ଆଶ୍ରୟ ନେବାକୁ ସମ୍ବିଧାନ ସୁରକ୍ଷା ମଞ୍ଚର ଚେତାବନୀ
ବାଲେଶ୍ୱର, (ସରୋଜ ପଣ୍ଡା) : ଓଡ଼ିଶାର ଅନ୍ୟତମ ପୁରାତନ ସାହିତ୍ୟ ଅନୁଷ୍ଠାନ ବାଲେଶ୍ୱରର ଫକୀରମୋହନ ସାହିତ୍ୟ ପରିଷଦରେ ଗତ ନଭେମ୍ବର ୬ ତାରିଖରେ ଅସମ୍ବିଧାନିକ ଭାବେ ନୂତନ କର୍ମକର୍ତ୍ତା ନିର୍ବାଚନ ହୋଇଥିବା ଅଭିଯୋଗ ଉଠାଇ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେବାକୁ ଚେତାବନୀ ଦେଇଛି ‘ଫକୀର ମୋହନ ସାହିତ୍ୟ ପରିଷଦ ସମ୍ବିଧାନ ସୁରକ୍ଷା ମଞ୍ଚ’ । ଏହି ପରିପ୍ରେକ୍ଷୀରେ ମଞ୍ଚର ଆବାହକ କବି କାଳୀପଦ ପଣ୍ଡାଙ୍କ ଆବାହକତ୍ୱରେ ଗୁରୁବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ, ପରିଷଦର ଆଜୀବନ ସଦସ୍ୟ ଡ. ରାଧାରଞ୍ଜନ ପଟ୍ଟନାୟକ, କବି ଅଭୟ ଦାସ, ଗାଳ୍ପିକ ଉଦୟରଞ୍ଜନ ଦାସ, କବି ଶ୍ରଦ୍ଧାଞ୍ଜଳି ପ୍ରଧାନ, କବି ପ୍ରସନ୍ନ ପାତ୍ର, ଯତୀନ୍ଦ୍ର ପୁହାଣ, ପ୍ରଦୀପ୍ତ ମିଶ୍ର, ପୂର୍ଣ୍ଣଚନ୍ଦ୍ର ପଣ୍ଡା ପ୍ରମୁଖ ଯୋଗଦେଇ ଫକୀର ମୋହନ ସାହିତ୍ୟ ପରିଷଦର ଅସମ୍ବିଧାନିକ ନିର୍ବାଚନ ପ୍ରକ୍ରିୟା ଓ କାର୍ଯ୍ୟାନୁଷ୍ଠାନରେ ଜିଲା ପ୍ରଶାସନର ଟାଳଟୁଳ ନୀତି ସମ୍ପର୍କରେ ସୂଚନା ଦେଇଥଲେ । ସେମାନଙ୍କ ଅଭିଯୋଗ ଅନୁସାରେ ସୋସାଇଟି ରେଜିଷ୍ଟ୍ରେସନ ଆକ୍ଟ-୧୮୬୦ ଆଧାରରେ ପଞ୍ଜିକୃତ ହୋଇ ୧୯୪୮ ମସିହାରୁ କାର୍ଯ୍ୟକ୍ଷମ ହୋଇ ଆସୁଥିଲା ଏହି ସାହିତ୍ୟ ଅନୁଷ୍ଠାନ । ପରିଷଦର ସ୍ୱତନ୍ତ୍ର ସମ୍ବିଧାନ ଅନୁସାରେ ସମସ୍ତ କାର୍ଯ୍ୟ ହୋଇଥାଏ । ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ଏହି ପରିଷଦକୁ ବିଭିନ୍ନ ସମୟରେ ଅନୁଦାନ ଆସିଥାଏ । ପରିଷଦ ସମ୍ବିଧାନର ପଞ୍ଚମ ପୃଷ୍ଠା-୧୦(କ) ଧାରା ଅନୁସାରେ ଜଣେ ସଭାପତି, ଦୁଇଜଣ ଉପ-ସଭାପତି, ଜଣେ ସାଧାରଣ ସମ୍ପାଦକ, ଦୁଇଜଣ ଯୁଗ୍ମସମ୍ପାଦକ ଓ ଜଣେ କୋଷା୍ମକ୍ଷଙ୍କ ସମେତ ୧୦ଜଣ କାର୍ଯ୍ୟକାରୀ କମିଟି ସଦସ୍ୟଙ୍କୁ ମିଶାଇ ମୋଟ ୧୭ଜଣ କର୍ମକର୍ତ୍ତାଙ୍କୁ ଆଜୀବନ ସଦସ୍ୟମାନେ ନିର୍ବାଚିତ କରିଥା’ନ୍ତି । ମାତ୍ର ଗତ ନିର୍ବାଚନରେ କେବଳ ୭ଜଣ କର୍ମକର୍ତ୍ତାଙ୍କୁ ନିର୍ବାଚିତ କରାଇ ୧୦ଜଣ କାର୍ଯ୍ୟକାରିଣୀ କମିଟି ସଦସ୍ୟଙ୍କୁ ନବ-ନିର୍ବାଚିତ ସଭାପତି ନିଜ ମନ ମୁତାବକ ମନୋନୀତ କରି ସମ୍ବିଧାନ ନିୟମକୁ ସମ୍ପୂର୍ଣ୍ଣ ଉଲଙ୍ଘନ ହୋଇଛି । ସେହିପରି ନିର୍ବାଚନ ପ୍ରକ୍ରିୟାରେ ଭୋଟବାକ୍ସ ସିଲ ହୋଇ ନଥିଲା କିମ୍ବା ପ୍ରାରମ୍ଭରେ ଖାଲିଥିବା ଭୋଟବାକ୍ସ କାହାରିକୁ ଦେଖାଯାଇ ନଥିଲା । ନିର୍ଦ୍ଦେଶ ଥୁଲା, ଅପରାହ୍ନ ୨ ଘଟିକାରୁ ୫ଘଟିକା ଭିତରେ ଭୋଟ ପ୍ରକ୍ରିୟା ଆରମ୍ଭ ହୋଇ ଶେଷ ହେବା କଥା । ମାତ୍ର ବାସ୍ତବରେ ଅପରାହ୍ନ ୧,୪୦ ମିନିଟରେ ଖୁବ ତରବରିଆ ତଥା ଏକତରଫା ଭାବେ ମତଦାନ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ସେହିଭଳି ନିର୍ବାଚନ ଫଳାଫଳ ଘୋଷଣାର ଦୁଇମିନିଟ୍ ପରେ ପୂର୍ବରୁ ଟାଇପ ହୋଇଥିବା କାର୍ଯ୍ୟକାରୀ ସଦସ୍ୟଙ୍କର ନାମ ସମ୍ପୃକ୍ତ ନିର୍ବାଚନ ଅଧୁକାରୀ ଘୋଷଣା କରିଥିଲେ । ଏତେଶୀଘ୍ର କିଭଳି କମ୍ପ୍ୟୁଟରରେ ଟାଇପ ହୋଇ ଘୋଷଣା କରାଗଲା, ତାହା ମଧ୍ୟ ସଭିଙ୍କୁ ବିସ୍ମିତ କରିଛି । ଏଭଳି ପ୍ରକ୍ରିୟା ସମ୍ବିଧାନ ପ୍ରତି ଏକ କୁଠାରଘାତ । ନିର୍ଦ୍ଦିଷ୍ଟ ବ୍ୟକ୍ତିବିଶେଷ ବର୍ଷବର୍ଷ ଧରି ବିଭିନ୍ନ ପଦରେ ଫକୀରମୋହନ ସାହିତ୍ୟ ପରିଷଦକୁ କବଜା କରିଆସୁଛନ୍ତି । ତେବେ ଏନେଇ ଗତ ନଭେମ୍ବର ୮ ତାରିଖରେ ଅତିରିକ୍ତ ଜିଲାପାଳଙ୍କଠାରେ ମଞ୍ଚ ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଥିଲା । ଏହାର ତଦନ୍ତ ଦାୟିତ୍ୱ ସେ ବାଲେଶ୍ୱର ଉପ-ଜିଲାପାଳଙ୍କୁ ଦାୟିତ୍ୱ ଦେଇଥିଲେ । ମାତ୍ର ଦୀର୍ଘଦିନ ପରେ ବି କୌଣସି ପଦକ୍ଷେପ ଗ୍ରହଣ କରା ନ ଯିବାରୁ ଶେଷରେ ରାଜ୍ୟ ଉଚ୍ଚ ନ୍ୟାୟାଳୟରେ ମାମଲା ରୁଜୁ ପାଇଁ ଫକୀରମୋହନ ସାହିତ୍ୟ ପରିଷଦ ସମ୍ବିଧାନ ସୁରକ୍ଷା ମଞ୍ଚ ନିଷ୍ପତ୍ତି ନେଇଥିବା କର୍ମକର୍ତ୍ତାମାନେ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛନ୍ତି ।


