ଟି-ସେତୁ ବିଦ୍ୟାରତ୍ନଙ୍କ ନାମରେ ହେବାକୁ ଦାବି
କଟକ, (ଯୁଗାବ୍ଦ ନ୍ୟୁଜ) : କଟକ ଜିଲ୍ଲାର ଗମନାଗମନ କ୍ଷେତ୍ରରେ ବଡ଼ମ୍ବା ଏବଂ ବାଙ୍କୀ ମଧ୍ୟରେ ଯୋଡ଼ି ହେଲା ବିକାଶର ଫର୍ଦ୍ଦ । ଗତକାଲି ମୁଖ୍ୟମନ୍ତ୍ରୀ ବଡ଼ମ୍ବାର ଗୋପୀନାଥପୁରଠାରେ ଆୟୋଜିତ ଜନସଭାରେ ଆନୁଷ୍ଠାନିକ ଭାବେ ଲୋକାର୍ପଣ କରିଛନ୍ତି ମହାନଦୀ ଉପରେ ୧୧୧ କୋଟି ଟଙ୍କାର ୩ କିଲୋମିଟର ୧୩୯ ମିଟରରୁ ଉର୍ଦ୍ଧ୍ୱ ବଡ଼ମ୍ବା ଗୋପୀନାଥପୁର-ବାଙ୍କୀ ବୈଦେଶ୍ୱର ଏବଂ ବାବା ସିଂହନାଥଙ୍କ ମନ୍ଦିରକୁ ସଂଯୋଗ ନୂତନ ଟି-ସେତୁ ପ୍ରକଳ୍ପ । ଏହି ସେତୁ ହେବା ଫଳରେ ଗୋପୀନାଥପୁର-ସିଂହନାଥ ପୀଠ-ବୈଦେଶ୍ୱର ମଧ୍ୟରେ ୪୫ କିଲୋମିଟର ଦୂରତ୍ୱ କମିବା ଫଳରେ ୫ ଲକ୍ଷ ଲୋକ ଉପକୃତ ହେବେ । ଏଥି ସହ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କାର ଯୋଗେ ନୂତନ ସେତୁରେ ପ୍ରସିଦ୍ଧ ସିଂହନାଥଙ୍କ ଶୈବପୀଠକୁ ଯାଇ ସେଠାରେ ସେବାୟତଙ୍କଠାରୁ ବାବା ସିଂହନାଥଙ୍କ ଶୈବପୀଠକୁ ଯାଇ ସେଠାରେ ସେବାୟତଙ୍କଠାରୁ ବାବା ସିଂହନାଥଙ୍କ ଆଜ୍ଞାମାଳ ସହିତ ଆଶୀର୍ବାଦ ମଧ୍ୟ ଗ୍ରହଣ କରିଛନ୍ତି । ଏହି ଲୋକାର୍ପଣ ମହୋତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, କଟକ ସାଂସଦ ଭର୍ତ୍ତୃହରି ମହତାବ, ବଡ଼ମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର, ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ । ପ୍ରତିବର୍ଷ ବଡ଼ମ୍ବା ବ୍ଲକ୍ ଗୋପୀନାଥପୁରରେ ବାବା ସିଂହନାଥଙ୍କ ପ୍ରସିଦ୍ଧ ବାଲି ମକର ଯାତ୍ରା ପାଇଁ ମହାନଦୀରେ ୩ କିଲୋମିଟର ପର୍ଯ୍ୟନ୍ତ ମାଟି ରାସ୍ତା ନିର୍ମାଣ ହେଉଥିଲା । ଏଥିପାଇଁ ୧୪ରୁ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିଲା । ପରେ ବର୍ଷା ଦିନେ ମାଟି ରାସ୍ତାଟି ଭାସି ଯାଉଥିଲା । ସେତୁ ନିର୍ମାଣ ପାଇଁ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ସରକାରଙ୍କ ନିକଟରେ ଦାବି ହୋଇ ଆସୁଥିବା ବେଳେ ଶେଷରେ ତାହା ସାକାର ହୋଇଛି । ଜନସାଧାରଣଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ୨୦୧୪ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସେତୁର ଶିଳାନ୍ୟାସ କରିଥିଲେ । କିନ୍ତୁ କିଛି ବୈଷୟିକ ତ୍ରୁଟି କାରଣରୁ ଏହାର ନିର୍ମାଣ କାର୍ଯ୍ୟରେ ବିଳମ୍ବ ଘଟି ୨୦୧୮ ମସିହାରେ ସେତୁର ନିର୍ମାଣ ଆରମ୍ଭ ହୋଇଥିବା ସମୟେ ଗତକାଲି ଏହି ସେତୁର ଲୋକାର୍ପଣ ହୋଇଛି । ଏହି ଟି-ସେତୁ ଓଡ଼ିଶାର ସର୍ବବୃହତ୍ ସେତୁ ବୋଲି ଜଣାପଡ଼ିଛି କିନ୍ତୁ ସବୁଠୁ ବଡ଼ ଦୁଃଖର ବିଷୟ ହେଲା ସେତୁର ନାମକରଣ ବର୍ତ୍ତମାନ ପର୍ଯ୍ୟନ୍ତ ହୋଇନାହିଁ । ପୂର୍ବରୁ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ସଭାପତି, ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶା ନାଗରିକ ମହାମଞ୍ଚର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ ଶତପଥୀ ଏହି ସେତୁଟି ବାଙ୍କୀର ବରପୁତ୍ର ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ନାମରେ ନାମିତ କରିବାକୁ ପୂର୍ତ୍ତ ଓ ସଂସ୍କୃତି ବିଭାଗକୁ ଚିଠି ଲେଖି ଦାବି କରିଥିଲେ । ବାଙ୍କୀ ପୂଜ୍ୟପୂଜା ଅଭିଯାନର ସଭାପତି ସୁନୀଲ କୁମାର ମିଶ୍ର, ମୁଖପାତ୍ର ଅରବିନ୍ଦ ତ୍ରିପାଠୀ, କାମଦେବ ମହାପାତ୍ର, ନାରାୟଣ ଓଝାଙ୍କ ସହିତ ବହୁ ବୁଦ୍ଧିଜୀବୀ, ସ୍ୱେଚ୍ଛାସେବୀ ସଙ୍ଗଠନ ସରକାରଙ୍କୁ ନୀଳମଣି ବିଦ୍ୟାରତ୍ନଙ୍କ ନାମରେ ଉକ୍ତ ସେତୁଟି ନାମକରଣ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ମାତ୍ର ରାଜନୀତିର ଛକାପଞ୍ଝା ଭିତରେ ଏହା ହୋଇ ପାରିଲା ନାହିଁ । ତେଣୁ ସରକାର ବୈଦେଶ୍ୱରର ବାଗ୍ମୀ ବିଦ୍ୟାରତ୍ନଙ୍କ ନାମରେ ସେତୁ ନାମକରଣ କରିବା ପାଇଁ ଉଚିତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି କହିଛନ୍ତି । ଏଥିସହିତ ସ୍ଥାନୀୟ ଅଞ୍ଚଳବାସୀଙ୍କ ଦାବି ମଧ୍ୟ ସେଇଆ ଥିଲା । କିନ୍ତୁ ଏହି ଦାବିକୁ ଏପର୍ଯ୍ୟନ୍ତ ବିଚାରକୁ ନିଆଗଲା ନାହିଁ, ଯାହାକି ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି ।