ମିନିବସ୍ ମାଲିକ ସଂଘର ସାଧାରଣ ବୈଠକ
ଛତ୍ରପୁର, (ଦେବଦତ୍ତ ମହାରଣା) : ଗଞ୍ଜାମ ଜିଲ୍ଲା ମିନିବସ୍ ମାଲିକ ସଂଘର ସାଧାରଣ ବୈଠକ ଛତ୍ରପୁର ସ୍ଥିତି ତାମ୍ପରା ଠାରେ ସଭାପତି ସନ୍ତୋଷ କୁମାର ପତିଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବ୍ରହ୍ମପୁର, ଛତ୍ରପୁର, ପୁରୀ, ଜହ୍ନିକୁଦା, ଖଲ୍ଲିକୋଟ, ପୁରୁଷୋତ୍ତମପୁର ଅଞ୍ଚଳର ପ୍ରାୟ ୭୦ରୁ ଅଧିକ ବସ୍ ମାଲିକ ଯୋଗଦେଇ ଜନସାଧାରଣଙ୍କୁ ବସ୍ରେ ଉତ୍ତମ ସେବା ଯୋଗାଇବା ନିମନ୍ତେ ଆଲୋଚନା କରାଯାଇଥିଲା । ହେଲେ ପ୍ରଶାସନର ଘରୋଇ ବସ୍ ପ୍ରତି ଯେଉଁ ଅଣଦେଖା କରୁଛନ୍ତି ସେଥିପ୍ରତି ସମସ୍ତ ମାଲିକମାନେ ଅସନ୍ତୋଷ ବ୍ୟକ୍ତି କରିଥିଲେ । ଗଞ୍ଜାମ ଜିଲ୍ଲାର ବିଭିନ୍ନ ରୁଟ୍ରେ ଚାଲୁଥିବା ସିଟିବସ୍ ଗୁଡିକର ଗତ ସେପ୍ଟେମ୍ବର ୩୦ ତାରିଖରୁ ଚୁକ୍ତିନାମା ଅବଧି ଶେଷ ହୋଇଛି । ପ୍ରଶାସନ ଜାଣତରେ ମଧ୍ୟ ଉକ୍ତ ସିଟିବସ୍ ଗୁଡିକ ବିନା ଚୁକ୍ତିନାମାରେ ବିଭିନ୍ନ ରୁଟ୍ରେ ଚଲପ୍ରଚଳ କରୁଛି । କିନ୍ତୁ ସିଟିବସ୍ ଗୁଡିକ ପ୍ରତି ପ୍ରଶାସନ ପକ୍ଷରୁ କିଛି କାର୍ଯ୍ୟାନୁଷ୍ଠାନ ନାହିଁ । ଏହାସହ ବିନା ପରିମିଟରେ ବହୁ ସଂଖ୍ୟକ ସିଟିବସ୍ ଚାଲୁଛି । ଘରୋଇ ବସ୍ ଗୁଡିକର ପରିମିଟ ମିଳିବାରେ ବର୍ଷ ବର୍ଷ ଲାଗୁଥିବା ବେଳେ ସିଟିବସ୍ ପରିମିଟି ମିଳିବାରେ ଶୀଘ୍ର ହେଉଛି । ଏଭଳି ପ୍ରଶାସନର ଟାଳଟୁଳ ନୀତିରେ ଘରୋଇ ବସ୍ ମାଲିକମାନେ ବହୁ ସମସ୍ୟା ମଧ୍ୟରେ ଗତି କରୁଛନ୍ତି । ଏଣୁ ପ୍ରଶାସନ ଏଦିଗରେ ସ୍ୱତନ୍ତ୍ର ଭାବେ ଧ୍ୟାନ ଦେବାକୁ ମାଲିକ ସଂଘର ଦାବି ରହିଛି । ସେହିପରି ତୈଳଦର ହ୍ରାସ ପାଇଥିବାରୁ ଜନସାଧାରଣ ବସ୍ରେ ଯାତ୍ରା ବେଳେ ଟିକେଟ୍ ଦର ମଧ୍ୟ ହ୍ରାସ କରିବା ପାଇଁ ବସ୍ ମାଲିକମାନେ ଆଲୋଚନା କରିଥିଲେ । ସେହିପରି ଜିଲ୍ଲା ପ୍ରଶାସନର ନିୟମକୁ କଡାକଡି ପାଳନ କରି ବସ୍ ଗୁଡିକ ଯାତ୍ରୀମାନଙ୍କୁ ପୂର୍ବ ଅପେକ୍ଷା ଆହୁରୀ ଅଧିକ ସେବା ଯୋଗାଇବା ପାଇଁ ବୈଠକରେ ଆଲୋଚନା ହୋଇଥିଲା । ବୈଠକରେ ସଂପାଦକ ସମୀର ମିଶ୍ର, କୋଷାଧ୍ୟକ୍ଷ ବିଜୟ କୁମାର ପଣ୍ଡା, ପ୍ରଶାନ୍ତ କୁମାର ସ୍ୱାଇଁ, ଅମିତ୍ ଦାସ, କାଳୁ ପଲେଇଙ୍କ ସମେତ ବହୁ ସଂଖ୍ୟକ ବସ୍ ମାଲିକମାନେ ଉପସ୍ଥିତ ଥିଲେ ।


