କେନ୍ଦ୍ରାପଡ଼ା ମହାବିଦ୍ୟାଳୟରେ ଋଷ ଦେଶର ଟ୍ୟାଙ୍କ୍‌

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟକୁ ଆସିଛି ୧୯୭୧ ମସିହାରେ ଭାରତ ପାକିସ୍ତାନ ଯୁଦ୍ଧରେ ବ୍ୟବହୃତ ହୋଇଥିବା ଋଷ ଦେଶର ଟ୍ୟାଙ୍କ୍ ଟି-୫୫ । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଦେଶପ୍ରେମର ଭାବ ଜାଗ୍ରତ କରିବା ପାଇଁ ଟ୍ୟାଙ୍କକୁ ଏଠାକୁ ଅଣାଯାଇଛି । ସେହିପରି ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ(ଏନ୍‌ସିସି)ର କ୍ୟାଡେଟ୍‌ଙ୍କ ସମେତ ଅନ୍ୟ ଛାତ୍ରଛାତ୍ରୀମାନେ ସେନାରେ ଯୋଗଦେବା ପାଇଁ ଏହି ଟ୍ୟାଙ୍କ ସେମାନଙ୍କୁ ଉତ୍ସାହିତ କରିପାରିବ । ପୂର୍ବତନ ସେନା ମୁଖ୍ୟ ତଥା ବର୍ତ୍ତମାନର ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାୱତଙ୍କ ଅନୁମୋଦନ କ୍ରମେ ଏହି ଟ୍ୟାଙ୍କକୁ ଏଠାକୁ ଅଣାଯାଇଛି । ଏହି ଟ୍ୟାଙ୍କର ଓଜନ ୩୭ ଟନ୍ ରହିଛି, ଏହାର ଲମ୍ବ ୩୬ ଫୁଟ୍ ୬ ଇଞ୍ଚ, ୧୦ ଫୁଟ୍ ୮ ଇଞ୍ଚ ହେଉଛି ଚଉଡା ଓ ୯ ଫୁଟ୍ ହେଉଛି ଏହାର ଉଚ୍ଚତା । ଏହି ଟ୍ୟାଙ୍କ୍‌ଟି ପାକ ସେନା ବିରୋଧରେ ଲଢେଇ କରି ଭାରତକୁ ବିଜୟୀ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲା । ପୁଣେ ଠାରେ ଥିବା ସେନା ବାହିନୀ କାର୍ଯ୍ୟାଳୟରେ ଏହା ୧୯୭୧ ମସିହା ଭାରତ ପାକିସ୍ତାନ ଯୁଦ୍ଧ ପରେ ରହିଥିଲା । ସେଠାରୁ ଗତ ୧୧ ତାରିଖରେ ଲୋଡ ହୋଇ ଶନିବାର କେନ୍ଦ୍ରାପଡ଼ାରେ ପହଞ୍ଚିଥିଲା । ଏହାକୁ ଯୁଦ୍ଧ ଟ୍ରଫି ଭାବେ କେନ୍ଦ୍ରାପଡ଼ା ମହାବିଦ୍ୟାଳୟକୁ ପ୍ରଦାନ କରାଯାଇଛି । ଏଥିପାଇଁ କେନ୍ଦ୍ରାପଡ଼ା ମହାବିଦ୍ୟାଳୟ ପକ୍ଷରୁ ଏକ ଲକ୍ଷ ୧୪ ହଜାର ଟଙ୍କା ପୈଠ କରାଯାଇଛି । ଏଥିସହ ପରିବହନ ଖର୍ଚ୍ଚ ମଧ୍ୟ କଲେଜ ବହନ କରିଛି । କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ ଗଣମାଧ୍ୟମକୁ କହିଛନ୍ତି ଯେ ଆମ ମହାବିଦ୍ୟାଳୟର କେତେକ ପୂର୍ବତନ ଛାତ୍ର ସେନାବାହିନୀରେ ଅଛନ୍ତି । ଏହି ଟ୍ୟାଙ୍କ୍ କେନ୍ଦ୍ରାପଡ଼ା ମହାବିଦ୍ୟାଳୟକୁ ଆସିବାରେ ସେମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ । ଏହି ଟ୍ୟାଙ୍କ ଏଠାକୁ ଅଣାଯିବା ପାଇଁଁ କଲେଜ ପକ୍ଷରୁ ବିଧିବଦ୍ଧ ଭାବେ ସେନା ମନ୍ତ୍ରଣାଳୟକୁ ନିବେଦନ କରାଯାଇଥିଲା । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଦେଶପ୍ରେମ ଭାବ ବୃଦ୍ଧି କରିବା ସହିତ ସେନାବାହିନୀରେ ଯୋଗଦେବା ପାଇଁ ଏହି ଟ୍ୟାଙ୍କ୍ ସେମାନଙ୍କୁ ପ୍ରେରଣା ଯୋଗାଇବ ବୋଲି କଲେଜ ଅଧ୍ୟକ୍ଷ ଡଃ. ତ୍ରିପାଠୀ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ