ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦୁର୍ନୀତି ନିବାରଣ ଶପଥ ପାଠ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଜିଲ୍ଲା ସଦ୍ଭାବନା ସଭାଗୃହରେ ଜିଲ୍ଲାପାଳ ଅମ୍ରିତ ଋତୁରାଜ ଜିଲ୍ଲା କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ଦୁର୍ନୀତି ନିବାରଣ ଶପଥ ପାଠ କରାଇଥିଲେ । ଶପଥ ଅନୁ୍ଯାୟୀ ସମସ୍ତ କର୍ମଚାରୀ ଓ ଅଧିକାରୀଗଣ ସେମାନଙ୍କର କର୍ତ୍ତବ୍ୟ ଓ କାର୍ଯ୍ୟଧାରାରେ ସାଧୁତା ଓ ସ୍ୱଚ୍ଛତା ବଜାୟ ରଖିବା ପାଇଁ ଅବିରତ ଉଦ୍ୟମ ଜାରି ରଖିବେ । ଦୁର୍ନୀତିର ମୂଳତ୍ପାଟନ ପାଇଁ ବିନା ଦ୍ୱିଧାରେ କାର୍ଯ୍ୟ କରିବେ । ସରକାରୀ ଅନୁଷ୍ଠାନର ଅଭିବୃଦ୍ଧି ଓ ସୁଖ୍ୟାତି ନିମନ୍ତେ ସର୍ବଦା ସତର୍କତା ଅବଲମ୍ବନ କରିବେ ଏବଂ ଲୋକମାନଙ୍କୁ ମୂଲ୍ୟବୋଧ ଭିତ୍ତିକ ସେବା ଯୋଗାଇଦେବେ । ବିବେକାନୁମୋଦିତ ଭାବେ କର୍ତ୍ତବ୍ୟ ସମ୍ପାଦନ କରିବା ସହ ବିନା ଭୟ ଓ ବିନା ଅନୁଗ୍ରହ ପ୍ରଦର୍ଶନ ପୂର୍ବକ କାର୍ଯ୍ୟକରିବା ପାଇଁ ଜିଲ୍ଲାପାଳ ଶ୍ରୀ ଋତୁରାଜ ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ଆହ୍ୱାନ ଦେଇଥିଲେ । ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ହେମନ୍ତ କୁମାର ନାୟକ ସ୍ୱାଗତ ଓ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଏହି ଶପଥ ପାଠୋତ୍ସବରେ ଅତିରିକ୍ତ ଜିଲ୍ଲାପାଳ ଦୁର୍ଗା ପ୍ରସାଦ ମହାରଣା, ଉପଜିଲ୍ଲାପାଳ ନିରଞ୍ଜନ ବେହେରାଙ୍କ ସମେତ ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଯୋଗଦେଇ ଦୁର୍ନୀତି ନିବାରଣ ନିମନ୍ତେ ଶପଥ ପାଠ କରିଥିଲେ ।