ଭାରତୀୟ ସଂସ୍କୃତିର ବିକାଶ ପାଇଁ ପ୍ରସାର ଭାରତୀ ଏବଂ ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ ମଧ୍ୟରେ ବୁଝାମଣା
ନୂଆଦିଲ୍ଲୀ, (ଓ୍ବାଇଏନ୍ଏସ୍) : ଭାରତୀୟ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରସାର ଭାରତୀ ଏବଂ ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ ଆଜି ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି। ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ (ଆଇସିସିଆର) ସହିତ ଜଡିତ ବିଶିଷ୍ଟ କଳାକାରଙ୍କ ପ୍ରଦର୍ଶନ ଦୂରଦର୍ଶନର ଜାତୀୟ ତଥା ଅନ୍ତର୍ଜାତୀୟ ଚ୍ୟାନେଲରେ ପ୍ରସାରିତ ହେବ। ନୃତ୍ୟ ଏବଂ ସଂଗୀତ ଭିତ୍ତିକ କାର୍ୟ୍ୟକ୍ରମକୁ ଡିଡି ନ୍ୟାସନାଲ, ଡିଡି ଇଣ୍ଡିଆ, ଦୂରଦର୍ଶନର ଆଞ୍ଚଳିକ ଚ୍ୟାନେଲ ଏବଂ ପ୍ରସାର ଭାରତୀ ନ୍ୟୁଜ୍ ସର୍ଭିସେସ୍ (ପ୍ରସାର ଭାରତୀର ଡିଜିଟାଲ୍ ପ୍ଲାଟଫର୍ମ) ରେ ଏକ ସାପ୍ତାହିକ କାର୍ଯ୍ୟକ୍ରମ ଆକାରରେ ପ୍ରଦର୍ଶିତ କରାଯିବ । ଜାତୀୟ ତଥା ଅନ୍ତର୍ଜାତୀୟ ଦର୍ଶକଙ୍କ ପାଇଁ ଭାରତୀୟ ସଂସ୍କୃତିର ସର୍ବୋତ୍ତମ ପ୍ରଦର୍ଶନ ଏବଂ ପ୍ରଦର୍ଶନକାରୀ କଳାକାରମାନଙ୍କୁ ଟିଭି ଏବଂ ଡିଜିଟାଲ୍ ପ୍ଲାଟଫର୍ମ ଯୋଗାଇବା ପାଇଁ ଏହି ଏମଓୟୁ ଲକ୍ଷ୍ୟ ରଖିଛି। ଆଇସିସିଆର ଦ୍ୱାରା ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ / କନ୍ସର୍ଟ / ସଂଗୀତ / ନୃତ୍ୟର ପ୍ରଦର୍ଶନ ଉପରେ ଆଧାର କରି ଆଇସିସିଆର ସହଯୋଗରେ, ଦୂରଦର୍ଶନ ୫୨ ଟି ଅଧ ଘଣ୍ଟା ବିଶିଷ୍ଟ ଏପିସୋଡ୍ ପ୍ରସ୍ତୁତ କରିବ। ଏହି ଏମଓୟୁ ମାୟାଙ୍କ କୁମାର ଅଗ୍ରୱାଲ, ମହାନିର୍ଦ୍ଦେଶକ, ଦୂରଦର୍ଶନ ଓ ଦିନେଶ କୁମାର ପଟ୍ଟନାୟକ, ମହାନିର୍ଦ୍ଦେଶକ, ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦଙ୍କ ମଧ୍ୟରେ ସ୍ବାକ୍ଷରିତ ହୋଇଥିଲା ଏବଂ ଏହି ଅବସରରେ ଶଶି ଶେଖର ଭେମ୍ପତି, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ପ୍ରସାର ଭାରତୀ, ଡି ପି ଏସ ନେଗି, ସଦସ୍ୟ (ଫାଇନାନ୍ସ), ପ୍ରସାର ଭାରତୀ ଓ ପ୍ରସାର ଭାରତୀ ଏବଂ ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ଏହି ଏମଓୟୁ ଡିସେମ୍ବର ୨୦୨୧ ଠାରୁ ଡିସେମ୍ବର ୨୦୨୪ ପର୍ୟ୍ୟନ୍ତ ତିନି ବର୍ଷ ନିମନ୍ତେ କାର୍ୟ୍ୟକ୍ଷମ ରହିବ।


