ବର ବିନା ବି ହୁଏ ବିବାହ
ବିବାହ ହେଉଛି ସାତ ଜନ୍ମର ବନ୍ଧନ । ଏହି ବନ୍ଧନରେ ଉଭୟ ପୁରୁଷ, ନାରୀ ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମ ଲାଗି ପରସ୍ପର ସୁଃଖଦୁଃଖରେ ଭାଗୀ ହେବାକୁ କଥା ଦେଇଥାନ୍ତି । ହେଲେ ବିବାହ ବେଦିରେ ଯଦି କେବଳ କନିଆ ଥିବ, ଆଉ ବର ନ ଥିବ । ତାହା ହେଲେ କିପରି ହେବ ଏହି ବିବାହ । କ’ଣ ଏହାକୁ ମିଳିବ ସାମାଜିକ ସ୍ୱୀକୃତି ।ହଁ ବର ବିନା ବି ବିବାହ ସମ୍ଭବ । ଆଉ ଏପରି ବିବାହକୁ ବି ମିଳୁଛି ସାମାଜିକ ସ୍ୱୀକୃତି । ହେଲେ ଏପରି ଅଜବ ପରମ୍ପରା କେଉଁଠି ପ୍ରଚଳିତ ଜାଣିଛନ୍ତି । ରାଜସ୍ଥାନ ଉଦୟପୁରର ଏକ ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ ଏହି ପ୍ରଥା ବେଶ୍ ଲୋକପ୍ରିୟ । ଏଠାରେ ବିବାହରେ ବର ଜାଗାରେ ବରର ଅବିବାହିତା ଭଉଣୀ ବରଯାତ୍ରୀଙ୍କୁ ଧରି ରାଷଣୀ କରି ଜାକଜମକରେ ଯାଏ କନ୍ୟା ଘରକୁ । ଏହି ସମୟରେ ବର ନିଜ ଘରେ ମା’ ସହିତ ରହିଥାଏ । ସେଠାରେ ବରର ଭଉଣୀର ହିଁ କନିଆ ସହ ବିବାହ ସମ୍ପନ୍ନ ହୋଇଥାଏ । ଅଗ୍ନିକୁ ସାକ୍ଷୀ ରଖି ସେମାନେ ସାତ ଥର ତାହା ଚାରି ପଟେ ପ୍ରଦକ୍ଷଣ କରିଥାନ୍ତି । ଯିଏ ଏହି ପରମ୍ପରାକୁ ଭାଙ୍ଗିବାକୁ ଚେଷ୍ଟା କରେ ତାହାର କ୍ଷତି ସୁନିଶ୍ଚିତ ବୋଲି ଗ୍ରାମବାସୀଙ୍କର ବିଶ୍ୱାସ ରହିଛି । ଯେଉଁମାନେ ଏହାକୁ ଭାଙ୍ଗିବାକୁ ଚେଷ୍ଟା କରିଛନ୍ତି ସେମାନଙ୍କର ଅମଙ୍ଗଳ ହୋଇଛି ବୋଲି କହିଛନ୍ତି ଗ୍ରାମର ପୁରୁଖା ନେତା । ଅଧିକାଂଶ କ୍ଷେତ୍ରରେ ସେମାନଙ୍କ ବିବାହ ଭାଙ୍ଗିଯାଇଛି, ନଚେତ ଘରେ ନାନା ସମସ୍ୟା ଦେଖା ଦେଇଛି ।


