କୁରିଗାଁ ପଂଚାୟତ ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ଘୋଷଣା
ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ପଂଚାୟତ ନିର୍ବାଚନ ପାଖେଇ ଆସୁଥିବାବେଳେ ବିଭିନ୍ନ ରାଜନୈତିକ ଦଳ ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀଙ୍କ ନାମ ଘୋଷଣା ପାଇଁ ବ୍ୟଗ୍ର ହୋଇଉଠିଛନ୍ତି । ଏହି ପରିପ୍ରେକ୍ଷୀରେ ଭଣ୍ଡାରିପୋଖରୀ ବିଜେଡି ପକ୍ଷରୁ ବିଭିନ୍ନ ପଞ୍ଚାୟତର ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ବ୍ଲକ ଅଧିନ କୁରିଗାଁ ପଂଚାୟତ ପକ୍ଷରୁ ଦଳୀୟ କାର୍ଯ୍ୟାଳୟ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ବିଧାୟକଙ୍କ ପ୍ରତିନିଧି ତଥା ରାଜ୍ୟ ବିଜେଡି ସମ୍ପାଦକ ପ୍ରୟାସକାନ୍ତି ସାମଲ ଯୋଗଦେଇଥିଲେ । ପଂଚାୟତ ସଭାପତି ଦେବେନ୍ଦ୍ରନାଥ ଧଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ ୧୪ଗୋଟି ୱାର୍ଡର ଛାମୁଆ କର୍ମୀ ମାନେ ଯୋଗ ଦେଇ ସେମାନଙ୍କ ସୁଚିନ୍ତିତ ମତାମତ ଦଳୀୟ ନେତୃତ୍ୱଙ୍କୁ ପ୍ରଦାନ କରିଥିଲେ । ଉପସ୍ଥିତ ଥିବା ଶ୍ରୀ ସାମଲ ସମସ୍ତ ଆଲୋଚନା ଓ ପର୍ଯ୍ୟାଲୋଚନାକୁ ଭିତ୍ତିକରି ସର୍ବ ସମ୍ମତି କ୍ରମେ କୁରିଗାଁ ପଂଚାୟତ ପାଇଁ ସରପଞ୍ଚ ପ୍ରାର୍ଥୀନୀ ଭାବେ ସାଧନାଞ୍ଜଳି ମହାପାତ୍ର ଓ ସମିତି ସଭ୍ୟା ପ୍ରାର୍ଥୀନୀ ଭାବେ ଅନିତା ବଳଙ୍କ ନାମକୁ ଘୋଷଣା କରିଥିଲେ । ଉକ୍ତ ବୈଠକରେ ଯୁବ ବିଜେଡି ନେତା ଉତ୍କଳ କେଶରୀ ମହାନ୍ତି, ଶିକ୍ଷାବିତ ଘନଶ୍ୟାମ ଥାଟୋଇ, ଦିବାକର ଜେନା, ଆନନ୍ଦ ରାଉତ, ଶରତ କୁମାର ରାଉତ, ରାଜେଶ ବାରିକ, ସତୀଶ କୁମାର ରାଉତ, ନରେନ୍ଦ୍ର କୁମାର ନାୟକ,ରଞ୍ଜନ ସାମଲ ପ୍ରମୁଖ ଉପସ୍ଥିତ ଥିଲେ । ଯୁବନେତା ଦେବପ୍ରସନ୍ନ ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।


