ସ୍ୱସ୍ତିକ ପୋଭର୍ଟି ଫାଉଣ୍ଡେସନ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର
ବାଲେଶ୍ୱର, (ସରୋଜ ପଣ୍ଡା) :ସ୍ୱେଚ୍ଛାସେବୀ ସଂଗଠନ ଏସଆରବି ସ୍ୱସ୍ତିକ ପୋଭର୍ଟି ଫାଉଣ୍ଡେସନ ଓ ବରୁଣସିଂ ଉନ୍ନୟନ କମିଟିର ମିଳିତ ସହଯୋଗରେ ନିଃଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର ଏବଂ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ସମାଜସେବୀ ମାର୍କଣ୍ଡ ସେଠୀ ଏହି ଶିବିରକୁ ଉଦଘାଟନ କରିବା ସହ ଦୁଇ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ସେ ସାଧୁବାଦ ଜଣାଇଥିଲେ । କରୋନା ଯୋଗୁଁ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉପୁଜିଥିବା ସମସ୍ୟା ସମାଧାନରେ ଏହି ଶିବିର ବେଶ ସହାୟକ ହୋଇପାରିଛି ବୋଲି କହିଥିଲେ । ବରୁଣସିଂ ଉନ୍ନୟନ କମିଟି କର୍ମକର୍ତ୍ତା ଭାସ୍କର ବେହେରା ଓ ସ୍ୱସ୍ତିକ ପୋଭର୍ଟି ଫାଉଣ୍ଡେସନର ଅଧ୍ୟକ୍ଷା ସଂଯୁକ୍ତାରାଣୀ ବେହେରା ଏଥିରେ ଯୋଗଦେଇ ଶିବିର ଆୟୋଜନର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଶିବିରରେ ୨ଶହରୁ ଊର୍ଦ୍ଧ୍ୱ ଲୋକେ ଡାକ୍ତରଙ୍କୁ ଦେଖାଇ ଆଖି ପରୀକ୍ଷା କରିଥିଲେ । ଏଥି ସହିତ ବହୁ ବ୍ୟକ୍ତି ରକ୍ତଚାପ ଓ ଡାଇବେଟିସ ବି ପରୀକ୍ଷା କରାଇଥିଲେ । ଲାୟନ୍ସ କ୍ଲବ ସହଯୋଗରେ ଆୟୋଜିତ ଏହି ଶିବିରରେ ଚକ୍ଷୁ ବିଶେଷଜ୍ଞ ଡାକ୍ତର ଅଭିମନ୍ୟୁ ମହାପାତ୍ର ଲୋକମାନଙ୍କର ଆଖି ପରୀକ୍ଷା ସହ ଔଷଧ ଓ ପରାମର୍ଶ ଦେଇଥିଲେ । ଏହି ପରୀକ୍ଷାରୁ ମୋତିଆବିନ୍ଦୁ ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଲାୟନ୍ସ କ୍ଲବ ପକ୍ଷରୁ ପରବର୍ତ୍ତୀ ସମୟରେ ସେମାନଙ୍କର ମାଗଣା ଅପରେସନ କରାଯିବ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଉର୍ମିିଳା ବେହେରା, ନିରଞ୍ଜନ ବେହେରା, ଗଙ୍ଗାଧର ପରିଡ଼ା, ରବୀନ୍ଦ୍ର ମହାକୁଡ଼, ସାବିତ୍ରୀ ବେହେରା ପ୍ରମୁଖ ଏହି ଶିବିରକୁ ପରିଚାଳନା କରିଥିଲେ ।