ବିଦ୍ୟୁତ ବିଭାଗର ନାହିଁ ତଦାରଖ ଦିନ ତମାମ ଜଳୁଛି ଷ୍ଟ୍ରିଟ ଲାଇଟ
ନାଉଗାଁ, (ଓ୍ବାଇଏନ୍ଏସ୍) : ଗାଁ ଓ ବଜାର ଗୁଡିକୁ ଆଲୋକୀକରଣ କରିବା ପାଇଁ ଓଡିଶା ସରକାରଙ୍କ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ବିଦ୍ୟୁତ ଖୁଂଟ ଗୁଡିକରେ ଷ୍ଟ୍ରିଟ ଲାଇଟ ଲଗାଯାଉଛି । କିନ୍ତୁ ଉକ୍ତ ଲାଇଟି ଗୁଡିକ ଦିନ ତମାମ ଜଳୁଥିଲେ ମଧ୍ୟ କେହି ଲିଭାଉ ନଥିବା ଦେଖିବାକୁ ମିଳୁଛି । ଉକ୍ତ ଲାଇଟି ବ୍ୟବହାର ପାଇଁ ବିଦ୍ୟୁତ ବିଭାଗ ବିଲ୍ ନେଉଛି କି ନାହିଁ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଗୋଟିଏ ପଟେ ବିଦ୍ୟୁତ ବିତରଣ ଦାୟିତ୍ୱ ଟାଟା ପାୱାର ନେଲା ପରଠାରୁ ଦିନକୁ ଦିନ ବିଦ୍ୟୁତ ଉପଭୋକ୍ତାଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗି ରହିଛି । ଅନ୍ୟପଟରେ ସରକାରଙ୍କ ରାଜକୋଷରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ବିଦ୍ୟୁତ ଖୁଂଟରେ ଷ୍ଟ୍ରିଟ ଲାଇଟ ଗୁଡିକ ଲଗାଯାଇ ଦିନ ତମାମ ଜଳୁଥିଲେ ମଧ୍ୟ ବିଦ୍ୟୁତ ବିଭାଗ କ’ଣ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ତାହା ସାଧାରଣରେ ବିସ୍ମୟ ସୃଷ୍ଟି କରିଛି । ବିଶେଷ ସୂତ୍ରରୁ ଜଣାଯାଇଛି ପଂଚାୟତ କାର୍ଯ୍ୟାଳୟ ପକ୍ଷରୁ ଷ୍ଟ୍ରିଟ ଲାଇଟ ଗୁଡିକ ଲଗାଯିବା ପାଇଁ ଅର୍ଥ ବ୍ୟୟ ବରାଦ କରାଯାଉଛି । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ଉକ୍ତ ପ୍ରକଳ୍ପ ମଂଜୁରୀ ପାଇବା ପରେ ଦାୟିତ୍ୱରେ ଥିବା ସଂପୃକ୍ତ ଠିକାଦାରଙ୍କୁ ଉକ୍ତ ଲାଇଟ ଗୁଡିକ ଲଗାଇବା ପାଇଁ ଦାୟିତ୍ୱ ପ୍ରଦାନ କରାଯାଉଛି । ସଂପୃକ୍ତ ଠିକଦାରଙ୍କୁ ପଂଚାୟତ ପକ୍ଷରୁ ଅର୍ଥ ପ୍ରଦାନ କରାଯାଉଛି । ସଂପୃକ୍ତ ଠିକାଦାର ଷ୍ଟ୍ରିଟ ଲାଇଟ ଗୁଡିକୁ ଆଣି ବିଦ୍ୟୁତ ଖୁଂଟ ଲଗାଇବା ସହିତ ବିଦ୍ୟୁତ ସଂଯୋଗ ମଧ୍ୟ ଦେଉଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ସଂପୃକ୍ତ ଠିକାଦାରଙ୍କ ପକ୍ଷରୁ ବିଦ୍ୟୁତ ଖୁଂଟରେ ଉକ୍ତ ଲାଇଟି ଗୁଡିକ ଲଗାଇବା ବେଳେ କୌଣସି ବିଦ୍ୟୁତ ପ୍ରତିରୋଧକ ସାମଗ୍ରୀ ବ୍ୟବହାର କରୁ ନାହାନ୍ତି । ଯଦି ବିଦ୍ୟୁତ ସଂସ୍ପର୍ଶରେ ଆସି କୌଣସି ଅଘଟଣ ଘଟେ ଏଥିପାଇଁ କିଏ ଦାୟୀ ରହିବେ ବୋଲି ଜନସାଧାରଣଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅନ୍ୟପଟରେ ପଂଚାୟତ କାର୍ଯ୍ୟାଳୟ ପକ୍ଷରୁ ଆବଶ୍ୟକ କାଗଜପତ୍ର ବିଦ୍ୟୁତ ବିଭାଗ ନିକଟରେ ଦାଖଲ କରାଯିବା ପରେ ବିଦ୍ୟୁତ ଖୁଂଟରେ ଷ୍ଟ୍ରିଟ ଲାଇଟ ଲଗାଯାଇ ବିଦ୍ୟୁତ ବ୍ୟବହାର କରାଯିବା ପାଇଁ ନିୟମ ରହିଛି । କିନ୍ତୁ ଅଧିକାଂଶ ପଂଚାୟତ ପକ୍ଷରୁ କୌଣସି କାଗଜପତ୍ର ବିଦ୍ୟୁତ ବିଭାଗ ନିକଟରେ ଦାଖଲ କରାଯାଇନଥିବା ଜଣାଯାଇଛି । ଯଦି ବିଦ୍ୟୁତ ବିଭାଗ ପକ୍ଷରୁ ଉକ୍ତ ଲାଇଟି ଗୁଡିକରୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯାଏ । ତେବେ ସରକାରଙ୍କର ଲକ୍ଷାଧିକ ଟଙ୍କା ପାଣି ପଡିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଏ ସଂର୍ପକରେ ବିଭାଗୀୟ ଏସଡିଓ ଦେବଦତ ଉପାଧ୍ୟକ୍ଷଙ୍କୁ ପଚାରିବାରୁ ପ୍ରତି ପଂଚାୟତକୁ ବିଦ୍ୟୁତ ସଂଯୋଗ ନେବା ପାଇଁ ଆବଶ୍ୟକ କାଗଜପତ୍ର କାର୍ଯ୍ୟାଳୟରେ ଦାଖଲ କରିବା ପାଇଁ ସୂଚନା ଦିଆଯାଇଛି । ଯଦି ସେମାନେ ଦାଖଲ ନ କରନ୍ତି । ଲାଇଟି ଗୁଡିକରୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯିବ ବୋଲି କହିଛନ୍ତି ।


