କୋଭିଡ଼ ଯୋଦ୍ଧା ଘୋଷଣା କରିବା : କରୋନା ବୁଷ୍ଟରଡ଼ୋଜ ଟୀକା ଦେବାକୁ ଦାବି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ଆମ ରାଜ୍ୟରେ ବର୍ତ୍ତମାନ କରୋନା ହୁ ହୁ ହୋଇ ମାଡ଼ିଚାଲିଛି । ଆସନ୍ତା ଫେବୃୟାରୀ ମାସରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ । ଏହି ନିର୍ବାଚନକୁ ସୁପରିଚାଳନା କରିବା ପାଇଁ ନିୟୋଜିତ ଶିକ୍ଷକ କର୍ମଚାରୀମାନଙ୍କୁ କରୋନା ବୁଷ୍ଟର ଡ଼ୋଜ ଟୀକାକରଣ ସୁନିଶ୍ଚିତ କରିବା ସହିତ ସେମାନଙ୍କୁ କୋଭିଡ଼ ଯୋଦ୍ଧା ଘୋଷଣା କରିବା ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ସହିତ ଆଜି ଆଲୋଚନାରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ତରଫରୁ ନିବେଦନ କରାଯାଇଛି । ଶିକ୍ଷକ କର୍ମଚାରୀମାନେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବାବେଳେ ସେମାନଙ୍କ ମୃତ୍ୟୁ ହେଲେ ସେମାନଙ୍କ ପାଇଁ ୫୦ଲକ୍ଷ ଅନୁକମ୍ପାମୂଳକ ରାଶି ଘୋଷଣା କରାଯାଉ ଓ ସେମାନଙ୍କ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ନିଯୁକ୍ତି ଦେବାକୁ ସଂଘ ଦାବି କରିଛି । ଆଜି ପର୍ଯ୍ୟନ୍ତି ଯେତେଥର ନିର୍ବାଚନ ହୋଇଛି, ସେଥିରେ ନିୟୋଜିତ ଶିକ୍ଷକ କର୍ମଚାରୀମାନଙ୍କୁ ମାଲବୁହା ଗାଡ଼ି ଯଥା-ଟ୍ରକ, ଟାଟାଏସି, ୪୦୭ ଓ ଡ଼ାଲାଅଟୋ ଭଳି ଗାଡ଼ିରେ ନିଆଯାଇଛି । କିନ୍ତୁ ଏଗୁଡ଼ିକୁ ତୁରନ୍ତ ନିଷିଦ୍ଧ କରାଯାଇ ପୁଲିଂ ପାର୍ଟିମାନଙ୍କ ସୁରକ୍ଷିତ ଓ ନିରାପଦ ଯାତ୍ରା ପାଇଁ ସେମାନଙ୍କୁ ଯାତ୍ରୀବାହୀ ଯାନର ସୁବ୍ୟବସ୍ଥା କରାଯାଉ । ପୁଲିଂ ପାର୍ଟିମାନଙ୍କର ରହଣୀସ୍ଥଳରେ ନିରାପଦ ଗୃହ, ବିଶୁଦ୍ଧ ପାନୀୟ ଜଳ, ବିଦ୍ୟୁତ୍ ଓ ଶୌଚାଳୟର ସୁବନ୍ଦୋବସ୍ତ କରିବା ପାଇଁ ସଂଘ ଦାବି କରିଛି । ପୁଲିଂ ପାର୍ଟିମାନଙ୍କର ଯେପରି ଯାତାୟତ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ସମସ୍ୟା ନ ଉପୁଜେ, ସେଥିପ୍ରତି ଦୃଷ୍ଟି ଦେବାକୁ ସଂଘ ତରଫରୁ ନିର୍ବାଚନ ଆୟୋଗଙ୍କୁ ଅନୁରୋଧ କରାଯାଇଛି । ପ୍ରାଥମିକ ବିିଦ୍ୟାଳୟ ଶିକ୍ଷକ ସଂଘ, ଓଡ଼ିଶାର ସଭାପତି ବ୍ରହ୍ମାନନ୍ଦ ମହାରଣାଙ୍କ ନେତୃତ୍ୱରେ ଏକ ୭ଜଣିଆ ପ୍ରତିନିଧି ମଣ୍ଡଳୀ ରାଜ୍ୟ ନିର୍ବାଚନ ଆୟୋଗ, ଓଡ଼ିଶାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ୩ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏହି ପ୍ରତିନିଧି ମଣ୍ଡଳୀରେ ସାଧାରଣ ସମ୍ପାଦକ ବିଭୁ ପ୍ରସାଦ ସାହୁ, କୋଷାଧ୍ୟକ୍ଷ ଗୋପାଳ କିଶୋର ସେନ, ଟୁଲୁ ଦେଇ, ଜିତେନ୍ଦ୍ର କୁମାର ନାୟକ, ସୁବାସ ଚନ୍ଦ୍ର ଦାସ ଓ ତପନ ମେକପ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ