ବିଜେଡ଼ିକୁ ଘେରିବ ନବନିର୍ମାଣ କୃଷକ ସଂଗଠନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ବାହାରକୁ ଲାଗୁଛି ନବୀନ ସରକାର ରାଜ୍ୟବାସୀଙ୍କୁ ଘିଅ ମହୁରେ ଭସାଇ ଦେଲେଣି । କେଉଁ ବର୍ଗଙ୍କୁ ଅସୁବିଧାରେ ରଖିନାହାଁନ୍ତି । ପ୍ରାୟ ସମସ୍ତେ ସନ୍ତୁଷ୍ଟ । ପୁଣି ସ୍ମାର୍ଟ ସ୍ୱାସ୍ଥ୍ୟକାର୍ଡ଼ର ଯେଉଁ ତୁମ୍ଭିତୋଫାନ ପ୍ରଚାର, ସେଥିରେ ଯେକେହି ଭାସିଯିବେ । ଏଭଳି ଏକ ବାତାବରଣ ଭିତରେ ନିର୍ବାଚନ ଲଢିବାକୁ ଯାଉଛି ବିଜେଡ଼ି, ଯେତେବେଳେ କି ସାଧାରଣରେ ଧାରଣା ହେଉଛି ଯେ, ବିଜେଡ଼ି ବିରୁଦ୍ଧରେ କିଛି ଅଭିଯୋଗ କିମ୍ବା ଆରୋପ ନାହିଁ । ହେଲେ ବାହାର ପ୍ରଚାର ସହ ତଳ ବାସ୍ତବତାର ସମ୍ପର୍କ ଶୂନ । ସରକାର ଗାଁ ଗାଁରେ କଲ୍ୟାଣ ମଣ୍ଡପ, ତାସ୍‌ଖେଳ ଘର, ପୋଖରୀରେ ଗାଧୁଆ ତୁଠ, ମଶାଣୀଗୃହ ସବୁକିଛି କରିଛନ୍ତି । ହେଲେ ମୌଳିକ ଆବଶ୍ୟକତା କିଛି ବି କରିନାହାଁନ୍ତି । ଧାନ ବିକ୍ରି ପାଇଁ ଗୋଦାମ ଘର କିମ୍ବା ମଣ୍ଡି କଥା ଉଠିଲେ ସରକାରଙ୍କ ମୁଖା ଖସିପଡ଼ିବ । ପଡ଼ୋଶୀ ଛତିଶଗଡ଼ରେ ଚାଷୀ ଧାନ କୁଇଣ୍ଟାଲ ୨୫୦୦ରେ ମଣ୍ଡିରେ ବ୍ୟବସ୍ଥିତ ଢଙ୍ଗରେ ଧାନ ବିକୁଥିଲା ବେଳେ ଆମ ଚାଷୀ ମଣ୍ଡିରେ ଧାନକୁ ଖୋଲା ଆକାଶ ତଳେ କାକର ଓ ବର୍ଷାରେ ଭିଜାଇ ଆଖିରୁ ଲୁହ ଗଡ଼ାଉଛି । ମିଲରଙ୍କ ବ୍ଲାକମେଲିଂ ଓ ମର୍ଜିରେ ଧାନ ବିକିବାକୁ ପଡୁଛି, ହେଲେ ସରକାରଙ୍କ ଦେଖା ନାହିଁ । ମିଲର କଟ୍‌ନି ଛଟନି କଲେ ବନ୍ଧା ହେବେ କହି ଯୋଗାଣମନ୍ତ୍ରୀ ଚୁପ୍ । ଷଣ୍ଢ, ମାଙ୍କଡ଼, ବାରାହା, ହାତୀ ସମସ୍ୟାଠାରୁ ଆରମ୍ଭ କରି ରିଲିଫ କୋଡ୍ ସଂଶୋଧନ, ଜଳସେଚନ ଓ ଜଳ ନିଷ୍କାସନ କୌଣସି ସମ୍ୟାକୁ ସମାଧାନ କରିବାରେ ସରକାରଙ୍କ ଆଗ୍ରହ ନାହିଁ । ଶୀତଳ ଭଣ୍ଡାର, ଗୋଦାମଘର ପ୍ରତିଷ୍ଠା, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଏଥିରେ ସରକାର ଆଜି ପର୍ଯ୍ୟନ୍ତ ଆଗ୍ରହ ରଖୁନାହାଁନ୍ତି । ଚାଷୀ ପେନସନ କିମ୍ବା ବୋନସ ଏହା ସରକାରଙ୍କୁ ଶ୍ରୁତିକଟୁ ଲାଗେ । ଏଭଳି ସମସ୍ୟାରେ ଚାଷୀ ଘାଣ୍ଟି ହେଉଥିବା ବେଳେ ଛତିଶଗଡ଼ରେ ଧାନ ଦର ୨୫୦୦ ଟଙ୍କା । ଅନେକ ଦିନ ହେଲା ସେମାନେ ଏହି ଦର ପାଉଛନ୍ତି । ନୂଆବର୍ଷରୁ ଆନ୍ଧ୍ରର ଭତ୍ତାଧାରୀମାନେ ୨୫୦୦ ଟଙ୍କା ଲେଖାଏ ମାସିକ ପେନସନ ପାଉଛନ୍ତି । ଏହାକୁ ନେଇ ଆନ୍ଧ୍ରକୁ ଓଡ଼ିଶାରୁ କିଛି ଲୋକ ଆନ୍ଧ୍ର ଭୋଟର ତାଲିକାରେ ନାମ ଚଢାଇଲେଣି । ତା ସତ୍ତ୍ୱେ ସରକାରଙ୍କ ନିଦ ଭାଙ୍ଗୁନାହିଁ । ଛତିଶଗଡ଼ରେ ଚାଷୀ ୨୫୦୦ରେ ଧାନ ବିକୁଥିଲା ବେଳେ ଆମ ଚାଷୀ ତାର ଅଧା ୧୨୦୦/୧୩୦୦ ଟଙ୍କାରେ ଧାନ ବିକୁଛନ୍ତି । ଅତଏବ ପଡ଼ୋଶୀ ରାଜ୍ୟର ଚାଷୀମାନେ ଆମଠାରୁ ଦୁଇଗୁଣା ଲାଭ ପାଉଛନ୍ତି । ଏହି ଦୁଇ ପ୍ରସଙ୍ଗରେ ବିଜେପି ଏବଂ କଂଗ୍ରେସ, ବିଜେଡ଼ିକୁ ଯେତିକି ଘେରିନାହାଁନ୍ତି, ତା’ଠାରୁ ଅଧିକ ଶାଣିତ ଆକ୍ରମଣ କରିଛି ନବନିର୍ମାଣ କୃଷକ ସଂଗଠନ । ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ କହିଛନ୍ତି ଯେ, ଯେଉଁ କାଳିଆ ଯୋଜନା କରି ନବୀନ ପଟ୍ଟନାୟକ ଗତ ବିଧାନସଭା ନିର୍ବାଚନ ବୈତରଣୀ ପାର୍ ହେଲେ, ସେହି ଯୋଜନାରେ ନବୀନଙ୍କୁ ଘେରାଯିବ । କାରଣ ନବୀନ କାଳିଆ ଯୋଜନା ଘୋଷଣା କଲାବେଳେ କହିଥିଲେ ଯେ, ଏହି ଯୋଜନା ୩ ବର୍ଷ ଚାଲିବ, ଏହାକୁ କେହି ଅଟକାଇ ପାରିବେ ନାହିଁ । ଅଥଚ ଅଧାରୁ ଏହି ଯୋଜନା ଅର୍ଥକୁ ୬୦ଭାଗ କମାଇଦେଲେ । ଏହି ପ୍ରସଙ୍ଗରେ ଚାଷୀମାନଙ୍କୁ ନିବେଦନ କରାଯିବ ଯେ, ବିଜେଡ଼ି କାଳିଆ ପ୍ରସଙ୍ଗରେ ଆମକୁ ଯେଭଳି ଧୋକ୍କା ଦେଇଛି, ଆମେ ସେଭଳି ସେମାନଙ୍କୁ ପଞ୍ଚାୟତ ନିର୍ବାଚନରେ ଜବାବ ଦେବାକୁ ଚାଷୀମାନଙ୍କୁ ଆହ୍ୱାନ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ