ଆକ୍ସନ କମିଟିର ତଥ୍ୟାନୁସନ୍ଧାନ ପ୍ରାଥମିକ ରିପୋର୍ଟ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ବ୍ରହ୍ମଗିରି ଥାନା ଅନ୍ତର୍ଗତ ନାଥପୁର ଗ୍ରାମରେ ୪୮ଟି ଅନୁସୂଚିତ ଜାତି (ଦଳିତ) ପରିବାର ଉପରେ ହୋଇଥିବା ସଂଘବଦ୍ଧ ଆକ୍ରମଣ, ବୋମାମାଡ଼, ଲୁଟପାଟ ଓ ଗୃହଦାହ ଘଟରଣାର ସତ୍ୟାସତ୍ୟ ଓ ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିବା ଉଦ୍ଦେଶ୍ୟରେ ଏସ୍‌.ସି, ଏସ୍‌ଟି, ଓବିସି, ମାଇନରିଟି ଜଏଣ୍ଟ ଆକ୍ସନ କମିଟିର ଏକ ତଥ୍ୟାନୁସନ୍ଧାନ କମିଟି ଘଟଣାସ୍ଥଳକୁ ତା ୯.୧୧.୨୦୨୧ରିଖରେ ପରିଦର୍ଶନ କରିଛି ଓ ନିର୍ଯ୍ୟାତିତ ପରିବାର ଓ ପ୍ରଶାସନିକ ଅଧିକାରୀମାନଙ୍କ ସହ ଭେଟି ତଥ୍ୟ ସଂଗ୍ରହ କରିଛି । ଅନୁସନ୍ଧାନରୁ କମିଟିର ନିମ୍ନମତେ ହୃଦବୋଧ ହୋଇଛି ; ୪୮ଟି ଦଳିତ ପରିବାରର (ପ୍ରାୟ ୨୦୦ ଦଳିତ ବ୍ୟକ୍ତି) ଆଖପାଖ ୩୫ଟି ମୌଜାରେ ଜାତିବାଦୀ ମାନସିକତାର ତଥାକଥିତ ଉଚ୍ଚଜାତିର ସଂଘବଦ୍ଧ ଆକ୍ରମଣର ଶିକାର ହୋଇଛନ୍ତି । ଜାତିବାଦୀ ବ୍ୟକ୍ତିମାନେ ବନ୍ଧୁକ, ହାତବମ୍‌, ପେଟ୍ରୋଲ ବମ୍‌, ଠେଙ୍ଗାବାଡ଼ି, ଲୁହାଛଡ଼ ଆଦି ମାରଣାସ୍ତ୍ର ସହ ଆକ୍ରମଣ କରି ୨୩ ବଖରା ଚାଳ/ପଲିଥିନ୍ ଛପର ଘର ପୋଡ଼ି ଦେଇଛନ୍ତି ଓ ଏଥିରେ ଜଣେ ଦଳିତ ବ୍ୟକ୍ତି ଗୁରୁତର ଆହତ ହେବା ସହିତ ଅନ୍ୟ ୧୦ଜଣ ଆହତ ହୋଇଛନ୍ତି । କ୍ରମାଗତ ପ୍ରଶାସନିକ ଅବହେଳା ଓ ଜାତି ଆଧିପତ୍ୟ ଜାହିର କରିବା କାରଣରୁ ଏଭଳି ଭୟାବହ ଘଟଣା ଘଟିଲା ବୋଲି କମିଟି ହୃଦବୋଧ କରୁଛି, ଯାହାର କାରଣ ନିମ୍ନରେ ଉଲ୍ଲେଖ କରାଗଲା । ୨୦୧୨ ମସିହାରୁ ଏହି ଦଳିତମାନଙ୍କର ମୂଳଗ୍ରାମ କୃଷ୍ଣପ୍ରସାଦ ଥାନା ଅନ୍ତର୍ଗତ ମହିସା-ବରହମପୁର ଗ୍ରାମରେ, ସେହି ଗ୍ରାମର ସଂଖ୍ୟାଗରିଷ୍ଠ ଗୋଷ୍ଠିର ପାରମ୍ପରିକ ସେବା ପ୍ରଦାନ ନକରିବା କାରଣରୁ କନ୍ଦଳ ଲାଗି ରହିଥିଲା । ଏହି କନ୍ଦଳ ଗତ ଫେବୃୟାରୀ ମାସରେ ଏକ ଛୋଟ ଘଟଣାକୁ ନେଇ ତୀବ୍ର ରୂପ ଧାରଣ କରିଥିଲା । ସଂଖ୍ୟାଗରିଷ୍ଠ ଗୋଷ୍ଠି ଦ୍ୱାରା ଖାପ ପଞ୍ଚାୟତ ବସାଯାଇ ଏହି ୪୮ ପରିବାର ଉପରେ ସାମାଜିକ ବାସନ୍ଦ ଲାଗୁ କରାଯାଇଥିଲା ଓ ଖାଦ୍ୟ, ପାନୀୟ ସମେତ ଜୀବିକାର୍ଜନର ସମସ୍ତ ମାଧ୍ୟମକୁ ବନ୍ଦ କରିଦିଆ ଯାଇଥିଲା । ଏ ସମ୍ପର୍କରେ ପ୍ରଶାସନ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ ସମୟୋପଯୋଗୀ ଯଥାଯଥ ପଦକ୍ଷେପ ନିଆଯାଇ ନଥିଲା । ଫଳରେ ଏହି ୪୮ପରିବାର ମୂଳ ବାସସ୍ଥାନ ତ୍ୟାଗ କରି ନାଥପୁରଠାରେ ଅସ୍ଥାୟୀ ଭାବରେ ଆଶ୍ରୟ ନେବାକୁ ବାଧ୍ୟ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ