ଖୁଲମଖୁଲାରେ ବିକ୍ରି ହେଉଛି
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଖୁଲମଖୁଲା ଭାବେ ଅବାଧ ତଥା ଚୋରା ଦେଶୀମଦ ପାଉଚ ବିକ୍ରି ହେଉଥିବାର ଦେଖିବାକୁ ମିଳୁଛି । ଏହି ଚୋରା ଦେଶୀ ମଦ ପାଉଚ ସହରର ବିଭିନ୍ନ ସ୍ଥାନରେ ସର୍ବସାଧାରଣରେ ବିକ୍ରି ହେଉଥିଲେ ମଧ୍ୟ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଶୂନ ରହିଛି । ଏହାର ସୁଯୋଗ ନେଇ ଚୋରା ଦେଶୀ ମଦ ମାଫିଆମାନେ ଖୁଲମଖୁଲା ଭାବେ ନିର୍ଭୟ ହୋଇ ସର୍ବସାଧାରଣ ତଥା ଜନ ଗହଳି, ଜନବସ୍ତି ଇଲାକାରେ ଦୋକାନ ଭାଡି ଆଦି ସ୍ଥାପନ କରି ବିକ୍ରିବଟା କରୁଛନ୍ତି । ଏପରି ଏକ ନମୁନା ଦେଖିବାକୁ ମିଳିଛି ସହରର ପୁରୁଣାପାଟଣା ରାସ୍ତାରେ ଥିବା ପେଟ୍ରୋଲ ପମ୍ପ ତଥା ବିଏସ୍ଏନ୍ଏଲ କ୍ୱାଟର୍ସ ପାଚେରୀକୁ ଲାଗି ଏକ ଅସ୍ଥାୟୀ କ୍ୟାବିନରେ । ଏଠାରେ ଦୁଇଗୋଟି ଅସ୍ଥାୟୀ କ୍ୟାବିନ ରହିଛି । ସେଥିମଧ୍ୟରୁ ଗୋଟିଏ ବନ୍ଦ ଥିବା ବେଳେ ଅନ୍ୟଗୋଟିଏ ଖୋଲା ରହିଛି । ଏଥିମଧ୍ୟରେ ଏକ ପ୍ଲାଷ୍ଟିକ ଥଳି ମଧ୍ୟରେ ଚୋରା ଦେଶୀମଦ ପାଉଚ ଭର୍ତ୍ତି ରହିଥିବାର ଦେଖିବାକୁ ମିଳିଥିଲା । ତେବେ ଏହି ମଦ ପାଉଚ ଗୁଡିକ ଉପରେ କୌଣସି ମୁଦ୍ରଣ ନାହିଁକି ସରକାରଙ୍କ ଲାଇସେନ୍ସ ସ୍ୱୀକୃତ ପ୍ରାପ୍ତ ଛାପ ପଡିନାହିଁ । ଏହି ପାଉଚ ଗୁଡିକୁ ଦେଖିଲେ ଲାଗୁଛି ଏଗୁଡିକ ଚୋରାରେ କୌଣସି ଦେଶୀମଦ ମାଫିଆ ଅବାଧରେ ପ୍ରସ୍ତୁତ କରି ଖୁଲମଖୁଲା ଭାବେ ବିକ୍ରି କରୁଛି । ପାରିପାର୍ଶିକ ଅବସ୍ଥାକୁ ଦେଖିଲେ ମଦ୍ୟପମାନେ ବେଫିକର ହୋଇ ଏଠାରେ ମଦ ପିଇ ପାଉଚ ଗୁଡିକୁ ଏଣେତେଣେ ଫପାଡି ଦେଇ ଚାଲିଯାଉଥିବାର ଜଣାପଡିଛି । ପାଉଚ ଗୁଡିକ ନାଳ ନର୍ଦ୍ଦମା ଓ ନିକଟରେ ଥିବା ଜମି ଏବଂ ପଡିଆରେ କୁଢ କୁଢ ଭାବେ ପଡିଥିବାର ଲକ୍ଷ୍ୟ ମଧ୍ୟ କରାଯାଉଛି । ଏପରି ଗହଳିଆସ୍ଥାନରେ ଭାଡି ବା କ୍ୟାବିନରେ ଖୁଲମଖୁଲା ଭାବେ ବିକ୍ରି ହେଉଥିଲେ ମଧ୍ୟ ବିଭାଗୀୟ ଛାଟ କିପରି ପଡି ନାହିଁ ତାହା ସାଧାରଣରେ ଆଲୋଚନାର ବିଷୟ ପାଲଟି ଅଛି ।


