ବ୍ଲୁ ହୁଇଲ୍ ହସ୍ପିଟାଲ୍ରେ ବିଶ୍ୱ ମଧୁମେହ ଦିବସ ପାଳନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳସ୍ଥିତ ବ୍ଲୁ ହୁଇଲ ହସ୍ପିଟାଲ୍ ତରଫରୁ ବିଶ୍ୱ ମଧୁମେହ ଦିବସ ପାଳନ କରାଯାଇଛି । ଏହି ଉପଲକ୍ଷେ ହସ୍ପିଟାଲର କର୍ତ୍ତୃପକ୍ଷ ଏକ ମାଗଣା ଡ଼ାଇବେଟିସ୍ କ୍ୟାମ୍ପର ଆୟୋଜନ କରିଥିଲେ । ଏହାର ସୁଯୋଗ ନେଇ ଭୁବନେଶ୍ୱର ଉତ୍ତରାଞ୍ଚଳ ଅଞ୍ଚଳରୁ ଶତାଧିକ ଡ଼ାଇବେଟିସ୍ ରୋଗୀ ହସ୍ପିଟାଲରେ ପହଂଚି ଥିଲେ ଏବଂ ମାଗଣାରେ ନିଜର ରକ୍ତ ପରୀକ୍ଷା ଓ ଇସିଜି ଇତ୍ୟାଦି କରାଇ ବରିଷ୍ଠ ମଧୁମେହ ରୋଗ ବିଶେଷଜ୍ଞ ମାନଙ୍କର ପରାମର୍ଶ ନେଇଥିଲେ । ମିଳିତ ରାଷ୍ଟ୍ର ସଂଗଠନ (ୟୁ.ଏନ୍.ଓ) ଘୋଷଣା ଅନୁଯାୟୀ ଆଗାମୀ ୨ ବର୍ଷ ପାଇଁ ଏହି ଦିବସକୁ ‘ମଧୁମେହ ରୋଗର ଯତ୍ନର ସୁଯୋଗ ସମସ୍ତଙ୍କ ପାଖରେ ପହଞ୍ଚାଇବା’ ଉଦ୍ଦେଶ୍ୟରେ ପାଳନ କରାଯାଇଛି । ଏହି ବାର୍ତ୍ତାର ପ୍ରଚାର ଓ ପ୍ରସାର ଉଦ୍ଦେଶ୍ୟରେ ଏକ ଆଲୋଚନା ଚକ୍ର ହସ୍ପିଟାଲର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ ବରିଷ୍ଠ ଭେଷଜ ବିଶେଷଜ୍ଞ ଡ଼ାକ୍ତର ଅମିତାଭ ମହାନ୍ତି ଯୋଗ ଦେଇ ମଧୁମେହ ରୋଗର ଉତ୍ତମ ନିୟନ୍ତ୍ରଣ ଓ ଏହାର ସଂକଳନର ପ୍ରତିରୋଧ ଉପରେ ଆଲୋକପାତ କରି ରୋଗୀର ଦୈନନ୍ଦିନ ଜୀବନଶୈଳୀର ପରିବର୍ତ୍ତନ ଉପରେ ଗୁରୁତ୍ୱ ଦେଇଥିଲେ । ଏହି ଆଲୋଚନାରେ ଦୀର୍ଘ ଦିନରୁ ଡ଼ାଇବେଟିସ୍ ରୋଗରେ ପୀଡ଼ିତ ଥିବା ରୋଗୀମାନେ ମଧ୍ୟ ସେମାନଙ୍କର ସମସ୍ୟା ଉପରେ ବିଭିନ୍ନ ପ୍ରଶ୍ନ ପଚାରିଥିଲେ ଏବଂ ଦୀର୍ଘ ଏକ ଘଣ୍ଟା ଧରି ଡ଼ାକ୍ତର ମହାନ୍ତି ସରଳ ଭାବରେ ତାହାର ଉତ୍ତର ରଖିଥିଲେ । ଏହି କାର୍ଯ୍ୟକ୍ରମ ବହୁ ରୋଗୀଙ୍କୁ ଉପକୃତ କରିବ ବୋଲି ଆଶା କରାଯାଉଛି ।