ପାରଳା ସହରରେ ବଢୁଛି ଟ୍ରାଫିକ ସମସ୍ୟା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ତଥା ଜିଲ୍ଲାର ଏକମାତ୍ର ପୌରାଞ୍ଚଳ ପାରଳାଖେମୁଣ୍ଡି ସହରରେ ଟ୍ରାଫିକ ସମସ୍ୟା ଦିନକୁ ଦିନ ବୃଦ୍ଧିପାଉଛି । ବିଶେଷ କରି ସନ୍ଧ୍ୟା ସମୟରେ ଏହି ଟ୍ରାଫିକ ବ୍ୟବସ୍ଥା ଏକ ପ୍ରକାର ବିପର୍ଯ୍ୟସ୍ଥ ହୋଇପଡୁଥିବାର ଦେଖିବାକୁ ମିଳୁଛି । ସହରର ଗଳିକନ୍ଦି ରାସ୍ତା ସାଙ୍ଗକୁ ଅଣ ଓସାରିଆ ମୁଖ୍ୟରାସ୍ତା ଯୋଗୁଁ ଏପରି ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି । ସହର ମଧ୍ୟ ଦେଇ ଯାଇଥିବା ମୁଖ୍ୟ ରାସ୍ତାର ପ୍ରଶସ୍ତିକରଣ କାମ ଆରମ୍ଭର କୌଣସି ନାମଗନ୍ଧ ନଥିବା ବେଳେ ଏହି ଅଣଓସାରିଆ ମୁଖ୍ୟରାସ୍ତାରେ ମନଇଛା ଗାଡି ପଶି ଟ୍ରାଫିକ ସମସ୍ୟା ସୃଷ୍ଟି କରୁଥିବାର ଦେଖିବାକୁ ମିଳୁଛି । ସେହିପରି ବ୍ୟବସାୟୀ ପ୍ରତିଷ୍ଠାନମାନଙ୍କରେ ପାର୍କିଂ ବ୍ୟବସ୍ଥା ନଥିବାରୁ ଲୋକେ ଗାଡିଗୁଡିକୁ ରାସ୍ତା କଡରେ ରଖି ଦେଉଛନ୍ତି । ଏହାସହ ସହରର ମୁଖ୍ୟରାସ୍ତାଗୁଡିକରେ ଖାଲଖମା ସୃଷ୍ଟି ହେବା ଆଦି ପ୍ରମୁଖ କାରଣ ରହିଥିଲେହେଁ କୌଣସି ପ୍ରଶାସନିକ ଦୃଷ୍ଟି ପଦକ୍ଷେପ ନଥିବାରୁ ଏପରି ସମସ୍ୟା ସୃଷ୍ଟି ହେଉଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଗୋଟିଏପଟେ ରାସ୍ତାଘାଟର ଉନ୍ନତି, ପାର୍କିଂ ସ୍ଥଳର ବ୍ୟବସ୍ଥା ତଥା ଟ୍ରାଫିକ ସମସ୍ୟାର ସମାଧାନ ନ କରି ବିଭିନ୍ନ ଯାନବାହନକୁ ଯାଞ୍ଚ କରି ବ୍ୟାପକ ପରିମାଣର ଜରିମାନା ଆଦାୟ କରାଯାଉଛି ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।


