ପାଣିରେ ବୁଡିଛି ଶହଶହ ଏକର ଚାଷଜମି : ବିଲରେ ଗଜାହେଲା ଧାନ
ହାଟଡିହି, (ବିକାଶ ବିଶ୍ୱାଳ ) : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ୩୧ଟି ଯାକ ପଞ୍ଚାୟତରେ ଏବେ ଶହଶହ ଏକର ଚାଷଜମି ସବୁ ପାଣିରେ ବୁଡିଛି । ପ୍ରଥମେ ସ୍ୱଳ୍ପବୃଷ୍ଟି ଯୋଗୁଁ ମରୁଡି ପରିସ୍ଥିତି ପରେ ଚକଡା ପୋକ ଚାଷୀଙ୍କ ଅଣ୍ଟା ଭାଙ୍ଗି ଦେଇଥିବାବେଳେ ଏବେ ବାତ୍ୟା ପ୍ରଭାବରୁ ହୋଇଥିବା ବର୍ଷା ଅନେକ ଚାଷୀଙ୍କ ସର୍ବସ୍ୱ ହରାଇ ନେଇଛି । ତେବେ ବର୍ଷା ଯୋଗୁଁ ଜମିରେ ଭାଷୁଥିବା ସୁନାର ଫସଲକୁ ଦେଖି ଚାଷୀର ଆଖରେ ଲୁହ ଆସିଯାଉଛି । ଅଧିକାଶଂ ଜମିରେ ଧାନ ଗଜା ହେବାକୁ ବସିଲାଣି । ପୁର୍ବରୁ ହୋଇଥିବା ବର୍ଷା ପବନରେ ପଡିଯାଇଥିବା ଏକର ଏକର ଜମିରେ ଏବେ ଗଜା ହୋଇଛି । ଯାହାକୁନେଇ ଚାଷୀମାନେ କିପରି ପରିବାର ପ୍ରତିପୋଷଣ କରିବେ ସେନେଇ ମୁଣ୍ଡରେ ହାତଦେଇ ବସିଛନ୍ତି । କେନ୍ଦୁଝର ଜିଲ୍ଲାର ଭାତହାଣ୍ଡି କୁହାଯାଉଥିବା ହାଟଡିହି ବ୍ଲକର ଅଧିକାଶଂ ଲୋକ ଧାନଚାଷ ଉପରେ ନିର୍ଭରଶୀଳ । ଚଳିତବର୍ଷ ପ୍ରଥମରୁ ସ୍ୱଳ୍ପ ବୃଷ୍ଟିଯୋଗୁଁ ଚାଷୀମାନେ ନିରୁତ୍ସାହିତ ହୋଇଥିବା ବେଳେ ଅଳ୍ପ କିଛି ଚାଷୀ ପରିଶ୍ରମକରି ଡେରିରେ ହେଉ ପଛେ ଚାଷକାର୍ଯ୍ୟ ଆରମ୍ଭ କରିଥିଲେ । ଏପରିକି ଅନେକ ଚାଷୀ ସେପ୍ଟେମ୍ବର ମାସରେ ରୁଆପୋତା କରି ଧାନଚାଷ କରିଥିଲେ । ଫଳରେ ଧାନ ପାଚିବାରେ ବିଳମ୍ବ ଘଟିଥିଲା । କିଛି କିଛି ଲୋକ ଧାନ କାଟିଥିବାବେଳେ ଖଳାବାଡି ଆଣିପାରି ନଥିଲେ । ବାତ୍ୟାର ଦୁଇଦିନ ପୁର୍ବରୁ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ଯୋଗେ ସତର୍କ କରାଇଥିଲେବି ଚାଷୀଙ୍କ ପାଖରେ କୌଣସି ବିକଳ୍ପ ନଥିଲା । କିଛି ଚାଷୀ କଟା ଧାନକୁ ଆଣି ରାସ୍ତା ଉପରେ ରଖି ସାଇତିବାକୁ ଚେଷ୍ଟା କରିଥିଲେବି ଢ଼ାଙ୍କିବାକୁ ପାଲ ନଥିବାରୁ ତାହା ମଧ୍ୟ ଭିଜି ନଷ୍ଟ ହେବାକୁ ବସିଛି । ଏବେ ସେ ସୁନାର ଫସଲ ନିଜ କ୍ଷେତରେ ପାଣିରେ ଭାଷୁଛି । ଦୁଇଦିନ ଧରି ଲଗାଣବର୍ଷା ହେବଯୋଗୁଁ ପାଚିଲା ଧାନ ଅମଳ ସମୟରେ ପାଣିରେ ବୁଡି ରହିଛି । ବିଲରେ ଆଣ୍ଠୁଏ ଆଣ୍ଠୁଏ ପାଣି । ଏପରି ସ୍ଥିତିରେ ଅକ୍ଳାନ୍ତ ପରିଶ୍ରମ କରି ଚାଷକରିଥିବା ଚାଷୀ ବାହୁନି ବାହୁନି କାନ୍ଦିବା ଛଡା ଚାଷୀଙ୍କ ଆମ ପାଖରେ ଅନ୍ୟ ରାସ୍ତା ନାହିଁବୋଲି ଚାଷୀ ସଞ୍ଜୟ କୁମାର ମହାପାତ୍ର, ଅନାଥ ଯେନା, ସୁଶାନ୍ତ କୁମାର ରାଉଳ, ପାଗଳ ଦାସ, କୋଦଣ୍ଡ ପାତ୍ର, କୈଳାଶ ଯେନା, ଶରତ କୁମାର ଯେନା, ଗୋପବନ୍ଧୁ ଦାସ, ରବିନ୍ଦ୍ର ଯେନା ପ୍ରମୁଖ କହିଛନ୍ତି । ଚଳିତବର୍ଷ ଭଲ ଧାନ ହୋଇଥିବାରୁ ଚାଷୀମାନଙ୍କ ମନରେ ଆଶାଥିଲା ଧାନ ଅମଳ ପରେ ସବୁ ଋଣ ସୁଝିଯିବ । ଚାଷୀର ବର୍ଷସାରା ପରିବାର ଚଳାଇବା ପାଇଁ ସକ୍ଷମ ହେବେ । କିନ୍ତୁ ଚାଷୀଙ୍କ ସେ ଆଶା ଆଶାରେ ରହିଗଲା । ବାତ୍ୟା ଜୱାଦ ଚାଷୀର ସବୁ ଦୁଖଃକୁ ସତେ ଯେପରି ଛଡାଇ ନେଲାବୋଲି ସେମାନେ ମତବ୍ୟକ୍ତ କରିଛନ୍ତି । ବ୍ଲକରେ ମୋଟ ଧାନଚାଷର ମାତ୍ର ୧୦ଭାଗ ଧାନ କଟାଯାଇଥିଲା । ଅନେକ ଜମିରେ ଧାନ ସବୁ ପାଣିରେ ପଡିଛି ବୋଲି ବ୍ଲକ କୃଷି ଅଧିକାରୀ ଚନ୍ଦ୍ର ମୋହନ ପାତ୍ର କହିଛନ୍ତି । କୃଷି ବିଭାଗ ପକ୍ଷରୁ ହାଟଡିହି ବ୍ଲକର ୩୧ଟିଯାକ ପଞ୍ଚାୟତରେ ୧୪ଜଣ କୃଷି କର୍ମଚାରୀ ଗାଁ ଗାଁ ବୁଲି କ୍ଷୟକ୍ଷତି ଆକଳନ କରିବା ପାଇଁ ନିୟୋଜିତ ହୋଇଥିବା ସେ କହିଛନ୍ତି । ସେମାନଙ୍କ ନିକଟରୁ ରିପୋର୍ଟ ମିଳିବାପରେ ସେମାନେ ଉଚ୍ଚ କର୍ତ୍ତୁପକ୍ଷଙ୍କୁ ଅବଗତ କରାଇବେ ବୋଲି ସୁଚନା ଦେଇଛନ୍ତି ।


