କରସିଙ୍ଗିରେ ବୁଗୁଡା ଥାନା “ଆମ ପୋଲିସ ସମିତି” ବୈଠକ
ବୁଗୁଡ଼ା, (ଅନିଲ କୁମାର ମହାରଣା) : ବୁଗୁଡା ଥାନା “ଆମ ପୋଲିସ ସମିତି” ର ବୈଠକ କରସିଙ୍ଗି ଗ୍ରାମ ପଞ୍ଚାୟତର ସଭା ଗୃହରେ ଅକ୍ଟୋବର ୨୮ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି । ବୁଗୁଡା ପୋଲିସ ଥାନା ଆରକ୍ଷୀ ନିରୀକ୍ଷକ ଚିତ୍ତରଞ୍ଜନ ବେହେରାଙ୍କ ଅଧ୍ୟକ୍ଷତାରେ ଆମ ପୋଲିସ ସମିତି ର ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଗୁଣିଗାରେଡି, ଖଟବିଦ୍ୟା,ରୋଗ ଭଲ କରିବା ନାମରେ ଝାଡ଼ାଫୁଙ୍କା ପ୍ରଭୃତି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ବହୁ ସ୍ଥାନରେ ଜନସାଧାରଣ ଆଇନ ହାତକୁ ନେଉଥିବା ବେଳେ ଏଥିପାଇଁ ଜନସଚେତନତା ସୃଷ୍ଟି କରିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା । ଏତଦ୍ ବ୍ୟତୀତ ହେଲମେଟ ନପିନ୍ଧି ଦୁଇ ଚକିଆ ଯାନ ଚଳାଇବା, ମୋବାଇଲରେ କଥାହୋଇ ଗାଡି ଚଳାଚଳ କରିବା, ଗାଡିର ପରିବହନ ଶକ୍ତି ଠାରୁ ଅଧିକ ଲୋକ ବସିବା, ନାବାଳକ/ନାବାଳିକା ଙ୍କ ଗାଡି ଚାଳନା ପ୍ରଭୃତି ଯୋଗୁଁ ବହୁ ଦୁର୍ଘଟଣା ଘଟିବା ସମ୍ଭାବନା ଥିବା ଯୋଗୁଁ ସଡକ ସୁରକ୍ଷା ପାଇଁ ସଚେତନତା ଓ ଆଇନ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଠିକ କରାଗଲା । ଏଥିସହ ସାଇବର କ୍ରାଇମ ଉପରେ ପଦକ୍ଷେପ ଗ୍ରହଣ କରିବାକୁ ମତ ପ୍ରକାଶ ପାଇଥିଲା । ଏହି ବୈଠକରେ ଅତିରିକ୍ତ ଆରକ୍ଷୀ ନିରୀକ୍ଷିକା ଶର୍ମିଷ୍ଠା ପ୍ରଧାନ ଓ ଅନ୍ୟାନ୍ୟ ପୋଲିସ ଅଧିକାରୀ, ବିଶ୍ୱମୋହନ ମିଶ୍ର, ସୁରେଶ ଚନ୍ଦ୍ର ଦାଶ, ଖଲି ପରିଡା, ଗଙ୍ଗାଧର ସ୍ବାଇଁ ପ୍ରମୁଖଙ୍କ ସମେତ ଶତାଧିକ ସଦସ୍ୟ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।


