୧୬ରେ ଭବିଷ୍ୟନିଧି ପାଣ୍ଠି ପେନସନଭୋଗୀଙ୍କ ଗଣାଧାରଣା
ବାଲେଶ୍ୱର, (ସରୋଜ ପଣ୍ଡା) : ଭବିଷ୍ୟନିଧି ପାଣ୍ଠି ପେନସନଭୁକ୍ତ ଅବସରପ୍ରାପ୍ତ କର୍ମଚାରୀମାନେ ଆସନ୍ତା ନଭେମ୍ବର ୧୬ ତାରିଖରେ ବାଲେଶ୍ୱର ଜିଲପାଳଙ୍କ ଦପ୍ତର ସମ୍ମୁଖରେ ଗଣଧାରଣା ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ପରିପ୍ରେକ୍ଷୀରେ ମଲିକାଶପୁରସ୍ଥିତ ସ୍ୱର୍ଗତ ଅରୁଣ ଦେ ସ୍ମୃତି ପରିଷଦ ସଭାଗୃହରେ ଇଂ. ଅନାଦି ଚରଣ ବେହେରାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲା ସମ୍ପାଦକ ବିଷ୍ଣୁପ୍ରସାଦ ମହାନ୍ତି ପେନସନଭୋଗୀଙ୍କ ସମସ୍ୟା ଉପରେ ଆଲୋଚନା ସହ ମାସିକ ଭତ୍ତା ଏକହଜାରରୁ ୯ ହଜାର ଟଙ୍କାକୁ ବୃଦ୍ଧି କରିବା, ଉଚ୍ଚ ବେତନଭୋଗୀଙ୍କୁ ଆନୁପାତିକ ହାରରେ ଅଧିକ ପେନସନ ପ୍ରଦାନ କରିବା, ପେନସନ ସହ ମହଙ୍ଗା ଭତ୍ତା ଓ ସରକାରୀ ଚିକିତ୍ସା ବୀମାଭୁକ୍ତ କରିବାକୁ ଦାବି ଉପରେ ଆସନ୍ତା ନଭେମ୍ବର ୧୬ ତାରିଖ ଦିନ ଦେଶବ୍ୟାପୀ ପ୍ରତିବାଦ ଦିବସ ପାଳନ ହେଉଥିବାର ଜଣାଇଥିଲେ । ଭବିଷ୍ୟନିଧି ପାଣ୍ଠିରୁ ପେନସନ ପାଉଥିବା ଓ ଅବସରପରେ ଏହି ସଂସ୍ଥାରୁ ପେନସନ ପାଇବାକୁ ଥିବା କର୍ମଚାରୀମାନେ ଆସନ୍ତା ଗଣଧାରଣାରେ ଯୋଗଦେବାକୁ ଶ୍ରୀ ମହାନ୍ତି ନିବେଦନ କରିଥିଲେ । ଜିଲା କମିଟିର ଉପଦେଷ୍ଟା ଗୌରାଙ୍ଗ ପାଣିଗ୍ରାହୀ ସଂଗଠନର ସଭ୍ୟସଂଖ୍ୟା ବୃଦ୍ଧି ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଏହି ଆଲୋଚନାରେ ଭୂପତି ଭୂଷଣ ଦାସ, ଅରୁଣ କୁମାର କମିଳା, ଇଂ. ସୁଶୀଲ କୁମାର ବାରିକ, ହରିଶ୍ଚନ୍ଦ୍ର ସାହୁ, ଇଂ. ଉଜ୍ଜ୍ୱଳ କୁମାର ଚାନ୍ଦ, ଇଂ. କହ୍ନେଇଲାଲ ଚୌଧୁରୀ, ଦୁର୍ଯ୍ୟୋଧନ ରଣା, ସୁଧାଂଶୁ ବାଳା ମହାପାତ୍ର, ଯଦୁନାଥ ମହାପାତ୍ର, ଭୋଳାନାଥ ବେହେରା ଓ ଅଭିଜିତ ଦାସ ପ୍ରମୁଖ ଅଂଶ ଗ୍ରହଣ କରି କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଭବିଷ୍ୟନିଧି ପାଣ୍ଠି କର୍ତ୍ତୃପକ୍ଷଙ୍କ ଅବିଚାର ବିରୋଧରେ ପେନସନଭୋଗୀ ବ୍ୟାପକ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ପ୍ରସ୍ତାବ ଦେଇଥିଲେ । ଶ୍ୟାମସୁନ୍ଦର ଜେନା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।