ସମାଜସେବୀ ତଥା ରୋଟାରୀ କ୍ଳବ ସଭାପତିଙ୍କ ମାତୃ ବିୟୋଗ
ବେଲଗୁଣ୍ଠା, (ସନ୍ତୋଷ ବିଶୋୟୀ) : ବେଲଗୁଣ୍ଠାର ବିଶିଷ୍ଟ ସମାଜସେବୀ, ବରିଷ୍ଠ ବିଜେଡି ସଙ୍ଗଠକ ତଥା ଭଞ୍ଜନଗର ରୋଟାରୀ କ୍ଳବ ସଭାପତିଙ୍କ ମା ଭି.ସରୋଜିନୀ ପାତ୍ରଙ୍କ ବିୟୋଗ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା । ସେ ବେଲଗୁଣ୍ଠା ଅଞ୍ଚଳର ଜଣାଶୁଣା ନାଟ୍ୟକାର ତଥା ନିର୍ଦ୍ଦେଶକ ସ୍ୱର୍ଗତ ଭି.ବାସୁଦେବ ପାତ୍ରଙ୍କ ଧର୍ମପତ୍ନୀ ଥିଲେ । ସେ ଜଣେ ଧର୍ମପରାୟଣ,ପରୋପକାରୀ ମହିଳା ଥିଲେ । ତାଙ୍କ ମୃତ୍ୟୁ ବେଲଗୁଣ୍ଠା ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି । ସେ କିଛି ଦିନ ଧରି ହୃଦୟଜନିତ ରୋଗରେ ପିଡୀତ ଥିଲେ । ଗତକାଲି ଭୋର୍ ସମୟରେ ସେ ନିଜ ଜ୍ୟେଷ୍ଠ ପୁତ୍ର ଅବସରପ୍ରାପ୍ତ ବୈଜ୍ଞାନିକ ଭି.ଚିତ୍ତରଞ୍ଜନ ପାତ୍ରଙ୍କ ଭୁବନେଶ୍ୱର ବାସଭବନରେ ଶେଷନିଶ୍ୱାସ ତ୍ୟାଗ କରିଥିଲେ । ଶେଷଶଯ୍ୟା ନିକଟରେ ଜ୍ୟେଷ୍ଠ ପୁତ୍ର ଚିତ୍ତରଞ୍ଜନ, ମଧ୍ୟମ ପୁତ୍ର ଦେବୀ ପ୍ରସାଦ ଓ କନିଷ୍ଠ ପୁତ୍ର ରୁଦ୍ର ଙ୍କ ସମେତ ଝିଅ, ଜ୍ୱାଇଁ ବୋହୂ ଓ ନାତି ନାତୁଣୀ ଉପସ୍ଥିତ ଥିଲେ । ପୁରୀ ସ୍ୱର୍ଗ ଦ୍ୱାରରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ଜ୍ୟେଷ୍ଠ ପୁତ୍ର ଚିତ୍ତରଞ୍ଜନ ମୁଖାଗ୍ନି ଦେଇଥିଲେ । ତାଙ୍କ ମୃତ୍ୟୁରେ ବେଲଗୁଣ୍ଠା ପ୍ରେସ୍ କ୍ଳବ, ବିଜୁ ଜନତା ଦଳ, ରୋଟାରୀ କ୍ଳବ ଭଞ୍ଜନଗର ତଥା ବିଭିନ୍ନ ଅନୁଷ୍ଠାନ ତରଫରୁ ଗଭୀର ଶୋକବ୍ୟକ୍ତ କରାଯାଇଛି । ବେଲଗୁଣ୍ଠା ବାସଭବନରେ ତାଙ୍କ ଅନ୍ୟାନ୍ୟ କାର୍ଯ୍ୟକ୍ରମ କରାଯିବ ବୋଲି ତାଙ୍କ ପରିବାର ତରଫରୁ ସୂଚନା ମିଳିଛି ।


