ଟଙ୍କା ଲୁଟ୍ ଘଟଣାରେ ନିଜେ ହିଁ ଛାତ୍ର ଫସିଲେ
ଛତ୍ରପୁର, (ଦେବଦତ୍ତ ମହାରଣା) : ଛତ୍ରପୁର ଥାନା ଅଧୀନ ଛତ୍ରପୁର-ମାଧପୁର ରାସ୍ତା ହୁମର ଗଡିଆଣି ନିକଟରେ ୬ ତାରିଖରେ କିଛି ଦୁର୍ବୃତ୍ତ କରପଡା ଗ୍ରାମର ଇଞ୍ଜିନିୟରିଂ ଛାତ୍ର ନିରଞ୍ଜନ ନାୟକଙ୍କୁ ଛୁରୀରେ ଆକ୍ରମଣ କରି ୪୦ ହଜାର ଟଙ୍କା ଲୁଟି ନେଇଥିବା ଘଟଣାର ମୋଡ ବଦଳିଛି । ଟଙ୍କା ଲୁଟ୍ ଘଟଣାରେ ଅଭିଯୋଗ କରିଥିବା ଇଞ୍ଜିନିୟରିଂ ଛାତ୍ର ନିରଞ୍ଜନ ହିଁ ଶେଷରେ ଫସିଛନ୍ତି । ଘଟଣା ସଂପୂର୍ଣ୍ଣ ମିଥ୍ୟା ହୋଇଥିବା ବେଳେ ଏତେବଡ ଲୁଟ୍ ଘଟଣା ବୋଲି ଅପପ୍ରଚାର କରିଥିବା ନେଇ ପୁଲିସ ନିଜ ଆଡୁ ଇଞ୍ଜିନିୟରିଂ ଛାତ୍ର ନିରଞ୍ଜନ ବିରୋଧରେ ଏକ ମାମଲା ରୁଜୁ କରିଛି । ୬୩୬ ନମ୍ବର ଏକ ମାମଲାର ଛତ୍ରପୁର ଥାନା ପୁଲିସ ନିରଞ୍ଜନକୁ ଦୋଷୀ ସାବ୍ୟସ୍ତ କରି କୋର୍ଟ ଚାଲଣ କରିଛି । ନିଜେ ଏତେ ଟଙ୍କାକୁ ଲୁଚାଇ ଥିବା ସହ ନିଜ ହାତରେ ନିଜ ଡେଣାକୁ ଆଘାତ କରି ଲୁଟ୍ ହୋଇଥିବା ଘଟଣା ବୋଲି ଅପପ୍ରଚାର କରିଥିବା ନେଇ ପୁଲିସ ତନାଘାନ କରି ଶେଷରେ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବୋଲି ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି ।


