ମମିତାଙ୍କୁ ନ୍ୟାୟ ଦାବିରେ ପାରଳା ଥାନାରେ ଭାଜପାର ଏଫଆଇଆର୍
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ବହୁ ଚର୍ଚ୍ଚିତ ମମିତା ମେହାର ହତ୍ୟାକାଣ୍ଡରେ ସମ୍ପୃକ୍ତଙ୍କୁ ତୁରନ୍ତ ଗିରଫ ସହ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବା ଦାବିକୁ ନେଇ ଜିଲ୍ଲା ଭାଜପା ପକ୍ଷରୁ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଏକ ଏଫଆଇଆର୍ ରୁଜୁ କରିଥିବାର ଜଣାପଡିଛି । ଗଜପତି ଜିଲ୍ଲା ଭାଜପାର ସାଧାରଣ ସମ୍ପାଦିକା ଅରୁଣୀମା ସାହୁଙ୍କ ନେତୃତ୍ୱରେ ଭାଜପା ଉପସଭାପତି ଜଗନ୍ନାଥ ମହାପାତ୍ର, କେ.ଯୁବରାଜ, ଟି.ତୁଳସୀ, ଆଇଟି ସେଲ ସଭାପତି ଇ.ପ୍ରଶାନ୍ତ ପ୍ରମୁଖ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ପହଂଚି ଏଫ୍ଆଇଆର୍ ପ୍ରଦାନ କରିଛନ୍ତି । ସେମାନେ ଜଣାଇଛନ୍ତି ଯେ, ମମିତା ମହେରଙ୍କୁ ପ୍ରଥମେ ଅପହରଣ, ହତ୍ୟା କରି ତାଙ୍କ ଶରୀରକୁ ଖଣ୍ଡଖଣ୍ଡ କରି କାଟି ପୋଡି ପୋତି ଦେବା ଘଟଣା ଅମାନବିୟ ଅଟେ । ଏହି ଘଟଣାରେ ଗୋବିନ୍ଦ ସାହୁ ଗିରଫ ହୋଇଥିଲେ ମଧ୍ୟ ଘଟଣାରେ ସମ୍ପୃକ୍ତ ରାଜ୍ୟ ଗୃହରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ କାହିଁକି ଗିରଫ କରାଯାଇନାହିଁ । ହତ୍ୟାକାରୀ ଗୋବିନ୍ଦ ସାହୁଙ୍କ ସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସିଧାସଳଖ ସମ୍ପୃକ୍ତିରେ ହିଁ ଏହି ଜଘନ୍ୟ କାଣ୍ଡ ଘଟିଛି ବୋଲି ଅଭିଯୋଗ କରିଛନ୍ତି । ତେଣୁ ମନ୍ତ୍ରୀଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ସେମାନେ ଉଲ୍ଲେଖ କରିଛନ୍ତି । ଏହି ଏଫଆଇଆର୍ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କୁ ଭେଟି ପ୍ରଦାନ କରିଥିବାର ଜଣାପଡିଛି ।


