ପାରଳା ମହାରାଜା ହାଇସ୍କୁଲ ଛାତ୍ରାବାସର ପୁନଃଉଦ୍ଧାର କାର୍ଯ୍ୟ ଆରମ୍ଭ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ରାବାସର ପୁନଃଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ପ୍ରକାଶ ଯୋଗ୍ୟ ଯେ, ଶତାଧିକ ବର୍ଷ ହେଲା ଥିବା ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ଏକ ଛାତ୍ରାବାସ ରହିଥିଲା । ଉକ୍ତ ଛାତ୍ରାବାସଟି ଦୁର୍ଗମ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ଶିକ୍ଷା କ୍ଷେତ୍ରରେ ଉନ୍ନତି ପାଇଁ ଗତ ୧୯୭୧ ମସିହାରେ ନିର୍ମାଣ କରାଯାଇଥିଲା । ତେବେ ୧୯୮୩ ମସିହାରେ ଏହାକୁ ଛାତ୍ରୀମାନଙ୍କ ଲାଗି ଶିକ୍ଷାର ବିକାଶ କରିବା ପାଇଁ ମହିଳାମହାବିଦ୍ୟାଳୟ ଭାବେ ଏହାକୁ ବ୍ୟବହୃତ କରାଯାଇଥିଲା । ଏହାପରେ ମହିଳା ମହାବିଦ୍ୟାଳୟର ଏକ ସ୍ଥାୟୀ କୋଠା ଗୃହ ନିର୍ମାଣ କରାଯାଇ ୨୦୦୯ ମସିହାରେ ସ୍ଥାନାନ୍ତିରତ ହୋଇଥିଲ। । ଏହାପରେ ଏହା ଭୂତକୋଠୀ ଭାବେ ପରିଣତ ହୋଇଥିଲେ ମଧ୍ୟ ୨୦୧୨ ମସିହାରେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଭାବେ ରୂପାନ୍ତିକରଣ କରାଯାଇଥିଲା । ହେଲେ ୨୦୨୦ ମସିହାରେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସହର ଉପକଣ୍ଠସ୍ଥ ବେତାଗୁଡା ଠାରେ ନୂତନ କୋଠା ନିର୍ମାଣ ହେବାରୁ କାର୍ଯ୍ୟାଳୟଟି ସେଠାକୁ ସ୍ଥାନାନ୍ତରିତ ହୋଇଥିଲା । ଏହିପରି ମହାରାଜାଙ୍କ ବାଳକ ବିଦ୍ୟାଳୟର ଏହି ଛାତ୍ରାବାସଟିକୁ ଯିଏ ପାରିଲା ଯେଉଁ ସମୟରେ ସେ ଏହାକୁ ବ୍ୟବହୃତ କରିଚାଲିଥିଲା । ତେବେ ଏଠାରେ ନୂତନ ଟାଉନହଲ ନିର୍ମାଣ ପାଇଁ ପୌରପରିଷଦ ସଜବାଜ ହେଉଥିବା ବେଳେ ଏହାକୁ ନେଇ ପାରଳାର ବୁଦ୍ଧିଜୀବୀମାନେ ଏକତ୍ରିତ ହୋଇ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ମଧ୍ୟ ହୋଇଥିଲେ । ଏହା ସହ ବୁଦ୍ଧିଜୀବୀମାନେ ନାପସନ୍ଦ କରିବା ଛାତ୍ରାବାସଟିକୁ ପୂର୍ବପରି ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଅଧିନରେ ରଖିବା ପାଇଁ ନିବେଦନ କରିଥିଲେ । ଏହାକୁ ଗୁରୁତର ସହ ଜିଲ୍ଲାପ୍ରଶାସନ ବିଚାର ବିମର୍ଶ କରି ଶେଷରେ ଛାତ୍ରାବାସଟି ହାଇସ୍କୁଲ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିଛି । ଏନେଇ ବୁଦ୍ଧିଜୀବୀ ଏବଂ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ତେବେ ଆଜି ହାଇସ୍କୃଲ କର୍ତ୍ତୃପକ୍ଷ ରକ୍ଷଣାବେକ୍ଷଣ ପାଇଁ ଆବଶ୍ୟକୀୟ ମରାମତି କରୁଥିବାର ପରିଲିକ୍ଷିତ ହୋଇଛି । ପୌରପରିଷଦର କନିଷ୍ଠଯନ୍ତ୍ରୀ ଏମ୍.ଯୁଧିଷ୍ଠିରଙ୍କୁ ପଚରାଯିବାରେ କହିଛନ୍ତି ଯେ, ପୌରପରିଷଦ ପକ୍ଷରୁ ଉକ୍ତ ଛାତ୍ରାବାସଟି ହାଇସ୍କୃଲ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରି ଦିଆଯାଇଥିବାର ଜଣାଇଛନ୍ତି । ନୂତନ ଟାଉନ ହଲ ନିର୍ମାଣ ପାଇଁ ଅନ୍ୟସ୍ଥାନ ଚିହ୍ନଟ କରି କାର୍ଯ୍ୟ କରାଯିବ କିନ୍ତୁ ବର୍ତ୍ତମାନ ଏହି ଛାତ୍ରାବାସ କୋଠା ଉପରେ ଆମର ଆଉ ଅଧିକାର ନାହିଁ ବୋଲି ଜଣାଇଛନ୍ତି । ଏନେଇ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଡ.ବୃଶକେତୁ ଦାସ ଜଣାଇଛନ୍ତି ଯେ, ଆମର ତୁରନ୍ତ ସେଠାରେ ଛାତ୍ରାବାସ କାର୍ଯ୍ୟକ୍ଷମ ହେବ ସେଥି ସକାଶେ ମରାମତି ଓ ରକ୍ଷଣାବେକ୍ଷଣ ବା ପୁନଃଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରୁଛୁ ।


