କୋଣାର୍କ କଳା ଓ ସାହିତ୍ୟ ଉତ୍ସବ ଉଦଘାଟିତ, ପ୍ରସ୍ତର ମୂର୍ତ୍ତି ଓ ସ୍ଥାପତ୍ୟରେ ଭରିରହିଛି ସାହିତ୍ୟ ପରିଭାଷା
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) : କୋଣାର୍କ ସ୍ଥିତ ଯାତ୍ରୀ ନିବାସ ବାଙ୍କୁଏଟ ହଲ ପରିସରରେ ଓଡ଼ିଆ ମିଡିଆ ଓ ପେନ ଇନ ବୁକସ ପ୍ରକାଶନୀ ସଂସ୍ଥା ପକ୍ଷରୁ ବିଶ୍ବ ପର୍ଯ୍ଯଟନ ସ୍ଥଳୀ କୋଣାର୍କ ଠାରେ ପ୍ରଥମ ବାର୍ଷିକ କୋଣାର୍କ କଳା ଓ ସାହିତ୍ୟ ଉତ୍ସବ ଉଦଘାଟିତ ହୋଇଯାଇଛି । ପେନ ଇନ ବୁକସ ପ୍ରକାଶନୀ ସଂସ୍ଥାର ମୁଖ୍ୟ କାର୍ଯ୍ୟନିର୍ବାହୀ ଶୁଭ୍ରାଂଶୁ ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ଅତିଥି ଭାବରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ ପଦ୍ମ ବିଭୂଷଣ ପ୍ରାପ୍ତ ସ୍ଥପତି ସୁଦର୍ଶନ ସାହୁ, ବିଶିଷ୍ଟ ସାହିତ୍ୟିକ ହରପ୍ରସାଦ ଦାଶ, ସୁଲେଖିକା ତଥା କାଦମ୍ବିନୀ ମିଡିଆର ପ୍ରାଣପ୍ରତିଷ୍ଠାତା ଡଃ ଇତିରାଣୀ ସାମନ୍ତ, ଯୋଗଦେଇ ସ୍ଥାପତ୍ୟ ଓ ଭାସ୍କର୍ଯ୍ୟ ମଧ୍ୟରେ ଲୁଚିରହିଛି ସାହିତ୍ୟର ଜୀବନ୍ତ ପରିଭାଷା । କଳା, ସାହିତ୍ୟ ଓ ସ୍ଥାପତ୍ୟ ପରସ୍ପର ପରିପୂରକ। ଶିଳ୍ପୀ ନିଜର ନିଖୁଣ ନିହାଣ ମୁନରେ ସାହିତ୍ୟର ପରିଭାଷା ଓ ମୂଲ୍ଯବୋଧର ଲୁକାୟିତ ସମାଜ ଚେତନା ଓ ଐଶ୍ୱରୀୟ ଚିନ୍ତା ଚେତନାର ଏକ ସାହିତ୍ୟନୁରାଗୀ ଏବଂ ବିକଶିତ ସମାଜ ଗଠନ ଦିଗରେ ଏକ ଯୁଗାନ୍ତକାରୀ ପଦକ୍ଷେପ ସଦୃଶ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଉଦଘୋଷକ ତଥା ପ୍ରାଧ୍ୟାପକ ଡ ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ । ଏହି ଉତ୍ସବରେ ବାଲୁକା ଶିଳ୍ପୀ ରଂଜନ ଗାଂଗୁଲି, ଶିଳ୍ପୀ ସରିତା ଗୋଛାୟତ ଓ ଶିଳ୍ପା ଗୋଛାୟତ ପ୍ରମୁଖଙ୍କ ଦ୍ବାରା କୋଣାର୍କର ଐତିହ୍ୟ ଓ ସଂସ୍କୃତିର ପରିଭାଷାକୁ ନେଇ ବାଲୁକା କଳା ପ୍ରଦର୍ଶିତ ହୋଇଥିଲା । ଏହି ଉଦଘାଟନୀ ଉତ୍ସବରେ କାରିଗର ମାନଙ୍କ ଦ୍ଵାରା ପଟ୍ଟଚିତ୍ର ଓ ବିଭିନ୍ନ ପ୍ରକାରର କାରିଗରୀ ଜ୍ଞାନ କୌଶଳର ସାମଗ୍ରୀ ମାନଙ୍କୁ ନେଇ ୧୨ଗୋଟି ଷ୍ଟଲ ପ୍ରଦର୍ଶିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ଓଡିଆ ମିଡିଆ ପ୍ରାଇଭେଟ ଲିମିଟେଡ ଓ ପେନ ଇନ ବୁକସ ପ୍ରକାଶନୀ ପକ୍ଷରୁ ପ୍ରକାଶିତ ବିଭିନ୍ନ ବିଶିଷ୍ଟ ସାହିତ୍ୟିକ ମାନଙ୍କ ଦ୍ଵାରା ରଚିତ ପୁସ୍ତକ ମାନଙ୍କୁ ନେଇ ଏକ ଷ୍ଟଲ ପ୍ରଦର୍ଶିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଓଡିଶୀନୃତ୍ୟ ଶିଳ୍ପୀ ମାନଙ୍କ ଦ୍ଵାରା ଓଡିଶାର ପାରମ୍ପରିକ ନୃତ୍ୟ ଓଡିଶୀ ପରିବେଷିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ସାମ୍ବାଦିକ ଭାଗୀରଥୀ ସ୍ୱାଇଁ, ବିଚିତ୍ର ମହାପାତ୍ର, ଗଣେଶ ଚନ୍ଦ୍ର ସାହୁ ପ୍ରମୁଖ ପରିଚାଳନା କରିଥିଲେ ।


