୧୦୦କୋଟି ଟୀକାକରଣ ସଂପ୍ନନ, କରୋନା ଯୋଦ୍ଧାଙ୍କୁ ସ୍ବାଗତ ଜଣାଇଲା ଏଏସଆଇ
କୋଣାର୍କ, (ଗଣେଷ ବେହେରା):ଭାରତବର୍ଷରେ ୧୦୦କୋଟି କରୋନା ଟୀକାକରଣ ସଫଳ ରୂପାୟନ ନେଇ କେନ୍ଦ୍ର ସରକାରଙ୍କ ଏଏସଆଇ କର୍ତୃପକ୍ଷଙ୍କ ଦ୍ବାରା ବିଶ୍ବ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ କରୋନା ଯୋଦ୍ଧା ସମ୍ମାନାର୍ଥେ ଏକ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଖବରରୁ ପ୍ରକାଶ ଯେ ବିଶ୍ବ ମହାମାରୀ କରୋନାର ପ୍ରତିହତ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚାଲିଥିବା ଟୀକାକରଣ ୧୦୦କୋଟିରେ ପହଞ୍ଚିଛି। ଏହି ସଫଳତା ପାଇଁ କେନ୍ଦ୍ର ସରକାର ଏହି ଟୀକାକରଣରେ ସାମିଲ ଡାକ୍ତର, ନର୍ସ ଓ ସ୍ବାସ୍ଥ୍ୟ କର୍ମୀ ସମେତ କରୋନା ଯୋଦ୍ଧା ମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ ନିମନ୍ତେ ଭାରତ ବର୍ଷରେ ଥିବା ୧୦୦ଗୋଟି ଐତିହ୍ୟ ସ୍ଥଳୀ ଠାରେ କରୋନା ଯୋଦ୍ଧା ମାନଙ୍କ ନିମନ୍ତେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳନ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ବିଶ୍ବ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ସୁଶୋଭିତ ଆଲୋକ ମାଳା ମଧ୍ଯରେ ସଜାଇବା ସହ ଟୀକାକରଣ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ସଫଳତା ଓ କରୋନା ଯୋଦ୍ଧା ମାନଙ୍କ ନିଷ୍ଠାପର କାର୍ଯ୍ୟ ସଂପାଦନ ଏକ ପ୍ରୋଜେକ୍ଟର ମାଧ୍ୟମରେ ପ୍ରଦର୍ଶିତ ହୋଇଥିଲା। ଭାରତ ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପାଳିତ ହେଉଥିବା ଆଜାଦୀ କୀ ଅମୃତ ମହୋତ୍ସବ ମହାସମାରୋହରେ ସୂର୍ଯ୍ୟ ମନ୍ଦିର ମଧ୍ୟରେ ଆଯୋଜିତ ହୋଇଛି। ଏନେଇ ଐତିହ୍ୟ ସ୍ଥଳୀ ସୂର୍ଯ୍ୟ ମନ୍ଦିରର ଶୋଭାବର୍ଧନ ନିମନ୍ତେ ରଂଗ ବେରଂଗର ଆଲୋକ ବ୍ୟବସ୍ଥା ମନ୍ଦିରର ଶୋଭା କୁ ଦ୍ବିଗୁଣିତ କରୁଅଛି। ଏହି ଦୃଶ୍ୟ ଦେଖିବାକୁ ଓଡିଶା ତଥା ଓଡିଶାର ବାହାରୁ ହଜାର ହଜାର ସଂଖ୍ୟାରେ ପର୍ଯ୍ଯଟକ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବାକୁ ଆସୁଥିବା ଦେଖିବାକୁ ମିଳିଛି।


