ଛତ୍ରପୁର ତ୍ରାହି ଅଚ୍ୟୁତ୍ ଆଶ୍ରମ ଜମି କେଳେଙ୍କାରୀ ମାମଲା…
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ୍) : ଛତ୍ରପୁର ତ୍ରାହି ଅଚ୍ୟୁତ ଆଶ୍ରମ ଜମି କେଳେଙ୍କାରୀ ମାମଲାରେ ଅଭିଯୁକ୍ତ ତଥା ତ୍ରାହି ଅଚ୍ୟୁତ ଆଶ୍ରମର ମୁଖ୍ୟ ସୁରବାବା ଓରଫ୍ ସୁରେନ୍ଦ୍ର ନାଥ ମିଶ୍ର ଓ ତାଙ୍କରି ପୁଅ ତ୍ରିଲୋଚନ ମିଶ୍ର ଆଜି କୋର୍ଟରେ ଅନୁପସ୍ଥିତ ରହିବାରୁ ଚାର୍ଜଫ୍ରେମ୍ ହୋଇପାରି ନାହିଁ । ସେହିପରି ଅଭିଯୋଗକାରୀ ବ୍ରହ୍ମପୁର ଧର୍ମନଗରର ମୋଚିରାମ ସାହୁ ଓ ଅଭିଯୁକ୍ତଙ୍କ ପକ୍ଷରୁ ଗଲାମାସ ୧ ତାରିଖରେ ଦାଖଲ ହୋଇଥିବା ରାଜିନାମା ପତ୍ରର ମଧ୍ୟ ଶୁଣାଣି ହୋଇପାରି ନାହିଁ । ଅଭିଯୁକ୍ତଙ୍କ ବିରୋଧରେ ଏସ୍.ଟି ୨୫୮/୨୦୧୫ ମାମଲା ଛତ୍ରପୁର ଏସ୍ଡିଜେଏମ୍ କୋର୍ଟରେ ବିଚାରଣା ଚାଲୁ ରହିଅଛି । ଏହି ମାମଲାକୁ ଚାଲେଞ୍ଜ୍ କରି ଅଭିଯୁକ୍ତଙ୍କ ପକ୍ଷରୁ ମାନ୍ୟବର ଉଚ୍ଚନ୍ୟାୟଳୟଙ୍କ ଠାରେ ଏକ ପିଟିସନ୍ ଦାଖଲ କରିଛନ୍ତି । ସିଆର୍ଏଲ୍, ଏମ୍ସି ୨୩୪୫/୨୦୧୯ ନମ୍ବର ପିଟିସନ୍ ଉଚ୍ଚ ନ୍ୟାୟଳଙ୍କ ଠାରେ ବିଚାରଧୀନ ରହିଛି । ଏହି ବାବଦରେ ମାନ୍ୟବର ଉଚ୍ଚନ୍ୟାୟଳୟ ପକ୍ଷରୁ ଅନ୍ତରୀଣ ରିହାତିଦେଶ କିମ୍ବା କୌଣସି ବିଚାରଣା ହୋଇନାହିଁ । ଉଚ୍ଚ ନ୍ୟାୟଳୟଙ୍କ ପକ୍ଷରୁ ଉପରୋକ୍ତ ମାମଲା ସମ୍ବନ୍ଧୀୟ କୌଣସି ବିଚାରଣା ନ ହେଲା ପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ ଚାର୍ଜଫ୍ରେମ୍ ଓ ରାଜାନାମା ପତ୍ର ଉପରେ ଶୁଣାଣି ନିମନ୍ତେ ଚଳିତ ମାସ ୨୬ ତାରିଖ ପାଇଁ ଏସ୍ଡିଜେଏମ୍ ସନ୍ତୋଷ କୁମାର ପାଣିଗ୍ରାହୀ ସମୟ ଧାର୍ଯ୍ୟ କରିଛନ୍ତି । ଅନ୍ୟପକ୍ଷରେ କ୍ରାଇମ୍ବ୍ରାଞ୍ଚ ଡିଏସ୍ପି ବିକାଶ ବେହୁରା ଏସମସ୍ତ ବିଷୟ ପରେ ଅବଗତ ହେବା ପରେ ଏହି ମାମଲା ପରିଚାଳନା ନିମନ୍ତେ କ୍ରାଇମବ୍ରାଞ୍ଚ ନିଯୁକ୍ତ ଦେଇଥିବା ଛତ୍ରପୁର ଏସ୍ଡିଜେଏମ୍ କୋର୍ଟ କ୍ୟାଡର ଏପିପି ରାଜେଶ କୁମାର ମିଶ୍ରଙ୍କୁ ସୂଚନା ଦେଇଥିଲେ । ଏସ୍ଡିଜେଏମ୍ କୋର୍ଟରେ ଅଭିଯୋଗକାରୀ ବ୍ରହ୍ମପୁର ଧର୍ମନଗରର ମୋଚିରାମ ସାହୁ ଓ ଅଭିଯୁକ୍ତଙ୍କ ପକ୍ଷରୁ ଦାଖଲ ହୋଇଥିବା ରାଜିନାମା ପତ୍ର ଶୁଣାଣିକୁ ଖାରଜ ନିମନ୍ତେ ପିଟିସନ୍ ଦାଖଲ କରିବାକୁ କୁହାଯାଇଛି । ଅଭିଯୋଗକାରୀ ମୋଚିରାମ ସାହୁଙ୍କ ଜମି ହଡପ ନେଇ ଅଭିଯୁକ୍ତଙ୍କ ବିରୁଦ୍ଧରେ ଏତଲା କ୍ରମେ ଛତ୍ରପୁର ଏସ୍ଡିଜେଏମ୍ କୋର୍ଟରେ ୨୦୧୬ ମସିହା ଫେବୃୟାରୀ ୨ ତାରିଖ ଠାରୁ ମାମଲା ବିଚାରଧୀନ ରହିଥିଲା । ଏହା ମଧ୍ୟରେ ଅଭିଯୋଗକାରୀ ଓ ଅଭିଯୁକ୍ତଙ୍କ ପକ୍ଷରୁ ହଡପ ହୋଇଥିବା ଜମି ଫେରାଇବା ନିମନ୍ତେ ଛତ୍ରପୁର ସିନିୟର ସିଭିଲ କୋର୍ଟରେ ଏକ ରାଜିନାମା ପତ୍ର ଦାଖଲ ହୋଇଥିଲା । ୨୦୧୮ ମସିହା ଜୁଲାଇ ମାସରେ ମାନ୍ୟବର ବିଚାରପତି ଉଭୟଙ୍କ ରାଜିନାମା ପତ୍ରକୁ ଗ୍ରହଣ କରିଥିଲେ । କିନ୍ତୁ ଏସ୍ଡିଜେଏମ୍ କୋର୍ଟରେ ଏହି ଘଟଣାର କ୍ରିମିନାଲ ମାମଲା ବିଚାରଧୀନ ରହିଛି । ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଯେଉଁ ଜମି ହଡପ ଅଭିଯୋଗ ମାମଲା ରହିଥିଲା ତାହାକୁ ସତ୍ୟତା ପ୍ରମାଣ କରି ନିଜ ଦୋଷକୁ ନିଜେ ସ୍ୱୀକାର କରୁଥିବା ବିଷୟ ନେଇ କ୍ରାଇମ୍ବ୍ରାଞ୍ଚ ଅଭିଯୁକ୍ତଙ୍କ ବିରୁଦ୍ଧରେ ଏକ ପିଟିସନ୍ ଦାଖଲ କରିଛନ୍ତି ବୋଲି କ୍ୟାଡର ଏପିପି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି ।