ମହିଳାଙ୍କ ଉପରେ ବଢୁଥିବା ହିଂସା ସଭ୍ୟ ସମାଜ ପାଇଁ କଳଙ୍କ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆଜିର ମହିଳା ସବୁ କ୍ଷେତ୍ରରେ ପୁରୁଷଙ୍କ ସହ ସମକକ୍ଷ ହୋଇଥିବା ବେଳେ ଅପରପକ୍ଷରେ ବଢୁଥିବା ମହିଳା ହିଂସା ସଭ୍ୟ ସମାଜ ପାଇଁ ସତର୍କଘଣ୍ଟି ବୋଲି ରାଜ୍ୟ ମହିଳା ଆୟୋଗର ସଭ୍ୟା ସ୍ନେହାଞ୍ଜଳି ମହାନ୍ତି ଭୁବନେଶ୍ୱର ବୁଦ୍ଧମନ୍ଦିର ସଭାଗୃହରେ ଲୁଥେରାନ ବିଶ୍ୱ ସେବା ସଂସ୍ଥା ଭାରତ ପକ୍ଷରୁ ୧୬ଦିନ ବ୍ୟାପି ଚାଲିଥିବା ମହିଳା ହିଂସା ବିରୋଧି ଅଭିଯାନର ଉଦ୍‌ଯାପନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କହିଥିଲେ । ସମ୍ମାନିତ ଅତିଥି ରୂପେ ଜାତୀୟ ମାନବାଧିକାର କମିଶନ, ନୂଆଦିଲ୍ଳୀର କୋର୍ ସଦସ୍ୟ ମନୋଜ ଜେନା ଯୋଗଦେଇ ମହିଳା ସୁରକ୍ଷା କର୍ମୀମାନଙ୍କ ଭୂମିକା ଓ ଦାୟିତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ । ସେମାନେ ନିଜର ଦକ୍ଷତା ବୃଦ୍ଧି କରିବା ସହ ମହିଳା ଅଧିକାର ସମ୍ପର୍କିତ ବିଭିନ୍ନ ଆଇନକାନୁନ ଓ ନ୍ୟାୟିକ ପ୍ରକ୍ରିୟା ଉପରେ ଜ୍ଞାନ ହାସଲ କରିବା ଉଚିତ୍ ବୋଲି କହିଥିଲେ । ଅନ୍ୟତମ ଅତିଥି ଭାବେ ୧୮୧ ମହିଳା ସହାୟତା କେନ୍ଦ୍ରର ରାଜ୍ୟ ସଂଯୋଜିକା ପ୍ରଜ୍ଞା ପାରମିତା ବସ୍ତିଆ, ସଖି ସେଣ୍ଟରର ସଂଯୋଜିକା ସୋମା ପାଇକରାୟ, ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ଇଣ୍ଡିଆର ରାଜ୍ୟ ସଂଯୋଜକ ରାଜୀବ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଲିଙ୍ଗଗତ ପ୍ରଭେଦ ଓ ନିରାକରଣ ଉପରେ ତାଲିମ ପ୍ରଦାନ କରିବା ସହ ବିଭିନ୍ନ ଆଇନ ଓ ଅଭିଯୋଗ ଲାଘବ କେନ୍ଦ୍ରର ଭୂମିକା ବିଷୟରେ ବକ୍ତବ୍ୟ ରଖିଥିଲେ । ବରିଷ୍ଠ ମହିଳା ସାମାଜିକ କର୍ମୀ ଉଷାରାଣୀ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଲୁଥେରାନ ବିଶ୍ୱ ସେବା ସଂସ୍ଥା ଭାରତ, ଭୁବନେଶ୍ୱର ପ୍ରକଳ୍ପ ସଂଯୋଜିକା ପୀୟୁଷ ଦାସ ସ୍ୱାଗତ ଭାଷଣ ଦେବା ସହ ୧୬ଦିନ ବ୍ୟାପୀ ଚାଲିଥିବା କାର୍ଯ୍ୟକ୍ରମ ବିଷୟରେ ବିସ୍ତୃତ ବିବରଣୀ ରଖିଥିଲେ । ସହ ସଂଯୋଜିକା ଗୀତାଞ୍ଜଳି ମହାନ୍ତି ସଭା ପରିଚାଳନା କରିଥିଲେ । ମହିଳା ହିଂସା ବିରୋଧୀ ମହିଳା ସଂଗଠନର ଅଧ୍ୟକ୍ଷା କୁନିଲତା ମହାରଣା ଓ ସମ୍ପାଦିକା ମଞ୍ଜୁଲତା କର ସଂଗଠନ ସଫଳ ପଦକ୍ଷେପ ନେଇଥିବା ବିଭିନ୍ନ କେସ୍ ଓ ଘଟଣା ବିଷୟରେ କହିଥିଲେ । ମହିଳା ସମ୍ମାନ ଓ ସଶକ୍ତିକରଣ କ୍ଷତ୍ରରେ ଉତ୍ତମ କାର୍ଯ୍ୟ କରିଥିବା ବିଭିନ୍ନ ବ୍ୟକ୍ତି ଓ ସଂଗଠନକୁ ପୁରସ୍କୃତ କରାଯାଇଥିଲା । ବିଭିନ୍ନ ମହିଳା ଗ୍ରୁପ୍ ଦ୍ୱାରା ସଚେତନତାମୂଳକ ସଙ୍ଗୀତ ଓ ନାଟକ ପରିବେଷଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ