ଟ୍ରକ ଧକାରେ ୨୦ ଫୁଟ ତଳକୁ ଖସିଲା ଯାତ୍ରୀବାହୀ ବସ
ବାଲେଶ୍ୱର, (ସରୋଜ ପଣ୍ଡା) :-ବାଲେଶ୍ୱର ଜିଲ୍ଲା ୧୬ ନଂ ଜାତୀୟ ରାଜପଥର ବିଦୁଛକଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୬ ବସଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଆହତ ୨୦ରୁ ଅଧିକ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଉଦଳାରୁ ଫେରି ଭୁବନେଶ୍ୱର ଯାଉଥିବା ଓଡି୦୪କେ/୨୨୨୫ ନଂର ଶାନ୍ତିଲତା ବସ ୧୬ ନଂ ଜାତୀୟ ରାଜପଥର ବିଦୁଛକଠାରେ ଯାତ୍ରୀ ଉଠାଇବା ପାଇଁ ଅଟକିଥିଲା । ବସ ନିର୍ଦ୍ଧାରିତ ଷ୍ଟପେଜରେ ଛିଡ଼ା ହେବା ପରେ ଯାତ୍ରୀମାନେ ବ ଓହ୍ଲାଉଥିବା ବେଳେ ପଛରୁ କ୍ଷୀପ୍ର ବେଗରେ ଆସୁଥିବା ଏକ କୋଇଲା ବୋଝେଇ ଟ୍ରକ ଏହାକୁ ଧକ୍କା ଦେଇଥିଲା । ଏହି ଧକ୍କା ଏତେ ଶକ୍ତିଶାଳୀ ଥିଲା ଯେ ଉଭୟ ବସ ଓ ଟ୍ରକ ଜାତୀୟ ରାଜପଥରୁ ପ୍ରାୟ ୨୦ ଫୁଟ ତଳ ସର୍ଭିସ ରୋଡକୁ ଖସି ଓଲଟି ପଡ଼ିଥିଲା । ତେବେ ଦୁର୍ଘଟଣା ଘଟିବା ମାତ୍ରେ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଖବର ପାଇ ସୋର ପୁଲିସ ଓ ଅଗ୍ନିଶମ ବିଭାଗ ଦୁର୍ଘଟଣା ସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିଥିଲେ । ବସରେ ୫୫ରୁ ଅଧିକ ଯାତ୍ରୀ ଥିବା ବେଳେ ସେଥିରେ ଚାପି ହୋଇ ରହିଯାଇଥିବା ବ୍ୟକ୍ତିଙ୍କୁ ସାମ୍ନା କାଚ ଭାଙ୍ଗି ଲୋକେ ଉଦ୍ଧାର କରିଥିଲେ । ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ୨୦ରୁ ଉର୍ଦ୍ଧ୍ୱ ଯାତ୍ରୀଙ୍କୁ ପ୍ରଥମେ ସୋର ଡାକ୍ତରଖାନା ଓ ପରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଏହି ଦୁର୍ଘଟଣାରେ ଜଣେ ମହିଳା ଓ ଶିଶୁଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସରକାରୀ ସୂତ୍ରରୁ ସୂଚନା ମିଳିଥିଲେ ବି ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଉଛି । ତେବେ ଏହି ଦୁର୍ଘଟଣା ସମ୍ପର୍କରେ ଜାଣିବା ପରେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ, ଆରଟିଓ, ଏମଭିଆଇ, ସୋର ବିଡିଓ ଓତହସିଲଦାର, ସୋର ଏବଂ ଖନ୍ତାପଡ଼ା ଥାନା ଅଧିକାରୀ ପ୍ରମୁଖ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଅନୁଧ୍ୟାନ କରିଥିଲେ । ୩ ଜଣିଆ ଡାକ୍ତର ଦଳଙ୍କ ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଦୁଲାଳ ସେନ ଜଗଦ୍ଦେବ ଘଟଣାସ୍ଥଳକୁ ଯାଇ ଆହତଙ୍କୁ ପ୍ରାଥମିକ ଚିକିତ୍ସା ପ୍ରଦାନ ସାଙ୍ଗକୁ ଡାକ୍ତରଖାନାକୁ ସ୍ଥାନାନ୍ତର ବ୍ୟବସ୍ଥା କରିଥିଲେ । ଅନ୍ୟପକ୍ଷରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଂଚି ବାଲେଶ୍ୱର ସଦର ବିଧାୟକ ସ୍ୱରୂପ ଦାସ ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ସମ୍ପର୍କରେ ତଦାରଖ କରିଥିଲେ । ତେବେ ଏହି ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ୨ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ।