟ ନିର୍ମାଣ ପାଇଁ ଦାବି ହୋଇଛି । ଏହା ଉପରେ ଦୈନିକ ଶହ ଶହ ଭାରିଯାନ ସମେତ ଦୁଇଚକିଆ, ଚାରିଚକିଆ ଯାତାୟତ କରିଥାନ୍ତି । ଏହି କଲଭର୍ଟ ଦେଇ ପାରଳାଖେମୁଣ୍ଡି, ଗୁରାଣ୍ଡି, ତାଟିପେଟି, ସାତମାଇଲ ଭୁଷୁକୁଡି, ଉପଲଡା ଆଦି ଗ୍ରାମକୁ ଯିବା ପାଇଁ ନିର୍ଭର କରିଥାନ୍ତି । ଏପଟେ ଗୋଷାଣୀ ବ୍ଲକ, ବ୍ରହ୍ମପୁର ଆଦି ସ୍ଥାନକୁ ଯାତାୟତ କରିଥାନ୍ତି । ଏହି କଲଭର୍ଟ ଉପରେ ବହୁ ବାର ରାସ୍ତା ପକାଯାଉଥିଲେ ମଧ୍ୟ ଏହା ଅତିପୁରୁଣା ଓ ବିପଦଶଙ୍କୁଳ ଅବସ୍ଥାରେ ଥିବା କଲଭର୍ଟ ଉପରେ ପୂର୍ତ୍ତ ବିଭାଗ କର୍ତ୍ତୃପକ୍ଷଙ୍କ କେମିତି ନଜର ପଡିପାରୁ ନାହିଁ ବୋଲି ସାଧାରଣରେ ଆଲୋଚନା ହେଉଅଛି । ଯଦି ଗୋଟିଏ ନୂଆଯାତ୍ରୀ ନ ଜାଣି ବିପରୀତ ଦିଗରୁ ଆସୁଥିବା ଗାଡିକୁ ବାଟ ଦିଏ ତେବେ ନିଶ୍ଚୟ ସେ ଏହି ପୁରୁଣା ଦଦରା ତଥା ଧସିଥିବା ସ୍ଥାନରେ ଗଳିଯିବ । ଏହି ଧସିଥିବା କଲଭର୍ଟରେ ଅନେକ ଥର ଛୋଟବଡ ଦୁର୍ଘଟଣା ଘଟିଥିଲେ ହେଁ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ନିକ୍ଷେପ ନାହିଁ । ଏତଦବ୍ୟତୀତ ଏହି କଲଭର୍ଟ ଉପରେ କୁଢ କୁଢ ଅଳିଆ ଆବର୍ଜନା ଜମି ରହୁଛି । ଧସିଥିବା ସ୍ଥାନରେ ମଧ୍ୟ ଏହି ଅଳିଆ ଜମୁଛି । ଯଦି କେହି ଅଜାଣତରେ ଅଳିଆ ପଡିଛି ବୋଲି ଗାଡି ନେଇଯାଏ ନଚେତ ପଥଚାରୀ ପାଦ ପକାଇଦିଅନ୍ତି ତେବେ ସେ ନିଶ୍ଟିତ ମୃତ୍ୟୁମୁଖରେ ପଡିବେ । ଅତିଶୀଘ୍ର ଏହି କଲଭର୍ଟକୁ ଭଙ୍ଗାଯାଇ ନୂତନ କଲଭର୍ଟ ନିର୍ମାଣ ଓ ଅଳିଆ ଆବର୍ଜନା ହଟାଇବାପାଇଁ ସାଧାରଣରେ ଦାବି ହୋଇଛି ।


