କୁଣ୍ଡରେ ଡ଼ଙ୍ଗା ଭସାଇଲେ ସାରା ପରିବାର
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆଜି ଆଉ ସେ ଦିନର ନୌବାଣିଜ୍ୟ ନାହିଁ କି ବିଭବ ନାହିଁ । କର୍ପୁର ଉଡ଼ିଯାଇଛି ସତ ପଡ଼ିରହିଛି କନା । ଅତୀତର ସେହି ସ୍ମୃତିକୁ ଜାଗ୍ରତ କରିଥାଏ ଆଧ୍ୟାତ୍ମିକ, ବାଣିଜ୍ୟିକ ବିଭବର ସ୍ମାରକ ପର୍ବ କାର୍ତ୍ତିକ ପୂର୍ଣ୍ଣିମା । ପ୍ରତ୍ୟୁଷରୁ ଶ୍ରଦ୍ଧାଳୁ ସ୍ନାନ କରି କଦଳୀ ପଟୁକା, ସୋଲ, କାଗଜରେ ଡଙ୍ଗା ତିଆରି କରି ନଦୀ, ସମୁଦ୍ର ଓ ଜଳାଶୟରେ ଭସାଇଥାନ୍ତି । ଆକାମା ବୈ, ପାନଗୁଆ ଥୋଇ, ପାନଗୁଆ ତୋର, ମାସକ ଧରମ ମୋର, ଗୀତରେ ଜଳାଶୟ ମୁଖରିତ ହୋଇଥାଏ । ଏବେ ଦୁଇବର୍ଷ ହେଲା ମହାମାରୀ କରୋନା ବାଧକ ସାଜିଛି । ନଦୀ, ସମୁଦ୍ର, ପୋଖରୀ ଇତ୍ୟାଦି ସ୍ଥାନରେ ପ୍ରଶାସନ ଲଗାଇଛି କଟକଣା । ତଥାପି ଏହି କଟକଣା ମଧ୍ୟରେ ଏ ସ୍ମୃତିକୁ ଘରେ ନିରାଡ଼ମ୍ବର ରୂପେ ପାଳନ କରିଛନ୍ତି ରାଜଧାନୀ ଭୁବନେଶ୍ୱରବାସୀ । ବିଗତ ଦିନର ସାଧବ ପୁଅର ସେହି ବାଣିଜ୍ୟିକ ସ୍ମୃତି ଟିକକ ପ୍ରତ୍ୟେକ ଓଡ଼ିଆ ପୁଅ ପାଇଁ ଗର୍ବ ଓ ଗୌରବର ବିଷୟ । ଏଣୁ ଏହି ପରିପ୍ରେକ୍ଷୀରେ ବାଣିଜ୍ୟିକ, ଐତିହାସିକ ମୂଲ୍ୟବୋଧ ଜାଗ୍ରତ କରୁଥିବା ଏହି ପର୍ବକୁ ଉଜ୍ଜୀବିତ କରି ରଖିବା ପାଇଁ ପଛାଇ ନାହାଁନ୍ତି ପୋଖରୀପୁଟ ଅଞ୍ଚଳରେ ରହୁଥିବା ପରିବେଶବିତ୍ ସୁଶାନ୍ତ ସାହୁଙ୍କ ପରିବାର ସଦସ୍ୟ । ଛାତ ଉପରେ ଅସ୍ଥାୟୀ କୁଣ୍ଡ ତିଆରି କରି ରଙ୍ଗ, ବେରଙ୍ଗ କାଗଜରେ ଡ଼ଙ୍ଗା ପ୍ରସ୍ତୁତ କରି ସାଧବ ପୁଅର ସ୍ମୃତିକୁ ମନେ ପକାଇଥିଲେ ସାରା ପରିବାର ।


