ଓଡିଶାର ପ୍ରାଣୀ ଚିକିତ୍ସକ ଦିଲ୍ଲୀରେ ଇଣ୍ଡିଆନ୍ ଆଇକନ୍ ଆୱାର୍ଡରେ ସମ୍ମାନୀତ
ବନ୍ତ, (ଚାନ୍ଦିନୀ ମହାନ୍ତି) :ବନ୍ତ ବ୍ଲକ ଛୟାଳସିଂ ପଞ୍ଚାୟତ ମହୁଲଗଢିଆ ଗ୍ରାମ ତଥା ତିହିଡି ବ୍ଲକର ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ନିରାକର ଜେନାଙ୍କୁ ତାଙ୍କର ପ୍ରାଣୀ ଚିକିତ୍ସା ଓ ପ୍ରାଣୀ ପାଳନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଦିଲ୍ଲୀସ୍ଥିତ ନ୍ୟାସନାଲ ହ୍ୟୁମାନ ରାଇଟ୍ସ ଅର୍ଗାନାଇଜେସନ ଦ୍ୱାରା ଇଣ୍ଡିଆନ ଆଇକନ୍ ଆୱାର୍ଡରେ ସମ୍ମାନୀତ କରାଯାଇଛି । ସେଠାରେ ତାଙ୍କୁ ପ୍ରମାଣ ପତ୍ର, ଟ୍ରଫି ଓ ମେଡାଲ ଆଦି ପୁରସ୍କାର ମିଳିଛି । ଡାକ୍ତର ଜେନା ଓଡିଶା ସରକାରଙ୍କ ପ୍ରାଣୀ ପାଳନ ବିଭାଗର ଜଣେ ପ୍ରଥମଶ୍ରେଣୀ ଅଧିକାରୀ ଅଟନ୍ତି । ସେ ତାଙ୍କର ୧୬ ବର୍ଷ ସରକାରୀ ଚାକିରୀ ଭିତରେ ବିଭିନ୍ନ ସ୍ଥାନରେ ପ୍ରାଣୀ ଚିକିତ୍ସା ଓ ପ୍ରାଣୀ ପାଳନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରି ବିଭିନ୍ନ ସରକାରୀ ତଥା ସଂଗଠନ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ଗତ କରୋନା-୧୯ ମହାମାରୀ ସମୟରେ ଯେତେବେଳେ ସାରା ବିଶ୍ୱ ଆତଙ୍କିତ, ସେତେବେଳେ ଭାରତୀୟ ଚାଷୀ ନିଜର ଜୀବନ ଓ ଜୀବିକା ହରାଇବାର ଆଶଙ୍କା ମଧ୍ୟ ଦେଇ ଗତି କରୁଥିଲା । ଏହି ସମୟରେ ସେମାନଙ୍କୁ ଜୀବନ ଜୀବିକା ବଞ୍ଚାଇବା ପାଇଁ ଡାକ୍ତର ଜେନା ଏକ ଅଭିନବ ଉପାୟ ଅବଲମ୍ବନ କରି ସୋସିଆଲ ମିଡିଆକୁ ବ୍ୟବହାର କରି ଭେଟ୍ ହେଲ୍ଥ ପ୍ଲସ୍ ନାମକ ଏକ ୟୁଟ୍ୟୁବ୍ ଚ୍ୟାନେଲ, ଫେସ୍ ବୁକ୍ ପେଜ୍ ଓ ହ୍ୱାଟ୍ସ ଆପ୍ ଗ୍ରୁପ୍ କରି ପ୍ରାଣୀ ଚିକିତ୍ସା ଓ ପ୍ରାଣୀ ପାଳନ ସମ୍ବନ୍ଧରେ ବିଭିନ୍ନ ଜ୍ଞାନ, କୌଶଳ ଆଦି ବିଭିନ୍ନ ସମୟରେ ପ୍ରଦାନ କରି ଚର୍ଚ୍ଚାର ପରିସରକୁ ଆସିଥିଲେ । ଏଥିସହ ଚାଷୀ ମାନଙ୍କର ଜୀବିକା ଓ ଜୀବନକୁ ବଞ୍ଚାଇବାରେ ସକ୍ଷମ ହୋଇପାରିଛନ୍ତି । ଏଥିପାଇଁ ଏହା ପୂର୍ବରୁ ସେ ୱାରଲ୍ଡ ଜେନିୟସ ରେକର୍ଡସ୍ ନାଇଜେରିଆ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲେ । ଏହା ବ୍ୟତୀତ ତାଙ୍କୁ ୟୁନିସେଫ ମଧ୍ୟ ଉଚ୍ଚ ପ୍ରଶଂସିତ କରିଥିଲେ । ଏଥିସହିତ ଜିଲା ତଥା ରାଜ୍ୟର ବିଭିନ୍ନ ସଂସ୍ଥା ଓ ସଂଗଠନ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏଥିପାଇଁ ସେ ତାଙ୍କର ବାପା ଘଣ୍ଟେଶ୍ୱର ଜେନା, ମାତା ସ୍ୱର୍ଗତା ରମ୍ଭା ଜେନାଙ୍କ ସମେତ ପରିବାର, ବନ୍ଧୁବାନ୍ଧବ, ଶିକ୍ଷକ, ଗୁରୁଜନ, ବିଭାଗୀୟ ଉପସ୍ଥିତ ଅଧିକାରୀ ଓ ସହଯୋଗୀ କର୍ମଚାରୀ ଏବଂ ସର୍ବୋପରି ଭଗବାନଙ୍କୁ ଧନ୍ୟବାଦ ଦେବା ସହିତ ଭବିଷ୍ୟତରେ ପ୍ରାଣୀ ଚିକିତ୍ସା ଓ ପ୍ରାଣୀ ପାଳନ ମାଧ୍ୟମରେ ସମାଜ ସେବା ପାଇଁ ଏହି ପୁରସ୍କାର ପ୍ରେରଣା ଦେବ ବୋଲି ଡାକ୍ତର ଜେନା କହିିଛନ୍ତି । ଗତ ଡିସେମ୍ବର ୨୭ରେ ଦିଲ୍ଲୀସ୍ଥିତ ଲୀଳା ଆମ୍ବିୟନ୍ସ ହୋଟେଲରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ପରିବେଶ, କ୍ରୀଡା ଓ ଯୁବବ୍ୟାପାର ତଥା ଜଳ ସଂପଦ ବିଭାଗ ମନ୍ତ୍ରୀ ମାମା ନାତୁଙ୍ଗ, ବଲିଉଡ୍ ଷ୍ଟାର, ଦେଶ ତଥା ଦେଶ ବହାରର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଦେଶର ୨୬ ରାଜ୍ୟର ୨ ଶହରୁ ଉର୍ଦ୍ଧ୍ୱ ପ୍ରତିଭାଙ୍କୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଇଣ୍ଡିଆନ ଆଇକନ୍ ଆୱାର୍ଡ -୨୦୨୧ ପ୍ରଦାନ କରାଯାଇଥିଲା ।


