ନିର୍ମାଣ ଶ୍ରମିକଙ୍କ ୧୫ଦଫା ଦାବି ସମ୍ବଳିତ ସ୍ମାରକପତ୍ର ଯୁଗ୍ମ ଶ୍ରମ ଆୟୁକ୍ତଙ୍କୁ ପ୍ରଦାନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ନିଖିଳ ଭାରତ ନିର୍ମାଣ ଶ୍ରମିକ ମହାସଂଘ ଓ ଏଆଇସିସିଟିୟୁ ପକ୍ଷରୁ ନିର୍ମାଣ ଶ୍ରମିକମାନଙ୍କ ୧୫ ଦଫା ଦାବି ନେଇ ଯୁଗ୍ମ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟକୁ କେଶରୀ ଟକିଜ ନିକଟରୁ ଏକ ଶୋଭାଯାତ୍ରା ବାହାରି ଘେରାଉ କରାଯାଇଥିଲା । ଏଥିରେ ନିର୍ମାଣ ଶ୍ରମିକମାନଙ୍କୁ ୨୦୨୦ କରୋନା ସହାୟତା ପ୍ରଦାନ, ନିର୍ମାଣ ଶ୍ରମିକମାନଙ୍କ ଦୈନିକ ମଜୁରୀ ୧୦୦୦ ଟଙ୍କା, ନୂଆ ଶ୍ରମକାର୍ଡ଼ର ପଞ୍ଜିକରଣ, କାର୍ଯ୍ୟକ୍ଷେତ୍ରରେ ମହିଳା ଶ୍ରମିକମାନଙ୍କୁ ସୁରକ୍ଷା, ଦରଦାମ ବୃଦ୍ଧି ଓ ସିପାଇକୁ ସମୀକ୍ଷା କରି ମଜୁରୀ ନିର୍ଦ୍ଧାରିତ କରିବା, ଡ଼ିଜିପିର ୧% ନିର୍ମାଣ ଶ୍ରମିକମାନଙ୍କୁ ସେସ୍ ଆକାରରେ ପ୍ରଦାନ କରିବା, ନିର୍ମାଣ ଶ୍ରମିକମାନଙ୍କୁ ଘର, ମାଗଣା ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ଦାବିରେ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା । ଏହି ବିକ୍ଷୋଭରେ ଏଆଇସିସିଟିୟୁର ଉପସଭାପତି ବଂଶୀଧର ପରିଡ଼ା, ମାନସ ରଞ୍ଜନ ପ୍ରଧାନ, ଅଣସଂଗଠିତ ଶ୍ରମିକ ମଞ୍ଚର ସଭାପତି ଜୋସେନ ମିଶ୍ର, ପ୍ରକାଶ ସାମଲ, ମଧୁସୂଦନ ସେଠୀ ବକ୍ତବ୍ୟ ରଖିଥିଲେ । ଏଥିରେ ଏଆଇସିଡବ୍ଲୁଏଫ୍ର ସାଧାରଣ ସମ୍ପାଦକ ମହେନ୍ଦ୍ର ପରିଡ଼ା କହିଲେ ଯେ ସାମାଜିକ ସୁରକ୍ଷା ନାମରେ ମୋଦି ସରକାର ଶ୍ରମିକମାନଙ୍କ ଅଧିକାରକୁ ଛଡ଼ାଇ ନେଇ କର୍ପୋରେଟ ମାନଙ୍କ ହାତରେ ଟେକିଦେବା ଲାଗି ସୋସିଆଲ ସକ୍ୟୁରିଟି କୋଡ଼କୁ ବିରୋଧ କରିବା ଲାଗି ଆହ୍ୱାନ ଦେଇଥିଲେ । ଶେଷରେ ଏଆଇଇସିସିଟିୟୁର ସଭାପତି ରାଧାକାନ୍ତ ସେଠୀ ସମାଜର ପରିବର୍ତ୍ତନ ଲାଗି ନିର୍ମାଣ ଶ୍ରମିକମାନେ କୃଷକ ସଂଗଠନଙ୍କ ପରି ଆନ୍ଦୋଳନ ଜାରି ରଖି ସେମାନଙ୍କ ଅଧିକାର ପାଇବା ଲାଗି ଶକ୍ତିଶାଳୀ ଆନ୍ଦୋଳନ ଗଢି ତୋଳିବାକୁ ଆହ୍ୱାନ ଦେଇଥିଲେ ।


