ଓରାଳି ପଞ୍ଚାୟତରେ ଅରୁଣଙ୍କୁ ନେଇ ବଢ଼ୁଛି ଉତ୍ସାହ
ହାଟଡିହି, (ବିକାଶ ବିଶ୍ୱାଳ) :ଆଗାମୀ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଦିନ ଧାର୍ଯ୍ୟ ହେବାକୁ ଯାଉଥିବାବେଳେ କିଏ କେଉଁ ଦଳର ସମର୍ଥନରେ ପ୍ରାର୍ଥୀ ହେବ ସେନେଇ ନାନା କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି । ଚଳିତ ନିର୍ବାଚନରେ ଓରାଳି ପଞ୍ଚାୟତର ସରପଞ୍ଚ ପଦବୀଟି ଅସଂରକ୍ଷିତ ରହିଥିବାରୁ ପଞ୍ଚାୟତର ଅନେକ ପ୍ରମୁଖ ଲୋକ ପ୍ରାର୍ଥୀ ହେବାପାଇଁ ଅଣ୍ଟା ଭିଡିଛନ୍ତି । କିଏ କଂଗ୍ରେସ ସମର୍ଥନ ହାସଲ କରିବାକୁ ଲାଗିଛି ତ ଆଉ କିଏ ବିଜେପିର ସମର୍ଥନ ଆଶାରେ ଅଛି । କିନ୍ତୁ କିଏ ବିଜେଡି ସମର୍ଥନ ହାସଲ କରିବ ତାହାକୁ ନେଇ ପ୍ରତିଦ୍ୱନ୍ଦିତା ଦେଖାଦେଇଥିଲା । ତିନି ତିନି ଜଣ ଆଶାୟୀ ବିଭିନ୍ନ ସ୍ଥାନରେ ବୈଠକ କରି ନିଜର ସମର୍ଥନ ଯୋଗାଡରେ ଲାଗିପଡିଥିବା ବେଳେ ବରିଷ୍ଠ ବିଜେଡି ନେତା ତଥା ପୁର୍ବତନ ସରପଞ୍ଚ ଅରୁଣ ପ୍ରଧାନଙ୍କୁ ବିଜେଡି ସମର୍ଥନ ଦେବା ଘୋଷଣା କରିବାପରେ କର୍ମୀ ମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି । ଆନନ୍ଦପୁର ବିଧାୟକ ଧାନମଣ୍ଡି ଉଦଘାଟନ କରିବାକୁ ଓରାଳି ଯାଇଥିବାବେଳେ ଅରୁଣଙ୍କ ଶହଶହ ସମର୍ଥକ ବିଧାୟକଙ୍କୁ କୃତଜ୍ଞତା ଜଣାଇଥିଲେ ।


