କାଶୀନଗର ବ୍ଲକରେ ବଢୁଛି ପଞ୍ଚାୟତ ନିର୍ବାଚନୀ ଉଷ୍ମତା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଆଗାମୀ ଫେବୃଆରୀରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସରକାର ପ୍ରସ୍ତୁତ ହେଉଛନ୍ତି । ଚଳିତ ମାସ ୩୦ ତାରିଖ ସୁଦ୍ଧା ସଂରକ୍ଷଣ କାର୍ଯ୍ୟ ସାରିବା ସକାଶେ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଚୂଡାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇବା ପରେ ଚିତ୍ର ସ୍ପଷ୍ଟ ହେବାକୁ ଥିବା ବେଳେ କାଶୀନଗର ବ୍ଲକରେ କ୍ରମଶଃ ବଢୁଛି ନିର୍ବାଚନୀ ଉଷ୍ଣତା । ବିଭିନ୍ନ ଦଳ ପକ୍ଷରୁ ଜନ ସଂପର୍କ ବଢାଇବା କାମ ଆରମ୍ଭ ହୋଇଛି ପ୍ରାୟ ସୁପ୍ତ ଅବସ୍ଥାରେ ଥିବା କଂଗ୍ରେସ ନିକଟ ଅତୀତରେ ବଡ ଧରଣ ଶୋଭାଯାତ୍ରା ଓ ସଭା କରିବା ସହ, ନେରେଡି ବ୍ୟାରେଜ୍ ସମସ୍ୟାର ସମାଧାନ କ୍ଷେତ୍ରରେ ସରକାର ବିଫଳ ହୋଇଛନ୍ତି ବୋଲି ବାର୍ତ୍ତା ପହଞ୍ଚାଇଛି ଲୋକଙ୍କ ନିକଟରେ । ଶାସକ ବିଜେଡିର ୨ ଜଣ ମନ୍ତ୍ରୀ କାଶୀନଗର ବ୍ଲକ ଓ ଏନ୍ଏସିରେ ୪ ଦିନ ଉପସ୍ଥିତ ରହି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍କେୱାଇ) କାର୍ଡ ହିତାଧିକାରୀମାନଙ୍କୁ ବାଣ୍ଟିବା ସହ, ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଲୋକଙ୍କ ସାଙ୍ଗରେ ପ୍ରତ୍ୟକ୍ଷ ସମ୍ପର୍କ ସ୍ଥାପନ କରିଛନ୍ତି । ପ୍ରତି ଓଡିଶାବାସୀଙ୍କ ଜୀବନ ନବୀନ ସରକାରଙ୍କ ପାଇଁ ମୂଲ୍ୟବାନ ଓ ବିଏସ୍କେୱାଇ କାର୍ଡ କିପରି ସେ ଭାବନାର ପ୍ରତିନିଧିତ୍ୱ କରୁଛି ତାହା ବୁଝାଇଛନ୍ତି ଲୋକଙ୍କୁ । ବିଜେପି ତରଫରୁ କିନ୍ତୁ ସେମିତି କିଛି ଆଖି ଦୃଶିଆ କାର୍ଯ୍ୟକ୍ରମ ହୋଇ ନାହିଁ । ରାଜ୍ୟ ଉପସଭାପତିଙ୍କ ନେରେଡି ଅଞ୍ଚଳ ପରିଦର୍ଶନ ଓ ତାକୁ ନେ ସେ କରିଥିବା ସାମ୍ବାଦିକ ସମ୍ମିଳନୀ ପରେ ଦଳ ପ୍ରାୟ ନୀରବ ରହିଛି । ତେବେ ପାରଳାଖେମୁଣ୍ଡି ବିଧାୟକ ବିଜେପିର ହୋଇଥିବା ଯୋଗୁଁ, ବ୍ଲକରେ ଦଳର ସ୍ଥିତ ନିହାତି ଦୁର୍ବଳ ବୋଲି କୁହାଯାଇ ପାରିବନି ବୋଲି ମତ ପ୍ରକାଶ ପାଇଛି କେତେକ ମହଲରେ । ବାମପନ୍ଥୀ ଦଳ ଓ ସଂଗଠନ ଗୁଡିକ ପ୍ରତି ବ୍ଲକର କିଛି ଅଞ୍ଚଚଳରେ ଜନ ସମର୍ଥନ ରହିଛି । ତେବେ ନିର୍ବାଚନ ଲଢି କ୍ଷମତାକୁ ଆସିବା ସେମାନଙ୍କ ପକ୍ଷେ ସହଜ ହେବ ନାହିଁ ବୋଲି ବହୁ ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି । ସେମାନେ ବି କହିଛନ୍ତି ଯେ, ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ କୌଣସି ନିର୍ବାଚନ ପୂର୍ବର ନିର୍ବାଚନା ଉଷ୍ମତା ସୃଷ୍ଟି ହେବା ସ୍ୱାଭାବିକ । କାଶୀନଗର ବ୍ଲକର ଭୋଟର୍ମାନେ କିନ୍ତୁ ବିବେକାନୁମୋଦିତ ଭୋଟ୍ ଦେବା ଉଚିତ୍ । କେଉଁ ଦଳ ନିର୍ବାଚନ ଜଣି କ୍ଷମତାକୁ ଆସିବ, ଆଗରୁ କହିବା କଷ୍ଟକର । ତେବେ ସବୁରାଜନୈତିକ ଦଳକୁ ଦେଖିଲେ ବର୍ତ୍ତମାନ ବିଜେଡିର ପଲା ଭାରିଥିବା ଭଳି ଜଣାପଡୁଛି ।


