ଜେଆଇଟିଏମ ନନ୍ ଟିଚିଙ୍ଗ ଷ୍ଟାଫ୍ ୟୁନିୟନର ବୈଠକ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଉପକଣ୍ଠରେ ଥିବା ଜଗନ୍ନାଥ ଇନିଷ୍ଟିଟ୍ୟୁଟ ଅଫ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ (ଜେଆଇଟିଏମ୍)ର ତୃତୀୟ ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀ ମାନଙ୍କ ମାସିକିୟା ଦରମା ଏବଂ ଛୁଟି ଓ ନିଜସ୍ୱ ଆଇନଗତ ମୌଳିକ ଅଧିକାରରୁ ବଂଚିତକୁ ନେଇ ଏକ ବୈଠକ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ୧୯୯୭ରୁ ଏହି କର୍ମଚାରୀମାନେ ନିଯୁକ୍ତି ପାଇଥିଲେ ମଧ୍ୟ ମୌଳିକ ଅଧିକାରରୁ ବଂଚିତ ହୋଇଥିବା ଆଲୋଚନା କରାଯାଇଛି । ଏଥିରେ ବହୁ ମହିଳା କର୍ମଚାରୀମାନେ ଅଧିକାରରୁ ବଂଚିତ ହୋଇଛନ୍ତି । ଏ ନେଇ ସମସ୍ତ ଜେଆଇଟିଏମର ତୃତୀୟ ଏବଂ ଚତୁର୍ଥ କର୍ମଚାରୀମାନେ ଏକତ୍ରିତ ହୋଇ ସମାଧାନ ପାଇଁ ଆଲୋଚନା କରିଥିଲେ । ଏଥିରେ ସଭାପତି ରଞ୍ଜନ କୁମାର ମହାପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ଆଦିବାସୀ ଅଧିକାରୀ ମଞ୍ଚର ସଭାପତି ଦଣ୍ଡପାଣି ରଇତ, ସମ୍ପାଦକ ସାଲୁ ମାରାଣ୍ଡି, ଗଜପତି ମୋଟର ଟ୍ରାନ୍ସଫର ୟୁନିୟନର ସଭାପତି ରାମ ରାଜୁ, ସମ୍ପାଦକ ନରସିଂହ ମାଳବିଶୋୟୀ ଏବଂ ଖାଉଟି ଅଧିକାର ସୁରକ୍ଷା ସଂଘର ସଦସ୍ୟମାନେ ଉପସ୍ଥିତ ରହି ମୌଳିକ ଅଧିକାର କିଭଳି ପାଇବେ ସେନେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଶେଷରେ ନରସିଂହ ମାଳବିଶୋୟୀ ଧନ୍ୟବାଦ ଅର୍ପଣ କରିଥିଲେ ।


