‘ବସୁଧା’ପାନୀୟଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ଦାବିରେ ଗ୍ରାମବାସୀଙ୍କ ଫେରାଦ

ବାଲେଶ୍ୱର, (ସରୋଜ ପଣ୍ଡା) : ରାଜନୈତିକ ତିକ୍ତତା ସରକାରୀ ଯୋଜନା ସଫଳ ରୂପାୟନରେ କିପରି ଅନ୍ତରାୟ ହୋଇଥାଏ, ତାହାର ଜ୍ୱଳନ୍ତ ପ୍ରମାଣ ରେମୁଣା ବ୍ଲକ ଗନିପୁର ପଞ୍ଚାୟତରେ ପ୍ରତିଫଳିତ ହୋଇଛି । ଖାସ ଏହିଭଳି ତିକ୍ତତା ପାଇଁ କେବଳ ଗନିପୁର ପଞ୍ଚାୟତ ନୁହେଁ ବରଂ ରେମୁଣା ବ୍ଲକର ବିଭିନ୍ନ ପଞ୍ଚାୟତକୁ ବସୁଧା ଯୋଜନାରେ ଆସିଥିବା ଏକାଧିକ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ ହୋଇପାରୁ ନାହିଁ । ପ୍ରକଳ୍ପ କାର୍ଯ୍ୟକାରିତାରେ ବିଭାଗୀୟ କାଳକ୍ଷେପଣ ନୀତିକୁ ନେଇ ତବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଏହି ପରିପ୍ରେକ୍ଷୀରେ ଗ୍ରାମାବାସୀମାନେ ସୋମବାର ଜିଲାପାଳଙ୍କଠାରେ ଗୁହାରୀ କରିଛନ୍ତି । ସେମାନଙ୍କ ଆପତ୍ତି ଅନୁସାରେ ଦୀର୍ଘଦିନର ଦାବି ପରେ ଗନିପୁର ପଞ୍ଚାୟତର ରାୟନଗର, ମହୋତ୍ସବ ପଡ଼ିଆ ଓ କହଁରାଳି ଜଗନ୍ନାଥପୁର ଆଦି ଅଞ୍ଚଳରେ ୩ ଗୋଟି ପାନୀୟ ଜଳ ପ୍ରକଳ୍ପକ ସରକାରୀ ଅନୁମୋଦନ ସହ ଅର୍ଥ ମଞ୍ଜୁର ହୋଇଥିଲା । ଜିଲା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ (ଆରଡବ୍ଲ୍ୟୁଏସଏସ) ବିଭାଗ ପକ୍ଷରୁ ଏହି ପ୍ରକଳ୍ପର ଟେଣ୍ଡର ପ୍ରକ୍ରିୟା ଶେଷ ସହ ନିର୍ମାଣକାରୀ ସଂସ୍ଥାକୁ କାର୍ଯ୍ୟାଦେଶ ମଧ୍ୟ ପ୍ରଦାନ କରାଯାଇଛି । ମାତ୍ର ରେମୁଣା ବିଧାୟକ ପ୍ରକଳ୍ପ ଶିଳାନ୍ୟାସ ନ କରିବା ଯୋଗୁଁ କାର୍ଯ୍ୟ ଆରମ୍ଭ ହେଉନାହିଁ ଓ ଉଦଘାଟନ ନ କରିବା ଯୋଗୁଁ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ପ୍ରକଳ୍ପ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରୁ ନଥିବା ସମ୍ପୃକ୍ତ ଅଞ୍ଚଳ ବାସିନ୍ଦା ଆରୋପ କରିଛନ୍ତି । ଏନେଇ ଗ୍ରାମବାସୀମାନେ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କୁ ପଚାରିଥିଲେ । ବିଧାୟକ ନଡ଼ିଆ ଭାଙ୍ଗିବା ପରେ ଯାଇ କାର୍ଯ୍ୟ ଆରମ୍ଭ ହେବ ବୋଲି ଉଭୟ କହିଥିବା ଗ୍ରାମବାସୀ ସୂଚନା ଦେଇଛନ୍ତି । ବିଭାଗୀୟ ଅବହେଳାକୁ ନେଇ ଏହି ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବର୍ତ୍ତମାନ ମହିଳା ସରପଞ୍ଚଙ୍କ ଦିଅର ଲକ୍ଷ୍ମୀକାନ୍ତ ଦାସଙ୍କ ନେତୃତ୍ୱରେ ବହୁ ଗ୍ରାମାବସୀ ଜିଲାପାଳଙ୍କୁ ଭେଟି ଦୁଃଖ ଜଣାଇଛନ୍ତି । ଯେଉଁ ପଞ୍ଚାୟତର ଅନ୍ୟାନ୍ୟ ରାଜନୈତିକ ଦଳ ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟ ଅଛନ୍ତି ସେ ପଞ୍ଚାୟତର କୌଣସି ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ କିମ୍ବା ଉଦଘାଟନ କରିବାକୁ ଯାଉ ନଥିବା ସେମାନେ ଜିଲାପାଳଙ୍କୁ ଅବଗତ କରିଛନ୍ତି । ଯଦି ବିଧାୟକ ଶିଳାନ୍ୟାସ କିମ୍ବା ଉଦଘାଟନ କରିବାକୁ ନ ଯାଉଛନ୍ତି, ତାହାଲେ ଜିଲାପାଳ କିମ୍ବା କୌଣସି ପ୍ରଶାସନିକ ଅଧିକାରୀ ଏହି କାର୍ଯ୍ୟ କରନ୍ତୁ, ନତୁବା ବିନା କାର୍ଯ୍ୟକ୍ରମରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ପାଇଁ ସେମାନେ ନିବେଦନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଗ୍ରାମବାସୀମାନେ ଏକ ଦାବି ସମ୍ବଳିତ ସ୍ମାରକପତ୍ର ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ