କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ଇତିହାସ ସମ୍ମାନ ଶ୍ରେଣୀର ଆଲୋଚନା ଚକ୍ର

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ଇତିହାସ ସମ୍ମାନଶ୍ରେଣୀ ପକ୍ଷରୁ ମଙ୍ଗଳବାର “ଆଧୁନିକ ଭାରତ ନିର୍ମାଣ” ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ପ୍ରଫେସର ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ ଏହି ଆଲୋଚନାଚକ୍ରକୁ ଉଦଘାଟନ କରିଥିଲେ । ରେଭେନ୍ସା ବିଶ୍ୱବିଦ୍ୟାଳୟର ଆସୋସିଏଟ ପ୍ରଫେସର ଡଃ. ପ୍ରିୟଦର୍ଶୀ କରବିଷୟ ବିଶେଷଜ୍ଞ ଭାବେ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ସେ କହିଥିଲେ ଯେ ଆଧୁନିକ ଭାରତ ନିର୍ମାଣର ପ୍ରକ୍ରିୟା ପ୍ରଥମେ ଆଧୁନିକ ମଣିଷ ରାଜା ରାମମୋହନ ରାୟଙ୍କଠାରୁ ଆରମ୍ଭ କରି ମହାତ୍ମା ଗାନ୍ଧୀ ଓ ନେହେରୁଙ୍କ ପର୍ଯ୍ୟନ୍ତ ଅବ୍ୟାହତ ଥିଲା । ୧୮ଶହ ମସିହାରୁ ଆରମ୍ଭ କରି ୧୯୫୦ ମସିହା ପର୍ଯ୍ୟନ୍ତ ଏହି ଧାରା ଆମ ସାମାଜିକ, ଅର୍ଥନୈତିକ ଓ ବୌଦ୍ଧିକ ଜୀବନକୁ ମୌଳିକ ଭାବରେ ପ୍ରଭାବିତ ଓ
ପରିବର୍ତ୍ତିତ କରିଥିଲା । ବ୍ରିଟିଶ ଶାସନର ଔଜଲ୍ୟରେ ଭାରତର ମଧ୍ୟବିତ୍ତ ଶ୍ରେଣୀ ଏଥିରେ ଆକର୍ଷିତ ହୋଇ ଏହାର ସହଯୋଗୀ ପାଲଟିଥିଲେ । ଔପନିବେଶିକ ଶାସନର ଶୋଷଣରେ ଭାରତ ଭଳି ଏକ ସର୍ବସମ୍ପନ୍ନ ରାଷ୍ଟ୍ର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ହୋଇପଡିଥିଲା । ଯେଉଁ ମଧ୍ୟବିତ୍ତଶ୍ରେଣୀ ଶାସନର ସହଯୋଗୀ ଥିଲେ ସେମାନେ ବ୍ରିଟିଶ ଶାସନର ତୀବ୍ର ବିରୋଧି ପାଲଟିଥିଲେ । ଆନ୍ଦୋଳନର ଏହି ଧାରା ୧୮୫୭ମସିହାରୁ ଆରମ୍ଭ ହୋଇ ୧୯୪୭ ମସିହା ପର୍ଯ୍ୟନ୍ତ ଅବ୍ୟାହତ ଥିଲା । ବ୍ରିଟିଶ ଶାସନ ପ୍ରକାରାନ୍ତରେ ଆଧୁନିକ ଭାରତ ନିର୍ମାଣର କାରଣ ହୋଇଥିଲା । ଭାରତର ଭୌଗଳିକ ସଂହତିକୁ ସୁଦୃଢ କରିବାସହ ଆଧୁନିକ ସାଧନ ଯଥା ଟ୍ରେନ ଚଳାଚଳ, ଡାକ, ଶିକ୍ଷା, ବିଚାର ଓ ସାଂସ୍କୃତିକ ବିନିମୟ ଇତ୍ୟାଦି ଆଧୁନିକ ଭାରତ ନିର୍ମାଣର କାରଣ ହୋଇଥିଲା । ଏଥିରେ ରାଜା ରାମମୋହନ ରାୟ, ଦୟାନନ୍ଦ ସରସ୍ୱତୀ ଉଦାରପନ୍ଥୀ ଓ ଚରମପନ୍ଥୀ ନେତୃବୃନ୍ଦ, ବିବେକାନନ୍ଦ, ସୁଭାଷ ବୋଷ, ସାମ୍ୟବାଦୀ ଗୋଷ୍ଠୀ ଓ ମୁସଲିମ ସଂଗଠନ, ଆମ୍ବେଦକରଙ୍କ ସମେତ ସମସ୍ତ ନେତୃମଣ୍ଡଳୀଙ୍କ ଅବଦାନ ରହିଥିଲା । ଗାନ୍ଧିଜୀ ସମ୍ଭ୍ରାନ୍ତ ଓ ସାଧାରଣ ସମସ୍ତଙ୍କୁ ଏକତ୍ର କରି ଆଧୁନିକ ଭାରତର ପ୍ରାଣ ପ୍ରତିଷ୍ଠା କରିଥିଲେ । ଏହି ଆଲୋଚନା ଚକ୍ରରେ ଅତିଥି ପରିଚୟ ପ୍ରଦାନ କରିଥିଲେ ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ତପନ କୁମାର ପତି । ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ +୩ ର ଛାତ୍ରୀ ସାଇନା ସାମନ୍ତରାୟ । ଅଧ୍ୟାପିକା ଶ୍ରଦ୍ଧାଞ୍ଜଳୀ ନାୟକ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ । ଅଧ୍ୟାପକ ତୁଷାରକାନ୍ତି ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଆଲୋଚନା ଚକ୍ରରେ +୩ ଇତିହାସର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ