୩ରୁ ଅଲ ଓଡ଼ିଶା ଷ୍ଟୁଡେଣ୍ଟସ ୟୁନିୟନର ରାଜ୍ୟବ୍ୟାପୀ ଆନ୍ଦୋଳନ
ବାଲେଶ୍ୱର, (ସରୋଜ ପଣ୍ଡା) :-ତୃତୀୟ ଲହରରେ କରୋନା ସଂକ୍ରମଣ ବୃଦ୍ଧି ପାଇଥିବା ବେଳେ ସରକାରଙ୍କ ଅଫଲାଇନ ପରୀକ୍ଷା ନିଷ୍ପତ୍ତି ବିରୋଧରେ ଛାତ୍ରଛାତ୍ରୀଙ୍କ ପ୍ରତିବାଦ ଚରମ ରୂପ ନେବାକୁ ଯାଉଛି । ନିଖିଳ ଓଡ଼ିଶା ଛାତ୍ର ସଙ୍ଗଠନ ବା ‘ଅଲ ଓଡ଼ିଶା ଷ୍ଟୁଡେଣ୍ଟସ ୟୁନିୟନ’ ଆସନ୍ତା ୩ ତାରିଖରୁ ରାଜ୍ୟବ୍ୟାପୀ ଆନ୍ଦୋଳନକୁ ଓହଲାଇବାର ଚେତାବନୀ ଦେଇଛି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ହୋଟେଲ ମେରିଡିଆନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଂଗଠନର ବାଲେଶ୍ୱର ଶାଖା ଛାତ୍ରନେତାମାନେ ଯୋଗଦେଇ ରାଜ୍ୟ ସରକାରଙ୍କ ପରୀକ୍ଷା ନିଷ୍ପତ୍ତିକୁ ସମାଲୋଚନା କରିଥିଲେ । ସେମାନେଙ୍କ ଅଭିଯୋଗ ଅନୁସାରେ କରୋନା ଯୋଗୁଁ ଦୀର୍ଘ ଦେଢ଼ବର୍ଷ ଧରି କଲେଜ ବନ୍ଦ ରହିବା ଓ ମୋଟ ୭୯ ଦିନ ଖୋଲା ଯାଇଥିଲା । ଅଧ୍ୟାପକ ଅଭାବ ଯୋଗୁଁ ପ୍ରାୟ ଅଧିକାଂଶ କଲେଜରେ ୭୯ ଦିନ ସମ୍ପୂର୍ଣ୍ଣ ପାଠପଢ଼ା ହୋଇପାରି ନାହିଁ । ପରବର୍ତ୍ତୀ ସମୟରେ ଅନଲାଇନ କ୍ଲାସ ହୋଇଥିିଲେ ବି ଦୁର୍ବଳ ଇଣ୍ଟରନେଟ ଓ ଇଲେକ୍ଟ୍ରି ସମସ୍ୟା ଯୋଗୁଁ ୯୦ ପ୍ରତିଶତ ପିଲା ପାଠପଢ଼ାରୁ ବଞ୍ଚିତ ହୋଇଛନ୍ତି । ଅତଏବେ ଗତବର୍ଷ ଭଳି ଯୁକ୍ତଦୁଇରେ ପ୍ରଥମ ବର୍ଷର ଶ୍ରେଣୀ ପରୀକ୍ଷା ମାର୍କ ଆଧାରରେ ଫଳ ପ୍ରକାଶ ପାଇଁ ସେମାନେ ଦାବି କରିଛନ୍ତି । ଏନେଇ ସରକାର ପରୀକ୍ଷା ନିଷ୍ପତ୍ତି ପ୍ରତ୍ୟାହର ନ କଲେ ୩ ତାରିଖରୁ ଆନ୍ଦୋଳନ ଜୋରଦାର ହେବ ବୋଲି ଛାତ୍ରନେତାମାନେ ଚେତାବନୀ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ବାଲେଶ୍ୱରର ସହର ଷ୍ଟେସନ ଛକଠାରେ ଜିଲା ସାରାର ହଜାର ହଜାର ଯୁକ୍ତଦୁଇ ଛାତ୍ରଛାତ୍ରୀ ରାସ୍ତାରୋକ କରିବେ ବୋଲି ସେମାନେ ସୂଚନା ଦେଇଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଛାତ୍ରନେତା ଅର୍ପିତ ପତି, ଚିନ୍ମୟ ପାଢ଼ୀ, ପ୍ରବୀଣ ଶର୍ମା, ଦେବ ଆରିୟନ, ସୁମଙ୍ଗଲ ପଣ୍ଡା, ମୋନାଲିସା ରଣା, ଦୀପେନ୍ଦୁ ମଣ୍ଡଳ, ଡଲି ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ ।