ପଞ୍ଚାୟତ ନିର୍ବାଚନ : ହୋଇପାରୁନି ଶକ୍ତି ପଦର୍ଶନ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ରାଜ୍ୟରେ ଆସନ୍ତା ୧୬ ତାରିଖ ଠାରୁ ୫ଟି ପର୍ଯ୍ୟାୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ବ୍ଳକରେ ଫେବୃୟାରୀ ୧୬ ତାରିଖ ଦିନ ତ୍ରିସ୍ତରୀୟ ପଚାୟତ ନିର୍ବାଚନ ଅନୁଷ୍ଠିତ ହେବ । ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ନିର୍ବାଚନ ରଣାଙ୍ଗନରେ ଦଣ୍ଡାୟମାନ ହୋଇଥିବା ପ୍ରାର୍ଥୀ ମାନେ ନିଜ ନିଜର ଶକ୍ତି ପଦର୍ଶନ କରିବାରୁ ବଞ୍ଚିତ ହେଉଥିବା ଭଳି ମନେହେଉଛି । ନିର୍ବାଚନ ରଣାଙ୍ଗନରେ ଦଣ୍ଡାୟମାନ ହୋଇଥିବା ପ୍ରାର୍ଥୀ ମାନେ ର୍ୟାଲି, ବଡ଼ ଧରଣର ଶୋଭାଯାତ୍ରା କରିବା ପାଇଁ ମନରେ ପ୍ରବଳ ଇଚ୍ଛା ରହିଥିଲେ ମଧ୍ୟ ରାଜ୍ୟ ନିର୍ବାଚନ କମିଶନଙ୍କ କୋଭିଡ଼ କଟକଣା ଯୋଗୁଁ ଏଥିରୁ ବଞ୍ଚିତ ହେଉଛନ୍ତି । ମହାମାରୀ କରୋନା ଭୁତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ନିର୍ବାଚନ କମିଶନ ସଭା, ର୍ୟାଲି ଓ ବଡ଼ ଧରଣର ଶୋଭାଯାତ୍ରା ଉପରେ ଅଙ୍କୁଶ ଲଗାଇଛନ୍ତି । ପ୍ରାର୍ଥୀଙ୍କ ସହ ମାତ୍ର ୫ ଜଣଙ୍କୁ ନେଇ ନିର୍ବାଚନ ପ୍ରଚାର ସକାଶେ ଅନୁମତି ମିଳିଥିବା ବେଳେ ଡ଼ିଜିଟାଲ ପ୍ରଚାର, ପ୍ରସାରକୁ ପ୍ରଧାନ୍ୟ ଦିଆଯାଇଛି । ଦଳୀୟ ଚିହ୍ନରେ ନିର୍ବାଚନ ଲଢୁଥିବା ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଠାରୁ ଆରମ୍ଭ କରି ବିନା ଦଳୀୟ ଚିହ୍ନରେ ନିର୍ବାଚନ ରଣାଙ୍ଗନରେ ଦଣ୍ଡାୟମାନ ହୋଇଥିବା ସରପଞ୍ଚ, ସିମିତି ମେମ୍ବର ଓ ୱାର୍ଡ଼ ମେମ୍ବର ମାନେ ନିଜ ନିଜ ପଞ୍ଚାୟତରେ ସଭା, ର୍ୟାଲି କି ବଡ଼ ଧରଣର ଶୋଭାଯାତ୍ରା କରି ପାରୁନାହାଁନ୍ତି । ପୂର୍ବ ନିର୍ବାଚନ ଗୁଡ଼ିକରେ ନାମାଙ୍କନ ପତ୍ର ଦାଖଲ ଦିବସ ଠାରୁ ଆରମ୍ଭ କରି ବିଜୟ ଶୋଭାଯାତ୍ରା ପର୍ଯ୍ୟନ୍ତ ପ୍ରାର୍ଥୀମାନେ ଗାଁ ଗହଳିରେ ବିରାଟ ପଟୁଆର ସହ ନିଜ ନିଜର ସାମର୍ଥ୍ୟ ଅନୁଯାୟୀ ଶକ୍ତି ପଦର୍ଶନ କରି ଆସୁଥିଲେ । ଶହ ଶହ ସମର୍ଥକଙ୍କୁ ସାଙ୍ଗରେ ନେଇ ପଦଯାତ୍ରା ଠାରୁ ଆରମ୍ଭ କରି ମୋଟର ସାଇକେଲ ର୍ୟାଲି କରି ଶକ୍ତି ପଦର୍ଶନ କରି ଆସୁଥିଲେ । ତାହାଦ୍ୱାରା କେଉଁ ପ୍ରାର୍ଥୀଙ୍କ କେତେ ଦମ୍ ତାହା ଶକ୍ତି ପଦର୍ଶନରୁ ସ୍ପଷ୍ଟ ଆଭାସ ମିଳୁଥିବା ବେଳେ ସାଧାରଣରେ ଆଲୋଚନାର ପ୍ରସଙ୍ଗ ପାଲଟୁଥିଲା ।ଏହାକୁ ନେଇ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟୁଥିବାର ମଧ୍ୟ ନଜିର ରହିଥିଲା । ଯଦ୍ୱାରା ପୋଲିସ ପ୍ରଶାସନ ସମେତ ସ୍ଥାନୀୟ ପ୍ରଶାସନକୁ ନାକେଦମ ହେବାକୁ ପଡ଼ୁଥିଲା । ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଶକ୍ତି ପଦର୍ଶନରୁ ବଞ୍ଚିତ ହୋଇଥିବାରୁ ପୋଲିସ ପ୍ରଶାସନ ହାଲୁକା ହେବା ସହ ଶାନ୍ତିରେ ନିଶ୍ୱାସ ମାରିପାରୁଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ପୂର୍ବରୁ ନିର୍ବାଚନ ସକାଶେ ନାମାଙ୍କନ ପତ୍ର ଦାଖଲ ଠାରୁ ଆରମ୍ଭ କରି ରାଲି, ଶୋଭାଯାତ୍ରା, ସଭାକୁ ନେଇ ଯେତିକି ନିର୍ବାଚନ ଉଷ୍ମତା ଦେଖାଦେଉଥିଲା ତାହା ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସେହି ପରିମାଣର ଉଷ୍ମତା ଦେଖିବାକୁ ମିଳୁନି । ପ୍ରାର୍ଥୀପତ୍ର ପ୍ରତ୍ୟାହର ପରେ ନିର୍ବାଚନ ରଣାଙ୍ଗନରେ ଦଣ୍ଡାୟମାନ ହୋଇଥିବା ପ୍ରାର୍ଥୀ ମାନେ ନିଜ ନିଜ ପଞ୍ଚାୟତରେ ବଡ଼ ବଡ଼ ହୋଡ଼ିଂ ସାଙ୍ଗକୁ ଡ଼ିଜେର କର୍କଶ ଶବ୍ଦରେ ଗାଁ ଦାଣ୍ଡ ଦୁଲୁକି ଉଠୁଥିଲା । ଲୋକେ ଡିଜେର କର୍କଶ ଶବ୍ଦରେ ଅଣନିଃଶ୍ବାସୀ ହେବା ସହ ଶବ୍ଦ ପ୍ରଦ୍ୟୁଷଣ ବୃଦ୍ଧି ପାଉଥିଲା । ହେଲେ ଚଳିତ ନିର୍ବାଚନରେ ଶବ୍ଦ ପ୍ରଦୁଷଣ ଆଉ ନାହିଁ । ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ରାଜ୍ୟ ନିର୍ବାଚନ କମିଶନଙ୍କ କଟକଣା ଯୋଗୁଁ ନିର୍ବାଚନ ରଣାଙ୍ଗନରେ ଦଣ୍ଡାୟମାନ ହୋଇଥିବା ପ୍ରାର୍ଥୀ ମାନେ ଡ଼ିଜିଟାଲ ପ୍ରଚାରକୁ ଗୁରୁତ୍ତ୍ୱାରୋପ କରିଛନ୍ତି । ପ୍ରାର୍ଥୀ ମାନେ ମାତ୍ର ୨/୩ ଜଣଙ୍କୁ ସାଙ୍ଗରେ ନେଇ ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଥିବାର ଦେଖିବାକୁ ମିଳିଛି । ବର୍ତ୍ତମାନ ସମୟରେ ପ୍ରାର୍ଥୀ ମାନେ ହ୍ୱାଟସଅପ୍, ଫେସବୁକ୍, ମେସେଞ୍ଜର ଭଳି ସାମାଜିକ ଗଣମାଧ୍ୟମକୁ ଆଦରି ନେଇ ନିଜ ନିଜର ପ୍ରଚଚଜାର ଅଭିଯାନ ଚଳାଇଥିବାର ଦେଖିବାକୁ ମିଳିଛି । ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ବ୍ଲକର ୨୧ ଟି ପଞ୍ଚାୟତ ରହିଛି । ୩ ଜିଲ୍ଲା ପରିଷଦ, ୨୧ ସରପଞ୍ଚ, ସମିତି ସଭ୍ୟ ଓ ୩୦୭ ଓ୍ବାର୍ଡ ସକାଶେ ନିର୍ବାଚନ ଅନୁଷ୍ଠିତ ହେବ । ୪ଟି ପଞ୍ଚାୟତର ସରପଞ୍ଚ ପଦବୀ ଓ ୮ଟି ପଞ୍ଚାୟତର ସମିତି ସଭ୍ୟ ପଦବୀ ସକାଶେ ଜଣେ ଲେଖାଏଁ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବାରୁ ସଂପୃକ୍ତ ପଞ୍ଚାୟତରେ ସରପଞ୍ଚ ଓ ସମିତି ମେମ୍ବର ମାନେ ଅପ୍ରତିଦ୍ଵନ୍ଦୀ ରହିଛନ୍ତି । ଅବଶିଷ୍ଟ ୧୭ ପଞ୍ଚାୟତରେ ସରପଞ୍ଚ ଓ ୧୩ ପଞ୍ଚାୟତରେ ସମିତି ମେମ୍ବର ସକାଶେ କଡା ମୁକାବିଲା ହେଉଥିବା ଦେଖିବାକୁ ମିଳିଛି ।