ସମାଜସେବୀଙ୍କ ପରଲୋକ

ବାଲେଶ୍ୱର, (ସରୋଜ ପଣ୍ଡା) :-ବିଶିଷ୍ଟ ସମାଜସେବୀ, ସୁଲେଖକ ବିଶ୍ୱନାଥ ରଣାଙ୍କର ସୋମବାର ମଧ୍ୟରାତ୍ରରେ ହୃଦଘାତ କାରଣରୁ ଦେହାନ୍ତ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୬୮ବର୍ଷ ବୟସ ହୋଇଥିଲା । ମୃତ୍ୟୁ ସମ୍ବାଦ ପ୍ରଚାରିତ ହେବା ପରେ ବିଭିନ୍ନ ସଂଗଠନର କର୍ମକର୍ତ୍ତା ଓ ବାଲେଶ୍ୱରର ବହୁ ବିଶିଷ୍ଟ ବ୍ୟକ୍ତି ଦାମୋଦରପୁରସ୍ଥିତ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ । ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ପତ୍ନୀ ରାଧାରାଣୀ ରଣା ଓ ପୁତ୍ର ଭୁବନ ଭୂଷଣ ଉପସ୍ଥିତ ଥିଲେ । ଅନ୍ୟ ଦୁଇପୁତ୍ର ଭାରତ ଭୂଷଣ ଓ ବିନୟ ଭୂଷଣ ବିଦେଶରୁ ପହଂଚିବା ପରେ ଆସନ୍ତାକାଲି ବୁଧବାର ଶେଷକୃତ୍ୟ ସଂପନ୍ନ ହେବ । ସେ ବ୍ୟାଙ୍କ ଅଫ ଇଣ୍ଡିଆର ଶାଖା ପରିଚାଳକ ପଦରୁ ଅବସର ନେବା ପରେ ବିଭିନ୍ନ ସଙ୍ଗଠନ ସହ ଯୋଡ଼ି ହୋଇ ଯାଇଥିଲେ । ଅବସର ପରେ ବାଲେଶ୍ୱରରେ ସେ ଓକିଲାତି ମଧ୍ୟ କରୁଥିଲେ । ଜିଲାର ଐତିହାସିକ ଘଟଣାବଳୀ ଉପରେ ତାଙ୍କର ବହୁ ଲେଖା ପତ୍ର ପତ୍ରିକାରେ ପ୍ରକାଶ ପାଇଛି । ସେ ଫକୀରମୋହନ ସାହିତ୍ୟ ପରିଷଦ, ଜଉକଣ୍ଢେଇ ବାହାଘର ଉତ୍ସବ କମିଟି, ସରକାରୀ ମେଡିକାଲ କଲେଜ୍ କ୍ରିୟାନୁଷ୍ଠାନ କମିଟି, ଜିଲ୍ଲା ରକ୍ତାଦାତା ସଂଘ ପ୍ରଭୃତି ସଂଗଠନରେ ସକ୍ରିୟ ସଦସ୍ୟ ଥିଲେ । ଶ୍ରୀଧର ସ୍ୱାମୀ ସ୍ମୃତି ପରିଷଦର ସେ ସାଧାରଣ ସଂପାଦକ ଦାୟିତ୍ୱ ତୁଲାଉଥିଲେ । ଜଣେ ଅମାୟିକ, ମେଳାପୀ ତଥା ଦରଦୀ ମଣିଷ ଭାବେ ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ସ୍ମୃତିରେ ମଙ୍ଗଳବାର ଦିନ ଓକିଲମାନେ କାର୍ଯ୍ୟରେ ଯୋଗ ଦେଇ ନଥିବାବେଳେ ଅପରାହ୍ନରେ ମେଡିକାଲ କଲେଜ୍ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମମତା ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ