୩ କଳା କୃଷି ଆଇନ ପ୍ରତ୍ୟାହାର ଘୋଷଣାପରେ

ବାଲେଶ୍ୱର, (ସରୋଜ ପଣ୍ଡା) : କେନ୍ଦ୍ର ସରକାରଙ୍କ ପକ୍ଷରୁ ଗତବର୍ଷ ପ୍ରଣୀତ ୩ଟି କଳା କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ଉପକଣ୍ଠରେ ଦୀର୍ଘ ଏକ ବର୍ଷ ଧରି ସଂଯୁକ୍ତ କିଷାନ ମୋର୍ଚ୍ଚା ନେତୃତ୍ୱରେ ସମଗ୍ର ଭାରତବର୍ଷର ପ୍ରାୟ ୫ଶହ କୃଷକ ସଂଗଠନର ସଦସ୍ୟମାନେ ଗତବର୍ଷରୁ ଚଳାଇ ଆସିଥିବା ଶାନ୍ତିପୂର୍ଣ୍ଣ ଆନ୍ଦୋଳନର ବର୍ଷପୂର୍ତ୍ତି ଦିବସ ବାଲେଶ୍ୱରରେ ପାଳିତ ହୋଇଛି । କୃଷକ ଓ ଖାଉଟି ବିରୋଧି ଉପରୋକ୍ତ ୩ଟି ଆଇନକୁ ପ୍ରତ୍ୟାହାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିବାରୁ ଶୁକ୍ରବାର ଦିନ ଅପରାହ୍ନରେ ସ୍ଥାନୀୟ ବିଚାରଗଞ୍ଜ ଛକ ନିକଟରେ ବାଲେଶ୍ୱରର ବିଭିନ୍ନ କୃଷକ ସଂଗଠନ ଓ ଗଣ ସଂଗଠନ ପକ୍ଷରୁ ପଥପ୍ରାନ୍ତ ସଭାରେ ଏହା ମିଳିତ ଆନ୍ଦୋଳନର ବିଜୟ ବୋଲି ବକ୍ତାମାନେ କହିଥିଲେ । ପ୍ରେମରଞ୍ଜନ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଶିଶିର ହୁଇ, ନିରାକାର ପାଣ୍ଡବ, ଗୌରାଙ୍ଗ ପାଣିଗ୍ରାହୀ, ଅରୁଣ ଜେନା, ଉମାକାନ୍ତ ଦାସ ଓ ଶ୍ୟାମସୁନ୍ଦର ଜେନା ପ୍ରମୁଖ ବିଜେପି ନେତୃତ୍ୱାଧିନ କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ଜନବିରୋଧି ଆଇନଗୁଡ଼ିକୁ ଦୃଢ଼ ବିରୋଧ କରିଥିଲେ । ଜାତୀୟ ସଂପତ୍ତିକୁ ପୁଞ୍ଜିପତିମାନଙ୍କୁ ଦାନସୂତ୍ରରେ ନରେନ୍ଦ୍ର ମୋଦି ପ୍ରଦାନ କରୁଥିବାର ସେମାନେ ଅଭିଯୋଗ କରିଥିଲେ । ସ୍ୱାଧୀନତାର ୭୫ ବର୍ଷ ପରେ ଦେଶ ବର୍ତ୍ତମାନର ଶାସନ ବ୍ୟବସ୍ଥାରେ ଜନଗଣ ଅତିଷ୍ଠ ହୋଇପଡ଼ିଲେଣି । କେନ୍ଦ୍ର ସରକାରଙ୍କ ସମସ୍ତ ତ୍ରୁଟିପୂର୍ଣ୍ଣ ଆଇନକୁ ରାଜ୍ୟର ବିଜେଡ଼ି ଦଳ ସଂସଦରେ ସମର୍ଥନ କରି ଓଡ଼ିଶାବାସୀଙ୍କ ପ୍ରତି ପ୍ରତାରଣା କରୁଥବାର ସେମାନେ କହିଥିଲେ । କୃଷିଆଇନ ସାଂବିଧାନିକ ବିଧିବ୍ୟବସ୍ଥାରେ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଓ ଧାନ ଏବଂ କୃଷି ଜାତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ ଦାବିରେ କୃଷକମାନେ ଚଳାଇଥିବା ଆନ୍ଦୋଳନକୁ ବକ୍ତାମାନେ ଦୃଢ଼ ସମର୍ଥନ ଜଣାଇଥିଲେ । ଗତବର୍ଷ ଆଜିର ସମ୍ବିଧାନ ଦିବସରେ ଆରମ୍ଭ ହୋଇଥିବା ଏହି କୃଷକ ଆନ୍ଦୋଳନ ବିଜୟ ଲାଭ କରିଥିବାରୁ ଏହା ଗଣତନ୍ତ୍ରର ବିଜୟ ବୋଲି ସେମାନେ ମତ ଦେଇଥିଲେ । ଏହି ପଥପ୍ରାନ୍ତ ସଭାରେ ଯତୀନ୍ ପାତ୍ର, ସୁରଜିତ୍ ପୋଥାଳ, ପ୍ରଶାନ୍ତ ଦାସ, ସିକନ୍ଦର ଖାଁ, ଉତ୍ତମ ଜେନା, ଶରତ ଚନ୍ଦ୍ର ଦଳାଇ, ସବିତା ସିଂ ଓ ସରୋଜ ଖାଁ ପ୍ରମୁଖ ନେତୃତ୍ୱ ନେଇଥିଲେ । ବନ୍ଦନା ବିଶ୍ୱାସ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ