ପାଇଁନ ବଣ ଘାଟି ବୁଲାଣିରେ ଓଲଟିଲା କାର, ୨ ଗୁରୁତର

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ୫୯ନଂ ଜାତୀୟ ଆମ୍ବଖାଲିଆ ଘାଟିରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ୨ ଜଣ ପର୍ଯ୍ୟଟକ ଗୁରୁତର ହୋଇଥିବା ଜଣାପଡ଼ିଛି । ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ଦୁହିଁଙ୍କୁ ବ୍ରହ୍ମପୁର ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁଯାୟୀ, ଦାରିଙ୍ଗବାଡ଼ି ପର୍ଯ୍ୟଟନ ସ୍ଥଳୀ ବୁଲିବାକୁ ଆସିଥିଲେ ହରିୟାଣାର ୩ ପର୍ଯ୍ୟଟକ । ସୋମବାର ସକାଳ ୫ଟାରେ ସେମାନେ ଫେରୁଥିବା ବେଳେ କାରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ୨ ଜଣ ଗୁରୁତର ହୋଇଥିବା ବେଳେ ଅନ୍ୟ ଜଣେ ସାମାନ୍ୟ ଆହତ ହୋଇଥିଲେ । ସକାଳୁ କୁହୁଡ଼ି ଅଧିକ ହୋଇଥିବା ଯୋଗୁଁ ରାସ୍ତା ସଠିକ୍ ଭାବେ ଦେଖାଯାଉ ନ ଥିବାରୁ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଅନ୍ୟ ପଟେ ଉକ୍ତ ସ୍ଥାନଟି ବଡ଼ ବୁଲାଣି ହୋଇଥିବା ଯୋଗୁଁ ଅନେକ ସମୟରେ ସେଠାରେ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳିଛି । ଏଭଳିକି ଉକ୍ତ ବୁଲାଣିରେ ଜାତୀୟ ରାଜପଥ ବିଭାଗ ପକ୍ଷରୁ କୌଣସି ସତର୍କ ସୂଚନା ଫଳକ ଲାଗି ନ ଥିବାରୁ ସନ୍ଧ୍ୟା କିମ୍ବା ରାତ୍ରି ସମୟରେ ରାଜ୍ୟ ତଥା ଜିଲ୍ଲା ବାହାରୁ ଆସିଥିବା ଗାଡ଼ି ଡ୍ରାଇଭରମାନେ ବୁଲାଣି ଥିବା ଜାଣି ନପାରି ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଏଣୁ ଉକ୍ତ ସ୍ଥାନରେ ସୂଚନା ଫଳକ ଲଗାଇବାକୁ ପର୍ଯ୍ୟଟକ ମାନେ ଦାବି କରିଛନ୍ତି । ଘଟଣାସ୍ଥଳରେ ଦାରିଙ୍ଗବାଡ଼ି ପୋଲିସ ପହଂଚି ତଦନ୍ତ କରିଛି । ଅଂଚଳବାସୀ ସେହି ବୁଲାଣିରେ ରେଡିୟମର ସତର୍କ ସୂଚନା ଲଗାଯିବାକୁ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ