କାଳେଶ୍ୱର ମନ୍ଦିର ନିର୍ମାଣ କାର୍ଯ୍ୟରେ ବ୍ୟାପକ ଦୁର୍ନିତି
ଛତ୍ରପୁର, (ଦେବଦତ୍ତ ମହାରଣା) : ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ବଡ ଖରିଡା ପଂଚାୟତ ର ବଡ ଖରିଡା ଗ୍ରାମରେ ନବ ନିର୍ମିତ କାଳଶ୍ୱେର ମନ୍ଦିର ନିର୍ମାଣ କାର୍ଯ୍ୟରେ ବ୍ୟାପକ ଦୁର୍ନିତି ହୋଇଥିବା ନେଇ ମଙ୍ଗଳବାର ବଡ ଖରିଡା ଗ୍ରାମର ଗ୍ରାମବାସୀ ମାନେ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ସ୍ମାରକ ପତ୍ର ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଲୀନା କୁମାରୀ ଖେସ୍ ଙ୍କୁ ପ୍ରଦାନ କରିଛନ୍ତି । କାଳେଶ୍ୱର ମନ୍ଦିର ନିର୍ମାଣ ପାଇଁ ସରକାର ପ୍ରାୟ ୨ କୋଟି ଟଙ୍କାର ଅଟକଳ ମୁଳ୍ୟ ପ୍ରଦାନ କରିଥିବା ବେଳେ ସେହି ଟଙ୍କାରେ ମନରେଗା ଯୋଜନା ମାଧ୍ୟମରେ ମନ୍ଦିରର କଲ୍ୟାଣ ମଣ୍ଡପ, ରୋଷେଇ ଘର, ମହିଳା ମିଶନ ଶକ୍ତି ଘର, ସୁରକ୍ଷା ପ୍ରାଚୀର, ଶିଶୁ ଉଦ୍ୟାନ ଓ ମନ୍ଦିର ପରିସରରେ ଥିବା ବନ୍ଧର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯାଇଛି । ସେଥି ମଧ୍ୟରୁ ୧୦ ଲକ୍ଷ ଟଙ୍କାରେ ନିର୍ମାଣ କରାଯାଇଥିବା ପାର୍କର ପାଚେରୀ ଗତ ୧୨ ତାରିଖ ଦିନ ଭୁଷୁଡି ପଡିଛି । ଏହା ଅତି ନିମ୍ନ ମାନର ବାଲି, ଇଟା, ମେଟାଲ ରେ ନିର୍ମିତ ହୋଇଥିବାରୁ ଏହା ଭୁଷୁଡି ଯାଇଛି ବୋଲି ସେମାନେ ଏହି ସ୍ମାରକ ପତ୍ର ରେ ଦର୍ଶାଇଛନ୍ତି । ଏଣୁ ଏହି ଅଭିଯୋଗର ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେମାନେ ଏହି ସ୍ମାରକ ପତ୍ର ରେ ଉଲ୍ଲେଖ କରିଛନ୍ତି । ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ବଡ ଖରିଡା ଗ୍ରାମର ରମେଶ ଚନ୍ଦ୍ର ଦଳାଇ, ଅଶୋକ କୁମାର ମୁନି, ସୁଶାନ୍ତ ମୁନି, ଗୋପାଳ ବାରିକ, ଶଙ୍କର ଗୌଡ, ଅଭି ବେହେରା, ସଞ୍ଜୟ ପାତ୍ର, ସୁରେନ୍ଦ୍ର ଗୌଡ, ଭାସ୍କର ଗୌଡ, ସିମାଂଚଳ ଗୌଡ, ମନୋଜ ପ୍ରଧାନ, ସୁଭାଶିଷ ଦାସ, କୃଷ୍ଣ ଚନ୍ଦ୍ର ମୁନି, ହେମନ୍ତ ଗୌଡ, ରବିନ୍ଦ୍ର ପାତ୍ରଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ ।


