ସମ୍ଭାବ୍ୟ ବାତ୍ୟା ବୁଲବୁଲ ଓ ବର୍ଷା ନିମନ୍ତେ କେନ୍ଦ୍ରାପଡା ବ୍ଲକର ପ୍ରସ୍ତୁତି
କେନ୍ଦ୍ରାପଡା , (ଯୁଗାବ୍ଦ ନ୍ୟୁଜ) : ସମ୍ଭାବ୍ୟ ବୁଲବୁଲ ବାତ୍ୟା ଓ ତା’ର ପ୍ରଭାବରେ ହେବାକୁଥିବା ପ୍ରବଳ ବର୍ଷା ପ୍ରରିପେକ୍ଷୀରେ କେନ୍ଦ୍ରାପଡା ବ୍ଲକ ପକ୍ଷରୁ ପ୍ରତ୍ୟେକ ଗ୍ରାମପଂଚାୟତରେ ପଂଚାୟତ ନିର୍ବାହୀ ଅଧିକାରୀଙ୍କ ନେତୃତ୍ୱରେ ଗୋଟିଏ ଗୋଟିଏ ଟିମ ଗଠନ କରାଯାଇ ସେମାନଙ୍କ ଅଧିନରେ ସଂପୃକ୍ତ ପଂଚାୟତର ଜି.ଆର.ଏସ.ଙ୍କୁ ରଖାଯାଇଛି । ଏଥିସହିତ ବ୍ଲକର ସଂପ୍ରସାରଣ ଅଧିକାରୀମାନଙ୍କୁ ମଧ୍ୟ ନୋଡାଲ ଅଫିସର ଭାବରେ ନିଯୁକ୍ତି କରାଯିବା ସହ ସେମାନଙ୍କୁ ପଂଚାୟତ ଓ ବ୍ଲକ ସଦରମହକୁମା ସହିତ ଯୋଗାଯୋଗ ରକ୍ଷାକରି ଜରୁରୀ ସମୟରେ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦେଶ ଦିଆଯାଇଥିବା ବିଡିଓ ସୁଧର କୁମାର ସିଂ ସୂଚନା ଦେଇଛନ୍ତି । ଏହି ବ୍ଲକ ଅଧିନରେ କୈାଣସି ବାତ୍ୟା କିମ୍ବା ବନ୍ୟା ଆଶ୍ରୟସ୍ଥଳ ନଥିବାରୁ ବିଦ୍ୟାଳୟ ଗୁଡିକୁ ଅସ୍ଥାଇ ଆଶ୍ରୟସ୍ଥଳ ଭାବେ ରଖାଯାଇଥିବା ସୂଚନା ମିଳିଛି । ସେହିସବୁ ବିଦ୍ୟାଳୟ ଗୁଡିକର ପ୍ରଧାନଶିକ୍ଷକ ଏବଂ ସହକାରୀ ଶିକ୍ଷକ/ଶିକ୍ଷୟତ୍ରୀମାନଙ୍କୁ ସେଠାରେ ଉପସ୍ଥିତ ରହିବାକୁ ପରାମର୍ଶ ଦିଆଯାଇଥିବା ବିଡିଓ ଶ୍ରୀ ସିଂ ସୂଚନା ଦେଇଛନ୍ତି । ଏହାବ୍ୟତିତ ବ୍ଲକର ମାର୍କେଟିଂ ଇନିସପେକ୍ଟର ପ୍ରତ୍ୟେକ ଖାଉଟି ଡିଲରଙ୍କ ମାଧ୍ୟମରେ ଆବଶ୍ୟକ ସ୍ଥଳେ ଫ୍ରିକିଚେନ ନିମନ୍ତେ ଚାଉଳ ଯୋଗାଇଦେବାକୁ ନିର୍ଦେଶ ଦିଆଯାଇଛି । ଶୁଖିଲା ଖାଦ୍ୟ ଚୁଡା,ଗୁଡ ପ୍ରଭୃତି ଜିଲ୍ଲା ସଦର ମହକୁମାରୁ ଅଣାଯାଇ ଜରୁରୀ ଆବଶ୍ୟକ ସମୟରେ ପଂଚାୟତ ଗୁଡିକୁ ଯୋଗାଇଦିଆଯିବ ବୋଲି ବିଡିଓ କହିଛନ୍ତି । ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ ବ୍ଲକ ସଦର ମହକୁମାରେ ଉପସ୍ଥିତ ରହି ପ୍ରତି ଘଂଟାକୁ ଘଂଟା ପରିସ୍ଥିତିର ସମୀକ୍ଷା କରିବା ସହିତ ବିଡିଓଙ୍କ ସହିତ ଆଲୋଚନାକରି ଆବଶ୍ୟକ ବାତ୍ୟା ଓ ବର୍ଷା ପ୍ରସ୍ତୁତି ବ୍ୟବସ୍ଥାର ନିରୀକ୍ଷଣ କରୁଥିବାର ଦେଖିବାକୁ ମିଳିଛି ।


