ଜଗତସିଂହପୁର ଜିଲ୍ଲା ତଥା ରାଜ୍ୟରେ ପ୍ରଥମ ଓମିକ୍ରନ ଚିହ୍ନଟ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ) : ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ତିରୁଣା ପଂଚାୟତରେ ଜଣେ ୪୩ ବର୍ଷୀୟ ବିଦେଶ ଫେରନ୍ତାକୁ ଓମିକ୍ରନ ସଂକ୍ରମିତ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ମଙ୍ଗଳବାର ସୂଚନା ପ୍ରଦାନ କରାଯାଇଛି । ଓମିକ୍ରନ ଚିହ୍ନଟ ପରେ ଏହା ରାଜ୍ୟ ତଥା ଜିଲ୍ଲାର ପ୍ରଥମ ଓମିକ୍ରନ ବୋଲି ଜଣାଯାଇଛି । ଉକ୍ତ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଂଚଳର ଜନସାଧାରଣମାନେ ଭୟଭୀତ ହୋଇଛନ୍ତି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅତିରିକ୍ତ ଜିଲ୍ଲା ମେଡିକାଲ ଅଧିକାରୀଙ୍କ ସହିତ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକ୍ଷକ ଡା. ମାନସ ମହାପାତ୍ରଙ୍କ ନେତୃତ୍ୱରେ ଏକ ଟିମ ଓମିକ୍ରନ ସଂକ୍ରମିତଙ୍କ ଗ୍ରାମରେ ପହଂଚି ପରିବାରର ସମସ୍ତ ସଦସ୍ୟ ଓ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଜନସାଧାରଣଙ୍କୁ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି । ଓମିକ୍ରନ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ଫର୍ଶରେ ଆସିଥିବା ସମସ୍ତଙ୍କର ନମୁନା ପରୀକ୍ଷା କରାଯିବ ବୋଲି ସୂଚନା ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ ଯେ ଉକ୍ତ ପଂଚାୟତର ଜୈନିକ ବ୍ୟକ୍ତି ସୁଦୂର ଆରବ ଦେଶର କତାରରେ ରହୁଥିଲେ । ଗତ ୧୫ ତାରିଖରେ ଓଡିଶା ଫେରିବା ସହିତ ନିଜ ଘରକୁ ଆସିଥିଲେ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତାଙ୍କର ଆରଟି ପିସିଆର ଟେଷ୍ଟ ଗତ ୧୬ ତାରିଖରେ କରାଯାଇଥିଲା । ଉକ୍ତ ପରୀକ୍ଷାରେ କରୋନା ସଂକ୍ରମିତ ଥିବା ଜଣାପଡିଥିଲା । ଗତ ଶୁକ୍ରବାର ସଂଧ୍ୟାରେ ବିଦେଶ ଫେରନ୍ତାଙ୍କ ଘରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡା. ଅନୁଭବ ଦାସ, ସ୍ୱାସ୍ଥ୍ୟ ପର୍ଯ୍ୟବେକ୍ଷକ ତ୍ରିଲୋଚନ ମହାନ୍ତି, ଆନନ୍ଦ ପ୍ରସାଦ ମହାନ୍ତି, ସ୍ୱାସ୍ଥ୍ୟକର୍ମୀ ପ୍ରସନ୍ନ କୁମାର ସାହୁ, ଆଶାକର୍ମୀ ମୋହିନ ମଲ୍ଲିକ ପ୍ରମୁଖ ପହଁଚି ପରିବାର ସମସ୍ତ ସଦସ୍ୟ ବାହାରକୁ ନ ବାହାରିବାକୁ ପରାମର୍ଶ ଦେଇଥିଲେ । ସଂପୃକ୍ତ ବିଦେଶ ଫେରନ୍ତାକୁ ପାରାଦ୍ୱୀପସ୍ଥିତ କୋଭିଡି କେୟାର ହସ୍ପିଟାଲଙ୍କୁ ନିଆଯାଇଥିଲା ।


