ଚୌଦ୍ୱାର ଜେଲରେ ପିଛା ଛାଡ଼ୁନି ବିବାଦ: ପୁରୁଷ ବନ୍ଦୀଙ୍କୁ ଯୌନ ଶୋଷଣ ଅଭିଯୋଗ
କଟକ, (ଓ୍ବାଇଏନଏସ): ଜେଲ୍ ବିଭାଗର ପିଛା ଛାଡ଼ୁନି ବିବାଦ। ଗୋଟିଏ ବିବାଦ ନ ଥମୁଣୁ ଆଉ ଗୋଟେ ବିବାଦ ଜେଲ୍ ବିଭାଗକୁ ବଦନାମ କରୁଛି। ଏହା କେବଳ ଜେଲ ବିଭାଗ ନୁହେଁ ସରକାରଙ୍କ ଛବିକୁ ମଧ୍ୟ ମଳିନ କରୁଛି। ଏପରି ସମୟରେ ଚୌଦ୍ୱାର ଜେଲରେ ଜଣେ କଏଦୀଙ୍କ ଯୌନ ଶୋଷଣ ଭଳି ଅଭିଯୋଗ ଚପାଇ ଦେଇଥିବା ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ଯାହା ଜେଲ୍ ବିଭାଗର ଅଡୁଆ ବଢ଼ାଇ ଦେଇଛି।ଗୋଟିଏ ପରେ ଗୋଟିଏ ବିବାଦରେ ଛନ୍ଦି ହୋଇଥିବା ଚୌଦ୍ୱାର ଜେଲ ପୁଣି କଳଙ୍କିତ। ବିଚାରଧିନ ପୁରୁଷ ବନ୍ଦୀକୁ ନିଶା ଦେଇ ଜଣେ କଏଦୀ ଅପ୍ରାକୃତିକ ଯୌନ ଶୋଷଣ କରିଥିବା ଅଭିଯୋଗ ହୋଇଛି। ଏହାଠୁ ବଳି ଚାଞ୍ଚଲ୍ୟକର ଖବର ହେଉଛି ଜେଲ କର୍ତ୍ତୃପକ୍ଷ ମାମଲାକୁ ଜେଲର ଚାରିକାନ୍ଥ ଭିତରେ ଚାପି ଦେବାକୁ ଉଦ୍ୟମ କରୁଛନ୍ତି। ପୀଡିତ ଲିଖିତ ଅଭିଯୋଗ କରିବା ସତ୍ତ୍ୱେ ଆଜି ଯାଏଁ ଚୌଦ୍ୱାରା ଥାନାରେ ଏତଲା ଦେଇ ନାହାନ୍ତି। କଡା ସୁରକ୍ଷା ବଳୟରେ ଥିବା ଚୌଦ୍ୱାର ଜେଲ୍ରେ ଯୌନ ନିର୍ୟାତନା ଜେଲ୍ ବିଭାଗ ପାଇଁ ଲଜ୍ୟାଜନକ ପରିସ୍ଥିତି ସୃଷ୍ଟି କରିଛି । ଅଭିଯୋଗ ମୁତାବକ ଗତ ୨୧ ତାରିଖରେ ଚୌଦ୍ବାର ଜେଲ ରୋଷେଇ ଘର ଶୌଚାଳୟରେ ଘଟିଥିଲା ଏହି କାଣ୍ଡ। ଏକ ହତ୍ୟା ମାମଲାରେ ସଜା କାଟୁଥିବା କଏଦୀ କାହ୍ନା ନାୟକ ୧୮ ବର୍ଷ ବୟସ୍କ ବନ୍ଦୀକୁ ଡାକି ନିଶା ଦେଇ ଯୌନ ଶୋଷଣ କରିଥିଲା। ଧରାପଡ଼ିବା ପରେ ଉଭୟଙ୍କ ବୟାନ ରଖାଯାଇଥିଲେ ବି ରିପୋର୍ଟ କରାଯାଇ ନାହିଁ। ପ୍ରଶ୍ନ ଉଠୁଛି ଏଡ଼େ ବଡ଼ ସଙ୍ଗିନ ଅଭିଯୋଗକୁ କିପରି ହାଲୁକାରେ ନେଇଗଲେ ଜେଲ୍ କର୍ତ୍ତୃପକ୍ଷ? ଜଣେ ବିଚାରାଧୀନ ବନ୍ଦୀକୁ ମାନସିକ ନିର୍ୟାତନା, ଶୋଷଣ ଓ ତା’ ମନବାଧିକାରକୁ କିପରି ଜେଲ୍ ବିଭାଗ ଲୁଚାଇବାକୁ ସାହସ କଲେ? କାହା ନିର୍ଦ୍ଦେଶରେ ଚୌଦ୍ଵାର ଥାନାରେ ଏତଲା ନଦେଇ ଚାପି ଦିଆଗଲା? ବାରମ୍ବାର ଜେଲ୍ ଅଘଟଣକୁ ରୋକିବାରେ ଜେଲ୍ ଉଚ୍ଚ କର୍ତୁପକ୍ଷ ବିଫଳ ହୋଇଥିବାବେଳେ, ରାଜ୍ୟ ସରକାର ନୀରବତାକୁ ନେଇ ବରିଷ୍ଠ ଆଇନଜୀବି ପ୍ରଶ୍ନ ଉଠାଇଛନ୍ତି। ଜେଲରେ ବିବାଦ ତାଲିକା ଲମ୍ୱିବାରେ ଲାଗିଛି। ଚୌଦ୍ୱାର ଜେଲରେ ଗ୍ୟାଙ୍ଗଷ୍ଟରଙ୍କ ଥର ଗାଡ଼ି ପସିବା ଘଟଣାରେ ଏତଲା ଦିଆଯିବ କହି ଏପର୍ୟ୍ୟନ୍ତ ଜେଲ୍ ଡିଆଇଜି କି ଅଧିକ୍ଷକ ମାମଲା କଲେ ନାହିଁ। ପୂର୍ବରୁ ୨ ଦୁର୍ଦ୍ଦାନ୍ତ ବନ୍ଦୀ ଚମ୍ପଟ ଷଡ଼ଯନ୍ତ୍ର ପଛରେ ଜେଲେ ଡିଜି ସୁଶାନ୍ତ ନାଥ ଓ ଜେଲ ଅଧିକ୍ଷକ ସୁଜିତ ରାହୁଲଙ୍କ ସଂପୃକ୍ତି ଅଭିଯୋଗ ଆଣି ଏତଲା କରିବାକୁ ଲେଖିଥିଲେ ସାଂସଦ ସୁଜିତ କୁମାର। ହେଲେ ଆଇନଗତ ତର୍ଜମା କରାଯିବ କହି ପୁଲିସ ଅଟକି ଯାଇଛି। ଗୋଟିଏ ପରେ ଗୋଟିଏ ବିବାଦ ଜେଲ୍ ବିଭାଗ ପାଇଁ ଅଡୁଆ ହୋଇଛି। ପ୍ରଶ୍ନ ଉଠିଛି ଜେଲ୍ ଡିଜି ଏବଂ ଅଧିକ୍ଷକଙ୍କୁ ସୁରକ୍ଷା ଦେଉଛି କିଏ? କେବେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବେ ରାଜ୍ୟ ସରକାର? ଅନ୍ୟପଟେ ଗଣମାଧ୍ୟମରେ ପୁରୁଷ ବନ୍ଦୀଙ୍କୁ ଯୌନ ଶୋଷଣ ଖବର ପ୍ରସାରଣ ପରେ ଚୌଦ୍ଵାର ଆଇଆଇସି ଜେଲକୁ ଯାଇ ଘଟଣାର ସତ୍ୟାସତ୍ୟ ଅନୁସନ୍ଧାନ କରିଛନ୍ତି। ପୀଡ଼ିତ ବିଚାରଧୀନ ବନ୍ଦୀଙ୍କ ସହ ସଜା କାଟୁଥିବା କଏଦୀ, ଜେଲ୍ ସର୍ଦ୍ଦାର ଏବଂ ଜେଲ୍ ଅଧିକ୍ଷକଙ୍କୁ ପଚରାଉଚରା କରାଯିବା ସହ କଏଦୀ ଫେରାର ଘଟଣାରେ ଜେଲ୍ ଅଧୀକ୍ଷକଙ୍କ ଦସ୍ତାବିଜ୍ ଜାଲିଆତି ପ୍ରସଙ୍ଗରେ ମଧ୍ୟ ପଚରା ଉଚରା କରିଥିବା ଜଣାପଡ଼ିଛି । ଯୌନ ଶୋଷଣ ପ୍ରସଙ୍ଗରେ ଚୌଦ୍ଵାର କର୍ତ୍ତୃପକ୍ଷ ମାମଲା ନକରି ଚପାଇ ଦେବାକୁ ଉଦ୍ୟମ କରିଥିବା ସାମ୍ନାକୁ ଆସିବା ପରେ ତନାଘନା କରୁଛନ୍ତି ଚୌଦ୍ଵାର ଆଇଆଇସି ।


