ମହିଳାଙ୍କ ଆଶା ଓ ଭରସାର ପ୍ରତୀକ ବନ୍ଧୁ ସ୍ବେଛାସେବୀ ସଂଗଠନ
ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ଗ୍ରାମାଞ୍ଚଳ ମହିଳା ମାନଙ୍କୁ ଆର୍ଥିକ ଭାବେ ସ୍ୱାବଲମ୍ବୀ କରିବା ପାଇଁ ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ସରକାରଙ୍କ ଯାଏଁ ବିଭିନ୍ନ ଯୋଜନା ପ୍ରଣୟନ କରୁଥିବା ବେଳେ ବିଭିନ୍ନ ସ୍ବେଛାସେବୀ ସଂଗଠନ ଏଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ଦେଖାଯାଉଛି । ତନ୍ମଧ୍ୟରୁ ଭଣ୍ଡାରିପୋଖରୀ ବ୍ଲକ ସରସଦା ସ୍ଥିତ ବନ୍ଧୁ ସ୍ବେଛାସେବୀ ସଂଗଠନ ଅନ୍ୟତମ ଅଟେ। ଏହାର ପରିଚାଳନା ନିର୍ଦେଶକ ରମେଶ ଚନ୍ଦ୍ର ନାୟକଙ୍କ ବଳିଷ୍ଠ ନେତୃତ୍ୱ ଯୋଗୁ ଆଖପାଖ ଅଞ୍ଚଳରେ ଅନେକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ ହୋଇଥିବା ବେଳେ ଅନେକ ଏବେ ଆର୍ଥିକ ଭାବେ ଆତ୍ମ ନିର୍ଭରଶୀଳ ହୋଇପାରିଛନ୍ତି । ଶ୍ରୀ ନାୟକ ୨୦୦୩ ମସିହାରେ ସଂଗଠନ ଆରମ୍ଭ କରିଥିବା ବେଳେ ଦକ୍ଷିଣବାଡ଼, ପାଟୁଳି, ସରସଦା, ରହଣିଆ, ମାଳଦା, ରାମଚନ୍ଦ୍ରପୁର ପ୍ରମୁଖ ଅଂଚଳରେ ୫ଶହରୁ ଅଧିକ ଏସଏଚଜି ଗଠନ କରିଥିଲେ । ସେ ଉଚ୍ଚ ଶିକ୍ଷିତ ହୋଇ ସୁଦ୍ଧା ମହିଳାମାନଙ୍କ ଆର୍ଥିକ ବିକାଶ ଦିଗରେ କାର୍ଯ୍ୟ କରି ଆଜି ଉଚ୍ଚ ପ୍ରଶଂସିତ ହୋଇପାରିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଶ୍ରୀ ନାୟକଙ୍କ ନେତୃତ୍ୱରେ ଏବେ ବନ୍ଧୁ ସ୍ବେଛାସେବୀ ସଂଗଠନ ଜରିଆରେ ଅଗରବତୀ କାରଖାନା ପ୍ରତିଷ୍ଠା ହୋଇଥିବା ବେଳେ ସେଥିରେ ଅନେକ ମହିଳା ନିଯୁକ୍ତି ପାଇବେ ବୋଲି ସୂଚନା ମିଳିଛି। ସେ ଯାହାବି ହେଉ ଏବେ ପରସ୍ପର ସ୍ୱାର୍ଥ ହାସଲ ପାଇଁ ସମସ୍ତେ ପ୍ରତିଯୋଗିତା କରୁଥିବା ବେଳେ ବନ୍ଧୁ ସ୍ବେଛାସେବୀ ସଂଗଠନ ନିର୍ଦେଶକ ରମେଶଙ୍କ ଭଳି ଅତି କମ ବ୍ୟକ୍ତି ସ୍ବେଚ୍ଛାକୃତ ଭାବେ କାମ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।