ପ୍ରଶାନ୍ତ ଦତ୍ତଙ୍କ ବିରୋଗରେ ଶୋକ
ବାଲେଶ୍ୱର, (ସରୋଜ ପଣ୍ଡା) : ସାହିତ୍ୟ ସଂସ୍କୃତି କଳାପରିଷଦ ପକ୍ଷରୁ ଦିବଂଗତ ସାରସ୍ୱତ ସାଧକ ଇଂ ପ୍ରଶାନ୍ତ ଦତ୍ତଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠାନର କାଦ୍ରବାଦସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଉମେଶ ଚନ୍ଦ୍ର ବାରିକଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ଶୋକସଭାରେ ସାଧାରଣ ସମ୍ପାଦକ ଡ. ରାଧାରଞ୍ଜନ ପଟ୍ଟନାୟକ, ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ କବି କାଳୀପଦ ପଣ୍ଡା, ବିଦ୍ୟାଭାରତୀ ପ୍ରକାଶନର ମୁଖ୍ୟ କବି ଅଭୟ ଦାସ, କବି ବଂଶୀଧର ଚୌଧୁରୀ, କଥାକ।।ର ଉଦୟ ଦାସ, କବି ମଧୁସୂଦନ ମିଶ୍ର, କବି ଇନାୟତ ଅଲି, ଡାକ୍ତର ଅଭିମନ୍ୟୁ କାନୁନଗୋ, ଶିକ୍ଷାବିତ ଦେବେନ୍ଦ୍ର ନାଥ ଚୌଧୁରୀ ପ୍ରମୁଖ ଏଥିରେ ଯୋଗଦେଇ ସ୍ୱର୍ଗତ ଦତ୍ତଙ୍କ ବହୁବିଧ ପ୍ରତିଭା ଓ ଜୀବନାଦର୍ଶ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ । ବୃତ୍ତିରେ ଜଣେ ଯନ୍ତ୍ରୀ ହୋଇଥିଲେ ବି ସାହିତ୍ୟ, କଳା ଓ ସଂସ୍କୃତି ପ୍ରତି ତାଙ୍କର ଅଗାଧ ଋଚିଥିଲା । ହାଇସ୍କୁଲରେ ପଢ଼ୁଥିବା ବେଳେ ତାଙ୍କର ହାତଲେଖା କବିତା ପତ୍ରିକାରେ ପ୍ରକାଶିତ ହୋଇଥିଲା । ଚାକିରୀରୁ ଅବସର ପରେ ସେ ସାରସ୍ୱତ ସାଧାନା ଜାରି ରଖିବା ସହିତ ତାଙ୍କର ବହୁ ପୁସ୍ତକ ବି ପ୍ରକାଶିତ ହୋଇଛି । ବିଭିନ୍ନ ସାମାଜିକ ଅନୁଷ୍ଠାନ ସହ ଜଡ଼ିତ ହୋଇ କଳା, ସଂସ୍କୃତି ଓ ସାହିତ୍ୟକୁ ଉଜ୍ଜୀବିତ ରଖିବାକୁ ସେ ସର୍ବଦା ପ୍ରଚେଷ୍ଟା କରିଆସୁଥିଲେ ବୋଲି ଶୋକସଭାରେ ମତ ପ୍ରକାଶ କରିଥିଲେ । ପ୍ରାରମ୍ଭରେ ତାଙ୍କର ଫଟୋଚିତ୍ର ପୁଷ୍ପ ଅର୍ପଣ ଓ ନିରବ ପ୍ରାର୍ଥନା ସହ ଦିବଂଗତ ଆତ୍ମା ପ୍ରତି ସମସ୍ତେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।


