ସମ୍ଭାବ୍ୟ ବାତ୍ୟାକୁ ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ

ଛତ୍ରପୁର, (ଦେବଦତ୍ତ ମହାରଣା) : ସମ୍ଭାବ୍ୟ ବାତ୍ୟାକୁ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ଓସ୍ୱାନ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ସମସ୍ତ ତଟବର୍ତ୍ତୀ ଓ ନଦୀ କୂଳିଆ ଅଂଚଳର ବ୍ଲକ ପ୍ରଶାସନକୁ ବିଶେଷ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସମୁଦ୍ର ଅଶାନ୍ତ ରହୁଥିବାରୁ ସମୁଦ୍ର ଭିତରକୁ ମତ୍ସଯିବୀ ମାନଙ୍କୁୁ ନ ଯିବା ପାଇଁ ଓ ସମୁଦ୍ର ମଧ୍ୟକୁ ଯାଇଥିବା ମତ୍ସଯିବୀ ମାନେ କୂଳକୁ ଫେରି ଆସିବା ପାଇଁ କୁହାଯାଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ୧୦୪ଟି ବହୁମୁଖି ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ଆଶ୍ରୟସ୍ଥଳୀରେ ବିଦ୍ୟୁତ, ପାନୀୟଜଳ, ଶୌଚାଳୟ ଗୁଡିକୁ ପରିସ୍କାର ରଖିବା ପାଇଁ କୁହାଯାଇଛି । ଆବଶ୍ୟକ ସ୍ଥଳେ ପରିସ୍ଥିତିକୁ ନଜରରେ ରଖି ତଳିଆ ଅଂଚଳ ଓ କଚ୍ଚା ଘରେ ରହୁଥିବା ଲୋକମାନଙ୍କୁ ସ୍ଥାନାନ୍ତରିତ କରାଯିବ । ଅଗ୍ନିଶ୍ରମ ବିଭାଗ ଓ ଓଡ୍ରାଫ୍ ଟିମ୍ ସଜାଗ ରହିବାକୁ କୁହାଯାଇଛି । ଆବଶ୍ୟକ ପଡିଲେ ଗର୍ଭବତୀ ମହିଳା, ଶିଶୁ ଓ ବୃଦ୍ଧ ମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ସ୍ଥାନାନ୍ତରିତ କରାଯିବ । ଏହା ସହିତ ଜିଲ୍ଲାରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯିବା ସହିତ ସମସ୍ତ ସରକାରୀ କର୍ମଚାରୀମାନେ ହେଡ କ୍ୱାର୍ଟର ନ ଛାଡିବାକୁ ଜିଲ୍ଲାପାଳ କହିଛନ୍ତି । ଧାନ ଫସଲ ନଷ୍ଟ ହେବା ଆଶଙ୍କା ଅଧିକ ଥିବାରୁ କିପରି ସେଗୁଡିକ ନଷ୍ଟ ନ ହେବ ସେଥିପ୍ରତି ଧ୍ୟାନ ଦେବାକୁ କୁହାଯାଇଛି । ଯେଉଁ ଲୋକଙ୍କ ଫସଲ କଟାଯାଇଛି ଓ ସେସବୁ ସୁରକ୍ଷିତ ସ୍ଥାନରେ ରଖିବା ପାଇଁ ସ୍ଥାନ ନାହିଁ ସେଗୁଡିକ ପାଇଁ ପ୍ରଶାସନ ପକ୍ଷରୁ ବିକଳ୍ପ ବ୍ୟବସ୍ଥା କରାଯିବାକୁ କୁହାଯାଇଛି । ସେହିପରି ଗାଇ ଗୋରୁ ସମେତ ବିଭିନ୍ନ ଗୃହପାଳିତ ପଶୁ ମାନଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବା ପାଇଁ ଜିଲ୍ଲାପାଳ ପ୍ରାଣୀ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଆନ୍ଧ୍ରର ଯେଉଁ ଟ୍ରଲର ମାନେ ଗୋପାଳପୁର ପୋର୍ଟକୁ ଆସି ଲଙ୍ଗର ପକାଉଛନ୍ତି ସେମାନେ କିପରି ଆମ ଅଂଚଳକୁ ନ ଆସି ସେମାନଙ୍କ ଅଂଚଳରେ ଲଙ୍ଗର ପକାଇବେ ସେଥିପ୍ରତି ଦୃଷ୍ଟି ଦେବାକୁ ମତ୍ସ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି ବୈଠକରେ ଡିଆରଡିଏ ପିଡି ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ, ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍ ଓ ପ୍ରିୟ ରଞ୍ଜନ ପୃଷ୍ଟି, ଛତ୍ରପୁର ଉପଜିଲ୍ଲାପାଳ ନୀଳମାଧବ ଭୋଇ, ଡୁଡା ପିଡି ସଚ୍ଚିଦାନନ୍ଦ ନାୟକ, ଆରଟିଓ ବିକାଶ ଚୌଧୂରୀ, ଜିଲ୍ଲା କୃଷି ଅଧିକାରୀ ଦୁର୍ଯ୍ୟୋଧନ ପତଙ୍ଗ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁରେଖା ସୁନ୍ଦରୀ ମଲ୍ଲିକ, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ପୁଷା ମୁଣ୍ଡାଙ୍କ ସମେତ ବହୁ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ